ଭୁବନେଶ୍ବର : ଟିକାକରଣରେ ବି ଲିଙ୍ଗଗତ ବିଷମତାର ଶିକାର ହେଉଛନ୍ତି କିନ୍ନର। କୋଭିଡ ପ୍ରତିଷେଧକ ଭାବରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ନିଃଶୁଳ୍କ ଟିକାକରଣ କାର୍ଯ୍ୟକ୍ରମରେ ଏମାନେ ପଛରେ ପଡ଼ିଯାଇଛନ୍ତି। ଏଯାଏ ଦେଶର ସମୁଦାୟ ଜନସଂଖ୍ୟାର ୬୨.୯ ପ୍ରତିଶତ ପୁରୁଷ, ୬୦.୫ ପ୍ରତିଶତ ମହିଳା ଏବଂ ୩୩.୨ ପ୍ରତିଶତ କିନ୍ନରଙ୍କୁ ହିଁ ଗୋଟିଏ ଡୋଜ୍ ଟିକା ମିଳିଛି। ଓଡ଼ିଶାରେ ଏହି ସଂଖ୍ୟା ଆହୁରି ନିରାଶଜନକ। ରାଜ୍ୟରେ ଏଯାଏ ମାତ୍ର ୨୭.୧ ପ୍ରତିଶତ କିନ୍ନରଙ୍କୁ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇ ପାରିଛି।
ସାରା ଦେଶରେ ଯେତେବେଳେ ୬୦ ପ୍ରତିଶତରୁ ଅଧିକ ମହିଳା ଓ ପୁରୁଷ ଅତି କମ୍ରେ ଗୋଟିଏ ଡୋଜ୍ କୋଭିଡ ଟିକା ନେଇ ସାରିଛନ୍ତି, ସେତିକିବେଳେ ଏହାର ଅଧାରୁ କମ୍ କିନ୍ନର ଟିକା ନେବା ଚିନ୍ତାର ବିଷୟ। ତେଣୁ ସରକାର ଏହାକୁ କେତେ ଗୁରୁତ୍ବ ଦେଉଛନ୍ତି, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋଭିଡ ଟିକା ପାଇବାରେ କିନ୍ନର ପଛରେ ପଡ଼ିବାର ପ୍ରମୁଖ କାରଣ ହେଲା ସାମାଜିକ ଅସ୍ପୃଶ୍ୟତା। ସମାଜ ଆଖିରେ ସେମାନେ ପରିହାସର ପାତ୍ର। ଏପରିକି ସରକାରୀ ଭାବରେ ମଧ୍ୟ ସେମାନଙ୍କୁ ସ୍ବତନ୍ତ୍ର ଲିଙ୍ଗର ମାନ୍ୟତା ମିଳିବାକୁ ବି ଅନେକ ବିଳମ୍ବ ଘଟିଛି। ଏଥିଯୋଗୁଁ କିନ୍ନର ଜନସଂଖ୍ୟାର ପ୍ରକୃତ ଚିତ୍ର ଆଜି ପର୍ଯ୍ୟନ୍ତ ଆକଳନ କରାଯାଇ ପାରି ନାହିଁ। ସେମାନଙ୍କ ନିକଟରେ ସରକାରୀ ସ୍ବାସ୍ଥ୍ୟ ସେବା ଅପହଞ୍ଚ ହୋଇ ପଡ଼ିଛି।
ମିଳିତ ଜାତିସଂଘର ସଂଜ୍ଞା ଅନୁସାରେ, କିନ୍ନରମାନଙ୍କୁ ନିର୍ଦିଷ୍ଟ ପରିଧିରେ ବାନ୍ଧି ଦିଆନଯାଇ ବଡ଼ ଛତା ତଳେ ରଖାଯାଇଛି। ଯେଉଁ ବ୍ୟକ୍ତିଙ୍କ ପ୍ରକୃତି, ଶାରୀରିକ ଗଠନ ଆଦି ଅନୁସାରେ ମହିଳା କିମ୍ବା ପୁରୁଷ ନୁହନ୍ତି ତାଙ୍କୁ କିନ୍ନର କୁହାଯାଇଛି। ୨୦୧୧ ମସିହାରେ ପ୍ରଥମ ଥର ପାଇଁ ମହିଳା, ପୁରୁଷ ବ୍ୟତୀତ ଅନ୍ୟ ଶ୍ରେଣୀକୁ ସାମିଲ କରାଗଲା। ଏଥି ଅନୁଯାୟୀ ପ୍ରାୟ ୪ ଲକ୍ଷ ୮୭ ହଜାର ୮୦୩ ଜଣ ‘ଅନ୍ୟ’ଙ୍କୁ ଚିହ୍ନଟ କରାଯାଇଥିଲା। ସେହି ‘ଅନ୍ୟ’ଙ୍କୁ କିନ୍ନର ଭାବରେ ଗ୍ରହଣ କରାଯାଇଛି। ଏହି ସଂଖ୍ୟାରୁ ମାତ୍ର ୩୦ ପ୍ରତିଶତଙ୍କୁ ଗୋଟିଏ ଡୋଜ୍ ଟିକା ଦିଆଯାଇଛି। ଗତ ଜୁଲାଇ ମାସରୁହିଁ ଏଭଳି ସ୍ଥିତି ଥିବା ଦେଖାଯାଇଛି। ଜୁଲାଇ ମାସର ପ୍ରଥମ ସାତ ଦିନରେ ଅଧିକରୁ ଅଧିକ ମହିଳା ଏବଂ ପୁରୁଷଙ୍କୁ କୋଭିଡ୍ ଟିକା ଦିଆ ଯାଇଥିବାବେଳେ କିନ୍ନରଙ୍କ କ୍ଷେତ୍ରରେ ଏହା ହୋଇ ନାହିଁ। ଲାକ୍ଷାଦୀପ, ସିକିମ ଓ କେରଳ ଭଳି କିଛି ରାଜ୍ୟରେ କିନ୍ନରଙ୍କ ଟିକାକରଣକୁ ଗୁରୁତ୍ବ ଦିଆଯାଇଛି। ୨୦୧୧ ଜନସଂଖ୍ୟା ଅନୁସାରେ ଲାକ୍ଷାଦୀପ ଓ ସିକିମରେ ୨୦୦ ପ୍ରତିଶତ କିନ୍ନରଙ୍କୁ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରିପାରିଛନ୍ତି। ତୃତୀୟ ରାଜ୍ୟ ଭାବରେ କେରଳରେ ୧୮୮ ପ୍ରତିଶତ କିନ୍ନରଙ୍କୁ ଗୋଟିଏ ଡୋଜ୍ ଟିକା ଦିଆଯାଇଛି। ବିହାର ଓ ପଞ୍ଜାବରେ ସର୍ବନିମ୍ନ ୨୫ ପ୍ରତିଶତଙ୍କୁ ଟିକା ମିଳିଛି। ଅଧିକାଂଶ ରାଜ୍ୟରେ କିନ୍ନର ଟିକାକରଣ କାର୍ଯ୍ୟକ୍ରମ ଅତି ମନ୍ଥର ଗତିରେ ଚାଲିଛି।