ଆଜି ୩ ଜିଲ୍ଲାରେ ଟିକାକରଣ ବନ୍ଦ, ୩ରୁ ବିଏମ୍‌ସିରେ ୧୮-୪୪ବର୍ଷର ବ୍ୟକ୍ତିଙ୍କ ଟିକାକରଣ

ଆସିଲା ରାଜ୍ୟ ସରକାରଙ୍କ ଦେଢ଼ ଲକ୍ଷ 'କୋଭାକ୍ସିନ୍'

ଭୁବନେଶ୍ବର : ଆଜି ରାଜ୍ୟର ୩ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ବୌଦ୍ଧ, କୋରାପୁଟ ଓ ସମ୍ବଲପୁରରେ ଟିକାଦାନ ବନ୍ଦ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା ବେଳେ ଏହା ପୂର୍ବରୁ ୧୨ଟି ଜିଲ୍ଲାରେ ଟିକାର ଅଭାବ ପାଇଁ ଟିକାଦାନ ବନ୍ଦ ରଖାଯାଇଥିଲା। ରାଜ୍ୟରେ ଶୁକ୍ରବାର ସଂଧ୍ୟାରେ ରାଜ୍ୟ ସରକାର ବରାଦ ଦେଇଥିବା ୧.୫ ଲକ୍ଷ ଡୋଜ୍‌ର ‘କୋଭାକ୍ସିନ୍’ ଟିକା ଓଡ଼ିଶାରେ ପହଞ୍ଚିଛି। ଆଜିଠାରୁ ରାଜ୍ୟରେ ୧୮-୪୪ବର୍ଷର ଲୋକଙ୍କ ପାଇଁ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା କେବଳ ବିଏମ୍‌ସି ଅଞ୍ଚଳରେ ଦିଆଯିବ। ତେବେ ଆସନ୍ତା ଦୁଇଦିନ ସପ୍ତାହାନ୍ତ ସଟ୍‌ଡାଉନ୍ ପାଇଁ ଟିକାଦାନ ବନ୍ଦ ରହିଥିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେଣୁ ଆସନ୍ତା ୩ ତାରିଖରୁ କୋ-ୱିନ୍ ଆପ୍‌ରେ ପଞ୍ଜୀକରଣ କରିଥିବା ବ୍ୟକ୍ତିଙ୍କୁ ଟିକା ଦିଆଯିବ।

ତେବେ ଆଜି ଟ୍ରାଏଲ‌ରେ କିଛି ହିତାଧିକାରୀଙ୍କୁ ଟିକା ଦିଆଯାଇ‌ପାରେ ବୋଲି କୁହାଯାଉଛି। ଅପରପକ୍ଷରେ ଆଜି ରାଜ୍ୟରେ ୪୫୧ ଟିକାଦାନ କେନ୍ଦ୍ରରେ ୮୧,୧୬୧ଜଣଙ୍କୁ ଟିକା ଦିଆଯାଇଛି। ଟିକାର ଅଭାବ ପାଇଁ ଦ୍ବିତୀୟ ଡୋଜ୍‌ର ହିତାଧିକାରୀଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଛି। ଆଜି ୪୦,୧୭୦ଜଣ ଦ୍ବିତୀୟ ଡୋଜ୍ ଓ ୩୬,୦୧୨ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୫୮ଲକ୍ଷ ୫୭ ହଜାର ୫୩୨ଜଣ ଟିକା ନେଇ ସାରିଲେଣି। ରାଜ୍ୟରେ ଆଜି ସଂଧ୍ୟା ସୁଦ୍ଧା ୪୬,୨୨୦ ଡୋଜ୍‌ର ‘କୋଭିସିଲ୍‌ଡ’ ଓ ୩ଲକ୍ଷ ୨୧ହଜାର ୬୩୦ ଡୋଜ୍ ‘କୋଭାକ୍ସିନ୍’ ମହଜୁଦ ଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର