ଟୀକାକରଣ ଟାସ୍କଫୋର୍ସ ବୈଠକ: ୯୦ ପ୍ରତିଶତରୁ ଅଧିକ ଟୀକାକରଣ କରିବାକୁ ପଦକ୍ଷେପ

ଭୁବନେଶ୍ୱର: ଟୀକାକରଣ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ବୈଠକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିସନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଟୀକାକରଣର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା। ଦୁର୍ଗମ ଅପହଞ୍ଚ ଅଞ୍ଚଳଠାରୁ ଆରମ୍ଭ କରି ସବୁ ଅଞ୍ଚଳରେ ଅନ୍ତତଃପକ୍ଷେ ୯୦ ପ୍ରତିଶତରୁ ଅଧିକ ଟୀକାକରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଡା. ମେହେର୍ଦ୍ଦା ପରମର୍ଶ ଦେଇଛନ୍ତି।

ବର୍ତ୍ତମାନ ମିଳିମିଳା ପାଇଁ ରୁବେଲା ଟୀକା, ଜାପାନିଜ ଏନ୍‌ସେଫାଲାଇଟିସ୍‌ ପାଇଁ ଟୀକାକରଣ ଏବଂ ମିଶନ ଇନ୍ଦ୍ରଧନୁଷ ଅନ୍ତର୍ଗତ ଏହି ସବୁ ଟୀକାକରଣ ନିମନ୍ତେ ତୃଣମୂଳ ସ୍ତରରୁ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ଏ ନେଇ ସଚେତନା କାର୍ଯ୍ୟକ୍ରମକୁ ବ୍ୟାପକ କରିବା, ବିଭିନ୍ନ ସରକାରୀ ବିଭାଗ ସେମାନଙ୍କ େଓ୍ଵବ ପୋର୍ଟାଲରେ ସୂଚନା ପ୍ରଦାନ କରିବା, ଗୋଷ୍ଠୀ ସ୍ତରରେ ବିଭିନ୍ନ ସଙ୍ଗଠନ ମୁଖିଆମାନଙ୍କୁ ଅପିଲ କରିବା ଓ ସହଯୋଗ ଲୋଡିବା, ମାନ୍ୟବର ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରଚାର ଓ ପ୍ରସାରଣ କରିବା ସମ୍ପର୍କରେ ଆଲୋଚନା କରାଯାଇଛି।

ଏହି ଟୀକାକରଣ ଅଭିଯାନ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଗୃହ ଓ ନିଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ, ଲାୟନ୍ସ କ୍ଲବ୍‌ ସହିତ ଯୋଗସୂତ୍ର ରକ୍ଷା କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି।  ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ସ୍ୱାସ୍ଥ୍ୟ ସଚିବ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସ୍ୱାସ୍ଥ୍ୟ ସଚିବ ଓ ମହିଳା ଓ ଶିଶୁ ବିକାଶ ସଚିବଙ୍କ ମିଳିତ ସ୍ୱାକ୍ଷରରେ ସମସ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖାଯିବ ଏବଂ ଜାତୀୟ ସ୍ୱାସ୍ଥ୍ୟମିଶନ ନିର୍ଦ୍ଦେଶିକାଙ୍କ ତରଫରୁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଟୀକାକରଣ ଗାଇଡ୍‌ ଲାଇନ୍‌ ଏବଂ ଅର୍ଥବ୍ୟୟ ସଂକ୍ରାନ୍ତରେ ପତ୍ର ଲେଖାଯିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର