ସୋମବାରଠୁ ୯ ସହରାଞ୍ଚଳରେ ୧୮-୪୪ବର୍ଗଙ୍କ ଟିକାକରଣ

୫ ଦିନରେ ଟିକାକରଣ କରିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
ରାଜ୍ୟରେ ୯୫ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ବର : ରାଜ୍ୟର ୭ଟି ଜିଲ୍ଲାର ୯ଟି ମ୍ୟୁନିସିପାଲିଟି/ଏନ୍‌ଏସିରେ ୧୮-୪୪ବର୍ଗଙ୍କ ଟିକାକରଣ ଆସନ୍ତା ସୋମବାରଠାରୁ କରାଯିବ। ରାଜ୍ୟ ସରକାର କିଣିଥିବା ‘କୋଭିସିଲ୍‌ଡ’ର ୧ଲକ୍ଷ ୧୩ହଜାର ୮ଶହ ଡୋଜ୍ ଟିକା ଆସନ୍ତା ୫ ଦିନ ଭିତରେ ଏହି ବର୍ଗର ଲୋକଙ୍କୁ ପ୍ରଦାନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଜନସଂଖ୍ୟାକୁ ନଜରରେ ରଖି ସଂପୃକ୍ତ ଜିଲ୍ଲାର ମ୍ୟୁନିସିପାଲିଟି/ଏନ୍‌ଏସକୁ ଟିକା ବଣ୍ଟନ କରାଯାଇଛି।

ବିଭାଗର ସୂଚନା ଅନୁସାରେ, ଗଞ୍ଜାମର ହିଞ୍ଜିଳିକାଟୁ/ପୋଲସରା, ଜଗତସିଂହପୁରର ପାରାଦୀପ, ଯାଜପୁରର ବ୍ୟାସନଗର, ଖୋର୍ଧାର ଜଟଣୀ, କୋରାପୁଟର ଜୟପୁର, ସୁନାବେଡ଼ା, ନୂଆପଡ଼ାର ଖରିଆର ରୋଡ୍‌ ଓ ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ଟିକାକରଣ କରାଯିବ। କୋରାପୁଟ ଜିଲ୍ଲାକୁ ସର୍ବାଧିକ ୩୫,୧୦୦ ଡୋଜ୍ ଆବଣ୍ଟିତ ହୋଇଥିବା ବେଳେ ପାରାଦୀପ ମ୍ୟୁନିସିପାଲଟି ପାଇଁ ୧୭,୨୦୦ ଡୋଜ୍, ବ୍ୟାସନଗର ମ୍ୟୁନିସିପାଲଟିକୁ ୧୪,୫୦୦ ଓ ରାଜଗାଙ୍ଗପୁର ମ୍ୟୁନିସିପାଲଟି ଓ ଜଟଣୀକୁ ୧୪,୩୦୦ ଡୋଜ୍ ଲେଖାଏଁ ଆବଣ୍ଟିତ କରାଯାଇଛି।

ଅପରପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ସମୁଦାୟ ଟିକାକରଣ ୯୫ ଲକ୍ଷ ଟପିଛି। ରାଜ୍ୟରେ ଆଜି ୧ଲକ୍ଷ ୪୨ହଜାର ୯୭୦ ଡୋଜ୍ ଟିକା ଦିଆଯିବା ପରେ ସମୁଦାୟ ଟିକାକରଣ ସଂଖ୍ୟା ୯୫ଲକ୍ଷ ୧୬ହଜାର ୬୬୯କୁ ବୃଦ୍ଧି ପାଇଛି। ଆସନ୍ତାକାଲି ୯୯୬ ଅଧିବେଶନରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଟିକା ନେଇଥିବା ବର୍ଗରେ ୧୮-୪୪ବର୍ଗର ୮୫,୬୬୧ଜଣ ପ୍ରଥମ, ୫୧୧୫ଜଣ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୩୨,୧୭୬ଜଣ ପ୍ରଥମ ଓ ୧୭,୮୦୬ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ୧୮-୪୪ବର୍ଗଙ୍କ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୩ଲକ୍ଷ ୧୪ହଜାର ୫୩୩ଜଣ ପ୍ରଥମ ଓ ୧ଲକ୍ଷ ୪ହଜାର ୩୯୬ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ୫୭ଲକ୍ଷ ୪୧ହଜାର ୭୫୧ଜଣ ପ୍ରଥମ ଓ ୧୨ଲକ୍ଷ ୫୬ହଜାର ୮୩୧ଜଣ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି।

ଚଳିତ ମାସ ଶେଷ ସପ୍ତାହରୁ ଦୈନିକ ୩ଲକ୍ଷ ଟିକାକରଣ:ସ୍ବାସ୍ଥ୍ୟମନ୍ତ୍ରୀ
ଚଳିତ ମାସ ଶେଷ ସପ୍ତାହରୁ ରାଜ୍ୟରେ ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ଦିଆଯିବ। ଆସନ୍ତା ସପ୍ତାହରେ ରାଜ୍ୟକୁ ଆହୁରି ଟିକା ଆସିବ। ଫଳରେ ଟିକାକରଣକୁ ବ୍ୟାପକ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ରାଜ୍ୟରେ ଏବେ ପ୍ରାୟ ‌ଦୈନିକ ୧ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ଆସନ୍ତା ୨୧ତାରିଖ ପରଠାରୁ କେନ୍ଦ୍ର ସରକାର ୧୮-୪୪ବର୍ଗଙ୍କ ପାଇଁ ରାଜ୍ୟମାନଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ। ତେଣୁ ରାଜ୍ୟ ସରକାର ଯେତେ ଅଧିକ ଲୋକଙ୍କୁ ଟିକା ଦେଇପାରିବେ, ସେହି ଅନୁଯାୟୀ ଟିକାର ପରିମାଣର ବଢ଼ିବ। ସେ ଦୃଷ୍ଟିରୁ ରାଜ୍ୟ ସରକାର ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ। ଡା. ପାଣିଗ୍ରାହୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେ ଟିକା ଦିଆଯିବ, ତାହାର ଏକ ଟାଇମଲାଇନ୍ ଆସନ୍ତାକାଲି ଆସିବ। ତେଣୁ ଟାଇମ୍‌ଲାଇନ୍‌କୁ ଅନୁଧ୍ୟାନ କରିବା ପରେ କେତେ ଟିକା ଦିଆଯାଇପାରିବ, ସେହି ଅନୁଯାୟୀ ଟିକାକରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର