ବନ୍ଦ ହୋଇଯିବ ୧୮-୪୪ବର୍ଗଙ୍କ ଟିକାକରଣ!

ଭୁବନେଶ୍ବର : ରାଜ୍ୟରେ ୧୮-୪୪ବର୍ଗର ଟିକାକରଣ ବନ୍ଦ ହୋଇଯିବ। ଯେହେତୁ ଦୁଇ ଟିକା ଉତ୍ପାଦନକାରୀ କମ୍ପାନି ଆସନ୍ତା ୭ ଓ ୯ ତାରିଖରେ ଟିକା ଦେବାକୁ ସୂଚନା ଦେଇଛନ୍ତି। ତେଣୁ ଏହି ସମୟ ଭିତରେ ରାଜ୍ୟକୁ ଟିକା ଆସିବା ଆଶା କ୍ଷୀଣ। ରାଜ୍ୟ ପାଖରେ ଏବେ ଯେତିକି ଟିକା ମହଜୁଦ ରହିଛି ତାହାକୁ ଆହୁରି ୫ଦିନ ପର୍ଯ୍ୟନ୍ତ ବଜାୟ ରଖିବା ଏକପ୍ରକାର ଅସମ୍ଭବ। ଯଦି ଆସନ୍ତା ୨ଦିନ ଭିତରେ ରାଜ୍ୟକୁ ଟିକା ନ ଆସେ ତାହେଲେ ଏହି ବର୍ଗର ଟିକାକରଣ ବାଧାପ୍ରାପ୍ତ ହେବ।

ରାଜ୍ୟରେ ୧୮-୪୪ବର୍ଗର ଟିକାକରଣ ୫ଟି ମ୍ୟୁନିସିପାଲଟି ସମେତ ୬ଟି ଜିଲ୍ଲାରେ କରାଯାଉଛି। ଟିକା ଅଭାବରୁ ଭୁବନେଶ୍ବରରେ ପ୍ରଥମ ଡୋଜ୍‌କୁ ବନ୍ଦ କରି ଦିଆଯାଇଛି। ରାଜ୍ୟର ଅନ୍ୟ ସ୍ଥାନରେ ‘କୋଭିସିଲ୍ଡ’ ଟିକା ଦିଆଯାଉଛି। ଆଜି ସଂଧ୍ୟା ସୁଦ୍ଧା ରାଜ୍ୟରେ ୧୦,୩୯୦ ଟିକା ମହଜୁଦ ରହିଛି। ଯାହାକି ଦିନେ କିମ୍ବା ଦୁଇଦିନରେ ଶେଷ ହୋଇଯିବାର ଆଶଙ୍କା ଦେଖା ଦେଇଛି।

ଟିକାର ଅଭାବ କାରଣରୁ ରାଜ୍ୟରେ ୧୮-୪୪ବର୍ଗଙ୍କ ଟିକାକରଣ ଧିମେଇ ଯାଇଛି। ପୂର୍ବରୁ ଦୈନିକ ୧୫-୨୦ହଜାର ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ଆଜି ୬୬୨୯ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ଏହାସହ ୩୬୫ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ୪୫ବର୍ଷରୁ ଅଧିକ ୬୧,୫୮୧ଜଣ ପ୍ରଥମ ଓ ୨୩୪୫ଜଣ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ସମୁଦାୟ ୭୨,୫୨୪ଜଣ ଆଜି କରୋନା ଟିକା ନେଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୭୯ଲକ୍ଷ ୩୫ହଜାର ୧୨୧ଜଣ ଟିକା ନେଇ ସାରିଲେଣି। ଆସନ୍ତାକାଲି ରାଜ୍ୟରେ ୮୦୯ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ। ମାତ୍ର ବାଲେଶ୍ବରରେ ଟିକାକରଣ ବନ୍ଦ ରହିବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ୪୫ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ପାଇଁ ରାଜ୍ୟକୁ ଦିଆଯାଉଥିବା ଟିକାକୁ ୧୮-୪୪ବର୍ଗର ଟିକାକରଣ ପାଇଁ ଅନୁମତି ଲୋଡ଼ିଛନ୍ତି। ଯଦି କେନ୍ଦ୍ର ସରକାର ଏହାର ଅନୁମତି ପ୍ରଦାନ କରିନ୍ତି ତାହେଲେ ଭୁବନେଶ୍ବରରେ ପୁଣିଥରେ ପ୍ରଥମ ଡୋଜ୍ ଟିକାକରଣ ହୋଇପାରେ ବୋଲି ଆଶା କରାଯାଉଛି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଟିକା କମ୍ପାନିମାନେ ଆସନ୍ତା ୭ତାରିଖ ବେଳକୁ ଟିକା ଦେବାକୁ କହିଛନ୍ତି। ଯଦି ଏହି ସମୟ ଭିତରେ ସେମାନେ ପଠାଇ ଦିଅନ୍ତି ତାହେଲେ ଟିକାକରଣ ବାଧାପ୍ରାପ୍ତ ହେବାରୁ ବଞ୍ଚି ଯାଇପାରେ। ନଚେତ୍ ୧୮-୪୪ବର୍ଗର ଟିକାକରଣ କିଛିଦିନ ପାଇଁ ବନ୍ଦ ହୋଇଯିବ। ମାତ୍ର ୪୫ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ଜାରି ରହିବ ବୋଲି ଡା.ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର