ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ୧୦ଲକ୍ଷ ନିକଟତର

‘କୋଭିସିଲ୍‌ଡ’ର ଦୁଇ ଡୋଜ୍ ଭିତରେ ୬-୮ ସପ୍ତାହ ବ୍ୟବଧାନ ରଖ
ଆଜି ଆସିବ ୩.୭ଲକ୍ଷ ‘କୋଭିସିଲ୍‌ଡ’

ଭୁବନେଶ୍ବର : ରାଜ୍ୟରେ ୬୦ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ୯ଲକ୍ଷ ୬୪ ହଜାର ୧୬୧ଜଣ ବ୍ୟକ୍ତି ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ତେବେ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା, ୪୫ରୁ ୫୯ବର୍ଷର ଜଟିଳ ରୋଗ ଥିବା ଲୋକଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୮ଲକ୍ଷ ୮୧ହଜାର ୯୦୬ଜଣ ଲୋକ ଟିକା ନେଇ ସାରିଲେଣି।

ଅପରପକ୍ଷରେ କେନ୍ଦ୍ର ସରକାର ‘କୋଭିସିଲ୍‌ଡ’ ଟିକା ନେଇଥିବା ଲୋକଙ୍କ ପାଇଁ ଦୁଇ ଡୋଜ୍‌ର ବ୍ୟବଧାନ ୬ରୁ ୮ସପ୍ତାହକୁ ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତାରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଜାରି ହୋଇଛି। ପୂର୍ବରୁ ଦୁଇ ଡୋଜ୍ ଭି‌ତରେ ବ୍ୟବଧାନ ୪-୬ ସପ୍ତାହ ରହିଥିଲା। ଟିକାକୁ ନେଇ ‌ଆସିଥିବା ନୂଆ ବୈଜ୍ଞାନିକ ପ୍ରମାଣକୁ ନଜରରେ ରଖି କେନ୍ଦ୍ର ସରକାର ଦୁଇ ଡୋଜ୍‌ରେ ରହିଥିବା ବ୍ୟବଧାନକୁ ବୃଦ୍ଧି କରିଛନ୍ତି।

ଆଜି ଗୋଟିଏ ଦିନରେ ରାଜ୍ୟରେ ୯୭,୦୬୭ଜଣଙ୍କୁ ଟିକା ଦିଆଯାଇଛି। ଏଥିରେ ୬୦ବର୍ଷରୁ ଅଧିକ ୮୩,୫୦୫ଜଣ, ଜଟିଳ ରୋଗଧାରୀ ୪୫-୫୯ବର୍ଷର ୫୮୬୨, ୬୩୪ଜଣ ପ୍ରଥମ ଡୋଜ୍‌ ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀ, ୧୮୭୩ ଦ୍ବିତୀୟ ଡୋଜ୍, ୭୬୨ ଆଗଧାଡ଼ିର ଯୋଦ୍ଧା ପ୍ରଥମ ଡୋଜ୍, ୪୪୩୧ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାରେ ୨ଜଣଙ୍କଠାରେ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଏବେ ସୁଦ୍ଧା ୯୨.୪ ପ୍ରତିଶତ ପ୍ରଥମ ଡୋଜ୍, ୮୫.୯ପ୍ରତିଶତ ଦ୍ବିତୀୟ ଡୋଜ୍, ଆଗଧାଡ଼ିର ଯୋଦ୍ଧା ୮୦.୫ ପ୍ରତିଶତ ପ୍ରଥମ ଡୋଜ୍ ଓ ୮୬.୬ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି।

ଅପରପକ୍ଷରେ ରାଜ୍ୟ ସରକାର ଦୈନିକ ୧ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏଥିପାଇଁ ୨୫ଲକ୍ଷ ଡୋଜ୍‌ର ଟିକା ପ୍ରଦାନ କରିବା ଲାଗି କେନ୍ଦ୍ରକୁ ଚିଠି ଲେଖିଥିଲେ। ଆସନ୍ତାକାଲି ୩.୭ଲକ୍ଷ ‘କୋଭିସିଲ୍‌ଡ’ ଟିକା ରାଜ୍ୟରେ ପହଞ୍ଚିବ ବୋ‌ଲି ସୂଚନା ଦେଇଛନ୍ତି ରାଜ୍ୟ ଟିକାକରଣ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ।

ସମ୍ବନ୍ଧିତ ଖବର