୫ ସୁଦ୍ଧା ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଦିଆଯିବ ବୁଷ୍ଟର ଡୋଜ୍ ଟିକା

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ମାନ୍ୟତା ଦିଆଯାଇଛି। ତେଣୁ ସମସ୍ତ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍ ଟିକା ଦେବାକୁ ରାଜ୍ୟ ନିର୍ବାଚନ କମିସନର କହିଛନ୍ତି। ଦ୍ବିତୀୟ ଡୋଜ୍ ନେବାର ୯୦ଦିନ ପୂରଣ କରିଥିଲେ ସେମାନେ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି। ତେଣୁ ଆସନ୍ତା ୫ତାରିଖ ସୁଦ୍ଧା ‌ସମସ୍ତ ବୁଷ୍ଟର ଡୋଜ୍ ଟିକାକରଣ ଶେଷ କରିବା ଲାଗି ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି। ଦ୍ବିତୀୟ ଡୋଜ୍ ଟିକା ନେବାର ୬ମାସ ପରେ ସାଧାରଣଭାବେ ବୁଷ୍ଟର ଡୋଜ୍ ନେଇପାରିବେ। ମାତ୍ର ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ କ୍ଷେତ୍ରରେ ଏହା ୯୦ଦିନ ରଖାଯାଇଛି। ଆଜିଠାରୁ ସେମାନଙ୍କ ଟିକାକରଣ ଆରମ୍ଭ ହୋଇଛି। ପ୍ରାୟ ୧ଲକ୍ଷ କର୍ମଚାରୀଙ୍କୁ ଟିକା ଦିଆଯିବ। ଆସନ୍ତା ୫ତାରିଖ ସୁଦ୍ଧା ଏହାକୁ ଶେଷ କରିବାକୁ ନିର୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ।

ମଙ୍ଗଳବାର ରାଜ୍ୟରେ ୩୦୭୫ ଟିକାକରଣ ଅଧିବେଶନରେ ୧ଲକ୍ଷ ୯୧ହଜାର ୨୧୮ ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଟିକାକରଣ ୫କୋଟି ୭୨ଲକ୍ଷ ୮୯ହଜାର ୭୫୩କୁ ବୃଦ୍ଧି ପାଇଛି। ୧୮-୪୪ବର୍ଷର ୯୦ ପ୍ରତିଶତ, ୪୫ବର୍ଷରୁ ଅଧିକ ୯୪ ପ୍ରତିଶତ ନିଜର ପ୍ରଥମ ଡୋଜ୍ ନେଇଛନ୍ତି। ଏହାସହ ୧୫-୧୮ବର୍ଷର ୬୪ ପ୍ରତିଶତ ପ୍ରଥମ ଡୋଜ୍ ନେଇ ସାରିଲେଣି। ଆସନ୍ତାକାଲି ୩୧୯୦ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର