ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଆଜିଠାରୁ

ଟିକା ନେଇ ମନୋବଳ ବଢ଼ାଇଲେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଟିକା ନେବେ

ଭୁବନେଶ୍ବର : ଆଜିଠାରୁ ରାଜ୍ୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଡାଟାବେସ୍ ପ୍ରସ୍ତୁତ ହୋଇ ସାରିଛି। ସବୁ ଜିଲ୍ଲାପାଳ, ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ଓ ଆରକ୍ଷୀ ଅଧୀକ୍ଷକମାନେ ଟିକା ନେବେ। ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟିଅରିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବରିଷ୍ଠ ଅଧିକାରୀମାନେ ଟିକା ନେବା ପରେ ଫଟୋ ସହିତ ଏହାକୁ ଟୁଇଟ୍‌ କରିବାକୁ କୁହାଯାଇଛି। କରୋନା ଟିକା ସୁରକ୍ଷିତ ଓ ଏହାର କୌଣସି ପାର୍ଶ୍ବପ୍ରତିକ୍ରିୟା ନାହିଁ ବୋଲି ସେମାନେ ଜଣାଇବେ। ଫଳରେ ଅନ୍ୟମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ଆତ୍ମବିଶ୍ବାସ ବଢ଼ିବ। ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ତ୍ବରାନ୍ବିତ ହେବ ବୋଲି କୁହାଯାଇଛି।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ଜାରି ରହିଛି। ଆସନ୍ତାକାଲିଠାରୁ ଆଗଧାଡ଼ିର ଯୋଦ୍ଧା ଯଥା ପୁଲିସ, ରାଜସ୍ବ ଓ ନଗର ଉନ୍ନୟନ ବିଭାଗର କର୍ମଚାରୀଙ୍କୁ ଟିକା ଦିଆଯିବ। ଆସନ୍ତା ୩ ସପ୍ତାହ ଭିତରେ ଏହି ଟିକାକରଣ ଶେଷ କରିବା ଲାଗି ନିଷ୍ପତ୍ତି ହୋଇଛି। ୧ଲକ୍ଷ ୯୨ହଜାର ଆଗଧାଡ଼ିର ଯୋଦ୍ଧା ଏ ପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଛନ୍ତି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ପୌର କମିସନର୍‌, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି। ମେଡିକାଲ ଛଡ଼ା ବିକଳ୍ପ ଟିକାଦାନ କେନ୍ଦ୍ର ପାଇଁ ସ୍ଥାନ ଚୟନ କରାଯାଉ। କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସ୍ବାସ୍ଥ୍ୟକର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। ଟିକା ଯେମିତି ଅପଚୟ ନ ହୁଏ, ସେଥିପାଇଁ ବିକଳ୍ପ କର୍ମଚାରୀଙ୍କୁ ତାଲିମ ଦିଆଯିବାକୁ ପରାମର୍ଶ ରହିଛି। ଠିକା ଟିକାକର୍ମୀଙ୍କୁ ଦୈନିକ ୫ଶହ ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି ଚିଠିରେ ନିର୍ଦେଶ ଦିଆଯାଇଛି।
ଆସନ୍ତା ୧୦ ତାରିଖ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ଶେଷ ହେବ। ହେଲେ ରାଜ୍ୟର କିଛି ଜିଲ୍ଲାରେ ଟିକାକରଣ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏବେ ବି ଅନେକ ସ୍ବାସ୍ଥ୍ୟକର୍ମୀ ଟିକା ନେଇନାହାନ୍ତି। ତେଣୁ ସ୍ବାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇବା ଲାଗି ଆଜି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଟିକା ନେଇଛନ୍ତି। ଶ୍ରୀ ମହାପାତ୍ର ଆଜି କ୍ୟାପିଟାଲ ହସ୍ପିଟାଲରେ ଟିକା ନେବା ସହିତ ଅନ୍ୟମାନଙ୍କୁ ଟିକା ନେବା ପାଇଁ ଆଗେଇ ଆସିବା ଲାଗି ଆହ୍ବାନ କରିଛନ୍ତି। ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଦ୍ବିତୀୟ ଡୋଜ୍ ଟିକାକରଣ ଆରମ୍ଭ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର