ଆଗଧାଡ଼ିର ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ, ଟିକା ନେଲେ ପୁଲିସ ଡିଜି, ଜିଲ୍ଲାପାଳ, ଏସ୍‌ପି

ପ୍ରଥମ ଦିନରେ ୯୩ ପ୍ରତିଶତ ଲକ୍ଷ୍ୟ ପୂରଣ, ଟିକା ନେଲେଣି ‌ଅଢ଼େଇ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହୋଇଛି। କରୋନା ସଂକ୍ରମଣ ସମୟରେ ଆଗରେ ରହି ସେବା ଯୋଗାଇଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ଆଜି ରାଜ୍ୟ ପୁଲିସ ମହାନିର୍ଦେଶକ, ସବୁ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ନିରୀକ୍ଷକଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଟିକା ନେଇଛନ୍ତି। ଟିକା ନେବା ପରେ ବରିଷ୍ଠ ଅଧିକାରୀମାନେ ସେମାନଙ୍କ ଫଟୋ ଛାଡ଼ିଛନ୍ତି ଏବଂ କୌଣସି ଗୁଜବରେ ବିଶ୍ବାସ ନ କରି ଟିକା ନେବା ଲାଗି ସେମାନେ ଆହ୍ବାନ କରିଛନ୍ତି। କଟକରେ ପୁଲିସ ଡିଜି ଅଭୟ ଓ ଦ୍ବୈତନଗରୀର କମିସନର ସୁଧାଂଶୁ ଷଡ଼ଙ୍ଗୀ ଓ ବନ୍ୟ ଅଧିକାରୀମାନେ ଟିକା ନେଇଥିବାବେଳେ ଭୁବନେଶ୍ବରରେ ଡିସିପି ଉମାଶଙ୍କର ଦାସ ଓ ଜୋନ୍ ଏସିପିମାନେ ପୁଲିସ କର୍ମଚାରୀମାନଙ୍କ ସହ ଟିକା ନେଇଛନ୍ତି। ପ୍ରଥମ ଦିନରେ ୯୩ ପ୍ରତିଶତ ଆଗଧାଡ଼ିର ଯୋଦ୍ଧା ଟିକା ନେଇଥିବା ଜଣାପଡ଼ିଛି।

ଏହାସହ ପୂର୍ବରୁ ଜାରି ରହିଥିବା ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ଆଜି ୬୮.୮ ପ୍ରତିଶତ ହୋଇଛି। ଉଭୟ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ମିଶାଇଲେ ରାଜ୍ୟରେ ଗୋଟିଏ ଦିନରେ ମୋଟ ୮୧.୩ ପ୍ରତିଶତ ଟିକାକରଣ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ କାହାରି ନିକଟରେ କୌଣସି ପାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୧୭୩ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ସର୍ବନିମ୍ନ ୩୩ ପ୍ରତିଶତ ଓ ବୌଦ୍ଧରେ ୬୫ ପ୍ରତିଶତ ଟିକାକରଣ ହୋଇଛି। ଆଜି ସମୁଦାୟ ୧୦ଟି ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ ସମ୍ଭବ ହୋଇପାରିଛି।

ରାଜ୍ୟରେ ଆଜି ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ମିଶାଇ ସମୁଦାୟ ୪୪୯ ଅଧିବେଶନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୪୩୦ ଅଧିବେଶନ ଆୟୋଜିତ ହୋଇଥିଲା। ୪୮,୪୪୬ଜଣଙ୍କ ମଧ୍ୟରୁ ୩୯,୩୭୫ଜଣ ଟିକା ନେଇଥିଲେ। ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ଆଜି ୨୦୯ଟି ଅଧିବେଶନ ଆୟୋଜିତ ହୋଇଥିବା ବେଳେ ଏଥିରେ ୨୨,୯୮୬ଜଣ ଟିକା ନେଇଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୭୪୯, ସୁନ୍ଦରଗଡ଼ରେ ୧୧୮୭, ନୟାଗଡ଼ରେ ୧୧୩୩, ଖୋର୍ଧା‌ରେ ୧୦୫୬, କେନ୍ଦ୍ରାପଡ଼ାରେ ୧୦୪୫ ଓ ଦେବଗଡ଼ରେ ୧୫୮ଜଣ ଟିକା ନେଇଛନ୍ତି। ରାଜ୍ୟରେ ସମୁଦାୟ ୧ଲକ୍ଷ ୯୨ହଜାର ଆଗଧାଡ଼ିର ଯୋଦ୍ଧା ପଞ୍ଜୀକୃତ ହୋଇଥିବା ବେଳେ ଆସନ୍ତା ୩ ସପ୍ତାହ ଭିତରେ ଟିକାକରଣ ଶେଷ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ସେହିପରି ୨୨୧ ଅଧିବେଶନରେ ୨୩,୮୧୭ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୧୬,୩୮୯ଜଣ ଟିକା ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ସମୁଦାୟ ୩ଲକ୍ଷ ୩୮ହଜାର ୭ଶହ ସ୍ବାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଥିବା ବେଳେ ଏ ଯାଏ ୭୪.୪ ପ୍ରତିଶତ ହାରରେ ୨ଲକ୍ଷ ୫୨ହଜାର ୬୯ଜଣ ଟିକା ନେଇଛନ୍ତି। କଟକ, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ୭୦ ପ୍ରତିଶତରୁ ଅଧିକ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି। ଆସନ୍ତା ୧୦ ତାରିଖରେ ପ୍ରଥମ ଡୋଜ୍ ଟିକାକରଣ ଶେଷ ହେବ। ଆସନ୍ତା ୪ ଦିନରେ ୮୬,୬୩୧ଜଣଙ୍କୁ ଟିକା ପ୍ରଦାନ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଟିକା ନେବା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉ ନଥିବାରୁ କଟକ ଜିଲ୍ଲାପାଳ ସେମାନଙ୍କ ଦରମା ବନ୍ଦ କରିବା ଭଳି ନିଷ୍ପତ୍ତି ନେଇଛନ୍ତି। ଏହାସହ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମଧ୍ୟ ଗତକାଲି ଟିକା ନେଇ ସ୍ବାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।

ସମ୍ବନ୍ଧିତ ଖବର