ଦିନକରେ ଲକ୍ଷେ ବୟସ୍କଙ୍କୁ ଟିକା

ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନରେ ୧ଲକ୍ଷରୁ ଅଧିକ ବୟସ୍କ(୪୫-୫୯ବର୍ଷ, ୬୦ରୁ ଅଧିକ)ଙ୍କୁ କରୋନା ଟିକା ଦିଆଯାଇଛି। ପ୍ରତିଦିନ ୧ଲକ୍ଷ ବୟସ୍କଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିବାର ପ୍ରଥମ ଦିନରେ ଏହି ଲକ୍ଷ୍ୟ ପୂରଣ ହୋଇଛି। ଲକ୍ଷାଧିକ ବୟସ୍କଙ୍କୁ ଟିକା ଦିଆଯାଇଥିଲେ ହେଁ, ଜଣେ ହେଲେ ଲୋକଙ୍କଠାରେ ଟିକାର କୌଣସି ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୪ଲକ୍ଷ ୪୬ହଜାର ୬୨୮ଜଣ ବୟସ୍କ ଲୋକ ଟିକା ନେଇ ସାରିଲେଣି। ତେବେ ଟିକାକରଣ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା ଓ ୪୫-୫୯ବର୍ଷର ଲୋକଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୧୨ଲକ୍ଷ ୮୧ହଜାର ୩୬୨ଜଣ ଟିକା ନେଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୋମବାର ଦିନ ଲକ୍ଷେ ବୟସ୍କଙ୍କୁ ଟିକା ଦେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହୋଇଛି। ଏଥିରେ ୬୦ବର୍ଷରୁ ଅଧିକ ୯୫,୫୭୬ ବ୍ୟକ୍ତି ରହିଥିବା ବେଳେ ଜଟିଳ ରୋଗ ଥିବା ୪୫-୫୯ବର୍ଷର ୪୬୯୭ଜଣ ଲୋକ ରହିଛନ୍ତି। ସମୁଦାୟ ୧ଲକ୍ଷ ୨୭୩ଜଣ‌ ଲୋକ ଗୋଟିଏ ଦିନରେ ଟିକା ନେଇଛନ୍ତି। ଗଞ୍ଜାମରେ ସର୍ବାଧିକ ୧୨,୬୪୯ଜଣ ଟିକା ନେଇଥିବା ବେଳେ କୋରାପୁଟ ୮୫୮୩, ବାଲେଶ୍ବର ୭୯୧୮, ଭଦ୍ରକ ୫୦୫୫, କଟକ ୪୫୫୬ ଓ ଭୁବନେଶ୍ବରରେ ୩୬୭୫ଜଣ ବୟସ୍କ ବ୍ୟକ୍ତି ଟିକା ନେଇଛନ୍ତି। ସେହିପରି ନିୟମିତ ଭାବେ ଚାଲିଥିବା ଅନ୍ୟ ଟିକାକରଣରେ ୫୮୨ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍, ୪୭୩୮ଜଣଙ୍କୁ ଦ୍ବିତୀୟ ଡୋଜ୍, ୮୧୭ଜଣ ଆଗଧାଡ଼ିର ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଓ ୧୫,୧୬୨ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା ଓ ବୟସ୍କ ବ୍ୟକ୍ତିଙ୍କୁ ମିଶାଇ ଗୋଟିଏ ଦିନରେ ୧ଲକ୍ଷ ୨୧ହଜାର ୫୭୨ଜଣଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୯୧.୩ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇ ସାରିଥିବା ବେଳେ ୮୨.୪ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୭୮.୭ ପ୍ରତିଶତ ପ୍ରଥମ ଡୋଜ୍ ଓ ୭୬.୮ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ଅପରପକ୍ଷରେ ଖରାଦିନକୁ ନଜରରେ ରଖି ରାଜ୍ୟ ସରକାର ଟିକାଦାନ କେନ୍ଦ୍ର ସଂଖ୍ୟା ୭ଶହକୁ ବୃଦ୍ଧି କରିଛନ୍ତି। ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ି ଯୋଦ୍ଧାଙ୍କ ଟିକାଦାନ ଲକ୍ଷ୍ୟ ପ୍ରାୟତଃ ହାସଲ ହୋଇ ସାରିଥିବା କହିଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ।

ସମ୍ବନ୍ଧିତ ଖବର