ବିଳମ୍ବ ହେବ ୧୮ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ

ମେ’ମାସ ମଧ୍ୟଭାଗରେ ପହଞ୍ଚିପାରେ ଟିକା, ଆଜିଠୁ ଟିକା ପାଇଁ ପଞ୍ଜୀକରଣ

ଭୁବନେଶ୍ବର : ଅନିଶ୍ଚିତତା ଘେରରେ ରାଜ୍ୟରେ ୧୮ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ। ଆସନ୍ତା ମେ’ ପହିଲାରୁ ଦେଶବ୍ୟାପୀ ୧୮ବର୍ଷରୁ ‌ଅଧିକ ଲୋକଙ୍କ ଟିକାକରଣ ପାଇଁ ଘୋଷଣା ହୋଇଥିବା ବେ‌ଳେ ଓଡ଼ିଶାରେ ଟିକା ‌ପାଇଁ ଏହା ବିଳମ୍ବ ହୋଇପାରେ। ‘କୋଭାକ୍ସିନ୍’ ଓ ‘କୋଭିସିଲ୍‌ଡ’ ଟିକା ଯୋଗାଉଥିବା କମ୍ପାନିଙ୍କ ପକ୍ଷରୁ ଟିକା ପ୍ରଦାନରେ ବିଳମ୍ବ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ତୃତୀୟ ପର୍ଯ୍ୟାୟ ଟିକାକରଣରେ ରାଜ୍ୟରେ ୧.୯୩ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। କିଛିଦିନ ପୂର୍ବରୁ ଦୁଇ ଟିକା ପ୍ରସ୍ତୁତକାରୀ କମ୍ପାନି ରାଜ୍ୟ ସରକାରଙ୍କୁ ଯେଉଁ ଦରରେ ଟିକା ଯୋଗାଇବେ ତାହାର ଦର ଧାର୍ଯ୍ୟ କରିଥିଲେ। ‘କୋଭିସିଲ୍‌ଡ’ ୪ଶହ ଟଙ୍କା ଓ ‘କୋଭାକ୍ସିନ୍’ ୬ଶହ ଟଙ୍କା ରହିଛି। ରାଜ୍ୟ ସରକାର ୩.୭୭ କୋଟିର ‘କୋଭସିଲ୍‌ଡ’ ଓ ୧୦.୩୪ ଲକ୍ଷର ‘କୋଭାକ୍ସିନ୍’ ଟିକା ପାଇଁ ଅର୍ଡର କରିଛନ୍ତି। ତେବେ ମେ’ ମାସ ୧୫ତାରିଖ ପୂର୍ବରୁ ଦୁଇ କମ୍ପାନିର ଟିକା ରାଜ୍ୟକୁ ଆସିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇଯାଇଛି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ଆସନ୍ତା ମେ’ ୧୫ତାରିଖ ବେଳକୁ ‘କୋଭାକ୍ସିନ୍’ ଟିକା ପହଞ୍ଚିବା ନେଇ ଆଶା କରାଯାଉଛି। ମାତ୍ର ‘କୋଭିସିଲ୍‌ଡ’ ଆସିବା ବେଳକୁ ପ୍ରାୟତଃ ଜୁନ୍ ମାସ ହୋଇପାରେ। ‌ହେଲେ ଯେଉଁ ଟିକା ଆଗେ ଆସିବ ତାହାକୁ ନେଇ ରାଜ୍ୟରେ ୧୮-୪୪ବର୍ଷର ଲୋକଙ୍କ ଟିକାକରଣ କରାଯିବ।

ଅପରପକ୍ଷରେ ଆସନ୍ତାକାଲିଠାରୁ ଟିକାକରଣ ନେଇ ପଞ୍ଜୀକରଣ ଆରମ୍ଭ ହେବ। ଲୋକମାନେ କୋ-ୱିନ୍ ଆପ୍‌କୁ ଯାଇ ନିଜର ପଞ୍ଜୀକରଣ କରିପାରିବେ। ଯିବେ ଟିକା ମିଳିବ ସେହି ଅନୁଯାୟୀ ଲୋକଙ୍କୁ ସ୍ଲଟ୍‌ ଦିଆଯିବ। ତେବେ ୪୫ବର୍ଷରୁ ଅଧିକ ‌ଲୋକଙ୍କ ପୂର୍ବଭଳି ଟିକାକରଣ ଜାରି ରହିବ ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟରେ ମଙ୍ଗଳବାର ୬୧୭ଟି ଟିକାଦାନ କେନ୍ଦ୍ରରେ ୬୫,୭୬୬ ଜଣଙ୍କୁ ‌କରୋନା ଟିକା ଦିଆଯାଇଛି। ଏଥିରେ ୪୫ ବର୍ଷରୁ ଅଧିକ ୩୫,୦୫୦ ଜଣଙ୍କୁ ପ୍ରଥମ ଓ ୨୭,୫୨୩ଜଣଙ୍କୁ ଦ୍ବିତୀୟ ଡୋଜର ଟିକା ଦିଆଯାଇଛି। ଆଜି ଗଞ୍ଜ‌ାମ ଜିଲାରେ ଜଣଙ୍କଠାରେ ଟିକାର ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ‌ଦେଖିବାକୁ ମିଳିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୫୭ଲକ୍ଷ ୪ ହଜାର ୯୧୬ ଜଣ ଟିକା ନେଇ ସାରିଲେଣି। ଆସନ୍ତାକାଲି ଯାଜପୁର ଓ କେନ୍ଦୁଝର ଜିଲାରେ ଟିକାକରଣ ବନ୍ଦ ରହିବ। ତେଣୁ ସମୁଦାୟ ୪୬୪ଟି ଅଧିବେଶନ ଆୟୋଜିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ୫୪,୦୪୦ କୋଭିସିଲ୍‌ଡ ଓ ୩ଲକ୍ଷ ୫୬ ହଜାର ୯୯୦ ଡୋଜର କୋଭାକ୍ସିନ ଟିକା ଉପଲବ୍ଧ ଅଛି। ଅନ୍ୟପଟେ ରାଜ୍ୟ ସରକାର ଆଜି ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା, ୪୫ ବର୍ଷରୁ ଅଧିକ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଟିକା ୧୮ ବର୍ଷରୁ ଅଧିକ ଲୋକଙ୍କ ଟିକାଦାନ କ୍ଷେତ୍ରରେ ବ୍ୟବହାର ନ କରିବା ପାଇଁ ଚିଠି ଜାରି ହୋଇଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ, ନଗର ନିଗମ ଓ ସିଡିଏମଓଙ୍କୁ ଏ ବାବଦରେ ଚିଠି ଲେଖିଛନ୍ତି। ଟିକାଦାନରେ ନିୟୋଜିତ ହୋଇଥିବା ଡାକ୍ତର, ପ୍ରୋଗ୍ରାମ ମ୍ୟାନେଜର, ଟିକା ପ୍ରଦାନକାରୀମାନଙ୍କୁ ଏ ସମ୍ପର୍କିତ ସୂଚନା ପ୍ରଦାନ କରିବାକୁ ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର