୧୫ ପରେ ଗର୍ଭବତୀଙ୍କ ଟିକାକରଣ

ଟିକା ନେବାକୁ ଧାଡ଼ିରେ ଠିଆ ହେବେନି, ଏକ ନିର୍ଦ୍ଦିଷ୍ଟ ଦିନରେ ଟିକା ନେଇପାରିବେ

ରାଜ୍ୟ ସରକାର ଜାରି କଲେ ଅତିରିକ୍ତ ନିର୍ଦେଶାବଳୀ

ଭୁବନେଶ୍ବର : ଆସନ୍ତା ୧୫ ତାରିଖ ପରେ ରାଜ୍ୟରେ ଗର୍ଭବତୀମାନଙ୍କର ଟିକାକରଣ ଆରମ୍ଭ ହେବ। ଯେଉଁ ଜିଲ୍ଲାରେ ଲୋକମାନଙ୍କୁ ଯେଉଁ ଟିକା ଦିଆଯାଉଛି, ସେମାନଙ୍କୁ ସେହି ଟିକା ହିଁ ଦିଆଯିବ। ୧୫ ତାରିଖ ପୂର୍ବରୁ ଏଏନ୍‌ଏମ୍, ଆଶା, ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ତାଲିମ୍‌ ଶେଷ କରିବା ପାଇଁ କୁହାଯାଇଛି। ଏଥିପାଇଁ ଗର୍ଭବତୀ ମହିଳାଙ୍କ ତାଲିକା ପ୍ରସ୍ତୁତ ସହିତ ଏକ ନିର୍ଦ୍ଦିଷ୍ଟ ଦିନରେ ହିଁ ସେମାନଙ୍କୁ ଟିକା ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ସବୁ ଜିଲ୍ଲାପାଳ, ସିଡ଼ିଏମଓ ମାନଙ୍କୁ ଚିଠି ଲେଖିଛନ୍ତି।

ଗର୍ଭବତୀ ମହିଳାଙ୍କ ଟିକାକରଣ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଦିଆଯାଇଛି। କେନ୍ଦ୍ର ସରକାର ମଧ୍ୟ ଏନେଇ ଏକ ନିର୍ଦେଶାବଳୀ ଦେଇଛନ୍ତି। ରାଜ୍ୟ ସରକାର ଏହାକୁ ଭିତ୍ତି କରି ଅତିରିକ୍ତ ନିର୍ଦେଶାବଳୀ ଜାରି କରିଛନ୍ତି। ଏଥିରେ ଆସନ୍ତା ୧୦ ତାରିଖ ସୁଦ୍ଧା ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ପ୍ରକଳ୍ପ ଅଧିକାରୀ ଏବଂ ୧୨ତାରିଖ ସୁଦ୍ଧା ଷ୍ଟାଫନର୍ସ, ଏଏନ୍‌ଏମ୍‌ ଓ ଟିକା ପ୍ରଦାନକାରୀଙ୍କ ତାଲିମ୍‌ କାର୍ଯ୍ୟ ଶେଷ କରିବା ପାଇଁ କୁହାଯାଇଛି। ଏହାସହ ଆଇଏମଏ, ଆଇଏପି, ଏନଏନଏଫ, ଏଫଓଜିଏସଆଇ ଓ ଅନ୍ୟ ପେଶାଗତ ସଂସ୍ଥାମାନଙ୍କ ଓରିଏଣ୍ଟେସନ୍‌ କରାଯିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଟିକା ଦେବା ପୂର୍ବରୁ ଗର୍ଭବତୀ ମହିଳାଙ୍କ କାଉନସେଲିଂ କରାଯିବ ଓ ଏଏନ୍‌ଏମ୍‌ଙ୍କୁ ଏହାର ଦାୟିତ୍ବ ଦିଆଯାଇଛି। ଟିକା ନେବା ଦିନ ସେମାନଙ୍କୁ ଆଶାକର୍ମୀମାନେ ଟିକାକରଣ‌ କେନ୍ଦ୍ରକୁ ଆଣିବେ। ଟିକା ନେବା ପାଇଁ ଗର୍ଭବତୀମାନଙ୍କୁ ଯେପରି ଅଧିକ ବାଟ ନ ଯିବାକୁ ପଡ଼େ, ସେଥିପାଇଁ ପିଏଚସି/ସିଏଚସି ସ୍ତରରେ ନିର୍ଦ୍ଦିଷ୍ଟ ଦିନରେ ଟିକାକରଣ କରାଯିବ। ସେମାନଙ୍କୁ ଯେପରି ଧାଡ଼ିରେ ଠିଆ ହେବାକୁ ନ ପଡ଼େ, ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ସହ ଟିକାକରଣ ସ୍ଥାନରେ ପିଇବା ପାଣି ଓ ଶୌଚାଳୟ ସୁବିଧା ରଖିବାକୁ କୁହାଯାଇଛି। ଟିକା ନେବା ପରେ ୩୦ ମିନିଟ୍ ପାଇଁ ଅବଜରଭେସନ୍‌ ରଖିବା ସହିତ କୌଣସି ପାର୍ଶ୍ବପ୍ରତିକ୍ରିୟା ବା ଏଇଏଫଆଇର ରିପୋର୍ଟିଂ କରାଯିବ। ଜିଲ୍ଲାସ୍ତରୀୟ ଏଇଏଫଆଇ କମିଟିରେ ଶିଶୁରୋଗ ଓ ସ୍ତ୍ରୀରୋଗ ବିଶେଷଜ୍ଞଙ୍କୁ ସଦସ୍ୟ ଭାବେ ରଖିବା ଲାଗି ନିର୍ଦେଶ ଦିଆଯାଇଛି। ଗର୍ଭବତୀ ‌ନେଉଥିବା ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ଟିକାକୁ ଏମସିପି କାର୍ଡରେ ଉଲ୍ଲେଖ କରାଯିବ। ବ୍ଲକସ୍ତରରୁ ପ୍ରତ୍ୟେକ ଦିନ ଟିକା ନେଉଥିବା ଗର୍ଭବତୀ ମହିଳାଙ୍କ ନାମ ଓ ତାରିଖ ପଠାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର