ସ୍ବାସ୍ଥ୍ୟକର୍ମୀଙ୍କ ଓରିଏଣ୍ଟେସନ୍‌ ପରେ ଗର୍ଭବତୀଙ୍କୁ ଟିକା

ଭୁବନେଶ୍ବର : କେନ୍ଦ୍ର ସରକାର ଗର୍ଭବତୀଙ୍କ ଟିକାକରଣକୁ ଅନୁମୋଦନ କରିଛନ୍ତି। ଜାତୀୟ ଟିକାକରଣ ବୈଷୟିକ ଉପଦେଷ୍ଟା ଗ୍ରୁପ୍‌ର ପ୍ରସ୍ତାବ ପରେ କେନ୍ଦ୍ର ସରକାର ଏହାକୁ ଅନୁମତି ଦେଇଛନ୍ତି। ତେବେ ରାଜ୍ୟ ସରକାର କେନ୍ଦ୍ର ଗାଇଡଲାଇନ୍‌ ଅନୁସାରେ, ସ୍ବାସ୍ଥ୍ୟକର୍ମୀ ଓ ଟିକା ପ୍ରଦାନକାରୀଙ୍କ ଓରି‌ଏଣ୍ଟେସନ୍‌ ଓ ତାଲିମ୍‌ ପରେ ଗର୍ଭବତୀମାନଙ୍କୁ ଟିକା ପ୍ରଦାନ କରିବେ ବୋଲି କହିଛନ୍ତି। ତେଣୁ ରାଜ୍ୟରେ ଆଉ କିଛି ଦିନ ପରେ ଗର୍ଭବତୀମାନଙ୍କ ଟିକାକରଣ ହୋଇପାରିବ। ଏଥିପାଇଁ ପ୍ରଥ‌ମେ ରାଜ୍ୟସ୍ତରୀୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ କରାଯିବ। ପରବର୍ତ୍ତୀ ସମୟରେ ଜିଲ୍ଲାସ୍ତରରେ ଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ। ତେଣୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବା ଲାଗି ସବୁ ଜିଲ୍ଲାପାଳ, କମିସନର ଓ ସିଡିମ୍‌ଓମାନଙ୍କୁ ନିର୍ଦେଶ ଦିଆଯାଇଛି।

ନିର୍ଦେଶାବଳୀ ଅନୁଯାୟୀ, ଦେଶରେ ଉପଲବ୍ଧ ଟିକାର ଫଳପ୍ରଦତା ଓ ରିସ୍କ ସମ୍ବନ୍ଧରେ ଟିକା ଦେବା ପୂର୍ବରୁ ଗର୍ଭବତୀଙ୍କୁ ସୂଚନା ଦିଆଯିବ। ଏହାପରେ ଯଦି ଗର୍ଭବତୀଜଣକ ଟିକା ନେବା ପାଇଁ ରାଜି ହୁଅନ୍ତି, ତାହାଲେ ସେ ଗର୍ଭଧାରଣର ଯେକୌଣସି ସମୟରେ ଟିକା ନେଇ ପାରିବେ। ଗର୍ଭବତୀଙ୍କୁ ଟିକା ସଂପର୍କରେ ସୂଚନା ଏତିକିରେ ଅଟକି ନ ଯାଇ ଆଗଧାଡ଼ିର ଯୋଦ୍ଧାଙ୍କ ଦ୍ବାରା ଘରକୁ ଘର ବୁଲି କାଉନସେଲିଂ ସହିତ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ମଧ୍ୟ ସୂଚନା ଦିଆଯିବ। ଗର୍ଭବତୀମାନେ ନିଜର ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଆସୁଥିବା ସମୟରେ ଟିକାର ଫଳପ୍ରଦତା ଓ ରିସ୍କ ସଂପର୍କରେ ବୁଝାଯିବ। ତେବେ କରୋନା ଟିକାର ପ୍ରଭାବ ଗର୍ଭବତୀ ମା’ ଓ ଗର୍ଭ ସହିତ ନବଜାତକ ଉପରେ କ’ଣ ରହିବ, ସେ ସଂପର୍କରେ ବିଶେଷ ସୂଚନା ନାହିଁ।

ସମ୍ବନ୍ଧିତ ଖବର