ଘର ପାଖ ଟିକା କେନ୍ଦ୍ରରେ ବୟସ୍କ, ଦିବ୍ୟାଙ୍ଗଙ୍କୁ ଟିକାକରଣ
ହୋଟେଲରେ ଟିକାକରଣ ହେଲେ କାର୍ଯ୍ୟାନୁଷ୍ଠାନ
ଅନଲାଇନ୍ ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ବୟସ୍କ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଘର ନିକଟ ଟିକାକରଣ କେନ୍ଦ୍ରରେ ଟିକା ପ୍ରଦାନ କରାଯିବ। ଏହି ବ୍ୟକ୍ତିମାନଙ୍କୁ ଘରକୁ ଘର ବୁଲି ଦିଆଯାଉଥିବା ଟିକାକରଣ ବିପକ୍ଷରେ କେନ୍ଦ୍ର ସରକାରଙ୍କ ଟିକାକରଣ ବିଶେଷଜ୍ଞ କମିଟି ମତ ରଖିଛି। ଏ ଦୃଷ୍ଟିରୁ ନିକଟସ୍ଥ କମ୍ୟୁନିଟି ସେଣ୍ଟର, ଆବାସିକ ସଂଘ, ଗ୍ରୁପ୍ ହାଉସିଂ ସୋସାଇଟି, ପଞ୍ଚାୟତ ବିଲ୍ଡିଂ କିମ୍ବା ସ୍କୁଲ ବିଲ୍ଡିଂରେ ଟିକାକରଣ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଆବଶ୍ୟକ ପ୍ଲାନିଂ ସହିତ କିଭଳି ସହଜରେ ଟିକାକରଣ ହୋଇପାରିବ ତାହାର ବ୍ୟବସ୍ଥା କରିବା ଲାଗି ସବୁ ଜିଲ୍ଲାପାଳ, ନଗର ନିଗମକୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।
କେନ୍ଦ୍ର ସରକାରଙ୍କ ପକ୍ଷରୁ ୬୦ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ସମ୍ବେଦନଶୀଳ ଗ୍ରୁପ୍ରେ ସାମିଲ କରାଯିବା ସହିତ ଟିକାକରଣରେ ପ୍ରାଥମିକତା ଦିଆଯାଉଛି। ଅନେକ ବୟସ୍କ ବ୍ୟକ୍ତିଙ୍କ କୋ-ମର୍ବିଡ ବା ଜଟିଳ ରୋଗ ରହିଛି। ଏ ଦୃଷ୍ଟିରୁ ସେମାନେ ଟିକାକରଣ କେନ୍ଦ୍ରକୁ ଟିକା ନେବାକୁ ଯାଇ ପାରୁ ନ ଥିବା ଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ତେଣୁ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ସେମାନଙ୍କୁ ଟିକା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି ପ୍ରସ୍ତାବ ଦେଇଛି। ସେହିପରି କେତେକ ଘରୋଇ ହସ୍ପିଟାଲ ହୋଟେଲମାନଙ୍କ ସହିତ ମିଶି ଟିକାକରଣ ପ୍ୟାକେଜ୍ ଘୋଷଣା କରୁଥିବା କେନ୍ଦ୍ର ସରକାରଙ୍କ ନଜରକୁ ଆସିଛି। ଯାହାକି ଗ୍ରହଣୀୟ ନୁହେଁ। ଟିକାକରଣ ପାଇଁ ସରକାରୀ ଟିକାକରଣ କେନ୍ଦ୍ର, ଘରୋଇ ହସ୍ପିଟାଲ ଦ୍ବାରା ପରିଚାଳିତ ଟିକାକରଣ କେନ୍ଦ୍ର, ସରକାରୀ କର୍ମଚାରୀଙ୍କ ପାଇଁ କାର୍ଯ୍ୟସ୍ଥଳୀରେ ଟିକାକରଣ ପାଇଁ ସରକାରୀ ହସ୍ପିଟାଲ ଓ ଘରୋଇ କମ୍ପାନିମାନଙ୍କ ପାଇଁ ଘରୋଇ ହସ୍ପିଟାଲ ଦ୍ବାରା ଟିକାକରଣ ପାଇଁ ଅନୁମତି ଦିଆଯାଇଛି। ଏହାସହ ବୟସ୍କ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ଗ୍ରୁପ୍ ହାଉସିଂ ସୋସାଇଟି, କମ୍ୟୁନିଟି ସେଣ୍ଟର, ପଞ୍ଚାୟତ ଭବନ, ସ୍କୁଲ ଓ କଲେଜ, ବୃଦ୍ଧାଶ୍ରମ ପ୍ରଭୃତିରେ ଅସ୍ଥାୟୀ ଭାବେ ଅନୁମତି ଦିଆଯାଇଛି। ଏସବୁ ବାଦ୍ ହୋଟେଲରେ ଟିକାକରଣକୁ ବାରଣ କରାଯାଇଛି। ତେଣୁ ଯଦି କେଉଁଠାରେ ଏଭଳି ଘଟଣା ସାମ୍ନାକୁ ଆସେ ତାହେଲେ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାମାନଙ୍କୁ ଜଣାଇ ଦିଆଯାଇଛି। ଏହାସହ କୋ-ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିଥିବା ବ୍ୟକ୍ତିମାନଙ୍କୁ ଟିକାକରଣ ସମୟରେ ପ୍ରାଥମିକତା ଦେବାକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଭୟ ଅନଲାଇନ୍ ଓ ଅନ୍ ଦି ସ୍ପଟ ପଞ୍ଜୀକରଣ ଅନୁମତି ଦିଆଯାଇଛି। ଟିକା ନଷ୍ଟକୁ ରୋକିବା ଲାଗି ଅନ୍ ଦି ସ୍ପଟ୍ ପଞ୍ଜୀକରଣ ପାଇଁ ଅନୁମତି ଦିଆଯାଇଛି। ତେବେ କେତେକ କେନ୍ଦ୍ରରେ ଅନଲାଇନ୍ରେ ପଞ୍ଜୀକରଣ କରିଥିବା ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଏ ଦୃଷ୍ଟିରୁ ଅନ୍ ଦି ସ୍ପଟରେ ପଞ୍ଜୀକରଣ କରିଥିବା ବ୍ୟକ୍ତିମାନଙ୍କ ଅପେକ୍ଷା ଅନଲାଇନ୍ରେ ପଞ୍ଜୀକରଣ କରିଥିବା ଲୋକମାନଙ୍କୁ ପ୍ରାଥମିକତା ଦେବା ଲାଗି ସବୁ ଜିଲ୍ଲାପାଳ, ସିଡିଏମ୍ଓଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।