ତୃତୀୟ ଦିନରେ କମିଲା ଟିକାକରଣ, ରାଜ୍ୟରେ ୮୮%, ଭୁବନେଶ୍ବରରେ ୬୯%

୧୩ ଜିଲ୍ଲାରେ ଶତ ପ୍ରତିଶତ ଟିକାଦାନ, ୫ଜଣଙ୍କ ନିକଟରେ ପାର୍ଶ୍ବ ପ୍ରତିକ୍ରିୟା

ଭୁବନେଶ୍ବର: ରାଜ୍ୟରେ କରୋନା ଟିକାକରଣର ତୃତୀୟ ଦିନରେ ଆଜି ଟିକାଦାନରେ ହ୍ରାସ ଦେଖିବାକୁ ମିଳିଛି। ଗତକାଲି ୧୦୨ ପ୍ରତିଶତ ଟିକାଦାନ ହୋଇଥିବା ବେଳେ ଆଜି ତାହା ୮୮ ପ୍ରତିଶତକୁ ଖସି ଆସିଛି। ଆଜି ସମୁଦାୟ ୧୮୨ ସେସନ୍ ବା ଅଧିବେଶନରେ ୧୪,୨୬୧ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ଗତ ୩ଦିନରେ ରାଜ୍ୟରେ ସମୁଦାୟ ୬୦,୫୬୨ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି। ପ୍ରଥମ ଦିନରେ ୧୩,୭୪୫, ଦ୍ବିତୀୟ ଦିନରେ ୪୬,୨୭୧ଜଣ ଟିକା ନେଇଥିଲେ। ତେବେ ଭୁବନେଶ୍ବରରେ ଲଗାତାର ଭାବେ ଅନ୍ୟ ଜିଲ୍ଲା ତୁଳନାରେ କମ୍ ସଂଖ୍ୟକ ସ୍ବାସ୍ଥ୍ୟକର୍ମୀ ଟିକା ନେଉଥିବା ନଜରକୁ ଆସିଛି। ଟିକା ସଂପର୍କରେ ସଚେତନତା କିମ୍ବା ସ୍ବାସ୍ଥ୍ୟକର୍ମୀଙ୍କ ମନରେ ରହିଥିବା ସନ୍ଦେହ ଦୂର କରିବାରେ ସରକାର ସଫଳ ହୋଇପାରି ନ ଥିବା କୁହାଯାଉଛି।

ତୃତୀୟ ଦିନ ପାଇଁ ରାଜ୍ୟରେ ସମୁଦାୟ ୧୯୨ ଅଧିବେଶନ ଲାଗି ନିଷ୍ପତ୍ତି ହୋଇଥିଲା। ମାତ୍ର ଅନୁଗୁଳ, ବରଗଡ଼, ବୌଦ୍ଧ, ଗଜପତିରେ ଟିକାକରଣ ହୋଇନାହିଁ। ବାଲେଶ୍ବର, ଭଦ୍ରକ, ବଲାଙ୍ଗୀର, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ପୁରୀ ଓ ସୋନପୁରରେ ଶତ ପ୍ରତିଶତ ଟିକାକରଣ ହୋଇଛି। ଭଦ୍ରକରେ ସର୍ବାଧିକ ୧୪୮ ପ୍ରତିଶତ ହୋଇଥିବା ବେଳେ ରାୟାଗଡ଼ାରେ ସବୁଠାରୁ କମ୍ ୩୮ ପ୍ରତିଶତ ଟିକାକରଣ ହୋଇଛି। ଭୁ‌ବନେଶ୍ବରରେ ୨୯ ଅଧିବେଶନରେ ୨୩୩୬ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରହିଥିବା ବେଳେ ୧୬୧୬ଜଣ ଟିକା ନେଇଛନ୍ତି। ଆଜି ୫ଜଣଙ୍କ ନିକଟରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ତହିଁରୁ ୨ଜଣ ଗତକାଲି ଟିକା ନେଇଥିଲେ। ଏଥିରେ ସୁନ୍ଦରଗଡ଼ରେ ୨, ଖୋର୍ଧା, ଝାରସୁଗୁଡ଼ା, ବରଗଡ଼ରେ ଜଣେ ଲେଖାଏଁ ଓ ଭୁବନେଶ୍ବରରେ ଜଣଙ୍କ ନିକଟରେ ପାର୍ଶ୍ବ ପ୍ରତିକ୍ରିୟା ନଜର ଆସିଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ୧୦ଜଣଙ୍କ ନିକଟରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ମାତ୍ର ସମସ୍ତେ ପରବର୍ତୀ ସମୟରେ ସୁସ୍ଥ ହୋଇ ଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ଆଜି ଦ୍ବିତୀୟ ପର୍ଯ୍ୟାୟ ‘କୋଭିସିଲ୍ଡ’ ଟିକା ଓଡ଼ିଶାରେ ପହଞ୍ଚିଛି। କଡ଼ା ସୁରକ୍ଷା ଭିତରେ ବିମାନ ବନ୍ଦରରୁ ଟିକା ରାଜ୍ୟସ୍ତରୀୟ ଟିକା ଭଣ୍ଡାରରେ ପହଞ୍ଚିଛି। ଏଥିରେ ସମୁଦାୟ ୩ଲକ୍ଷ ୩୪ହଜାର ୫ଶହ ଡୋଜ୍ ଟିକାକୁ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଭୁବନେଶ୍ବରକୁ ବାଦ୍ ଦେଲେ ଜିଲ୍ଲାସ୍ତରରେ ‘କୋଭିସିଲ୍ଡ’ ଟିକା ଦିଆଯାଉଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୩ଲକ୍ଷ ୩୮ହଜାର ୭୭୭ ହିତାଧିକାରୀଙ୍କୁ ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୫ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ‌ରେ ଆସିଥିବା ୩ଲକ୍ଷ ୮ହଜାର ‘କୋଭିସିଲ୍ଡ’ ଓ ୨୦ହଜାର ଡୋଜ୍ ‘କୋଭାକ୍ସିନ୍’ ହିତାଧିକାରୀଙ୍କୁ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଏହାସହ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କ ଚୟନ ଜାରି ରହିଛି।

ସମ୍ବନ୍ଧିତ ଖବର