୨୫ ଯାଏଁ ବଢ଼ିଲା ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ଅବଧି

ଶତପ୍ରତିଶତ ଟିକାକରଣ ନେଇ ସରକାରଙ୍କ ଲକ୍ଷ୍ୟ, ଆଜି ଦ୍ବିତୀୟ ଡୋଜ୍‌ ଟିକାକରଣ

ଭୁବନେଶ୍ବର : ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‌ ଟିକା ପ୍ରଦାନ ନେଇ ପୁଣି ଥରେ ତୃତୀୟ ଥର ପାଇଁ ସରକାର ଅବଧି ବୃଦ୍ଧି କରିଛନ୍ତି। ଏହି ଅବଧି ଆସନ୍ତା ୨୫ ତାରିଖକୁ ବୃଦ୍ଧି କରାଯାଇଛି। ଆଜି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିସନର ଓ ଜିଲ୍ଲା ସିଡିଏମ୍‌ଓମାନଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି। ପଞ୍ଜିକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀମାନଙ୍କର ଶତ ପ୍ରତିଶତ ଟିକାକରଣ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାସହିତ ଆସନ୍ତାକାଲିଠାରୁ ଦ୍ବିତୀୟ ଡୋଜ୍‌ ଟିକାକରଣ କାର୍ଯ୍ୟକ୍ରମ ସବୁ ଜିଲ୍ଲାରେ ଆରମ୍ଭ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହି ବର୍ଦ୍ଧିତ ଅବଧି ଭିତରେ ଯେପରି ସମସ୍ତ ସ୍ବାସ୍ଥ୍ୟକର୍ମୀ ଟିକା ନିଅନ୍ତି, ସେ ନେଇ ଜିଲ୍ଲା ପ୍ରଶାସନ ତଦାରଖ କରିବେ। ଯଦି ଜଣେ ବି ସ୍ବାସ୍ଥ୍ୟକର୍ମୀ ଟିକା ନେବାକୁ ଆସି ଫେରି ଯାଇଛନ୍ତି, ତାହେଲେ ତାଙ୍କୁ ଆଉଥରେ ସୁଯୋଗ ଦିଆଯିବ। ଟିକାକରଣ ଅବଧି ବୃଦ୍ଧି ନେଇ ବାକିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଅବଗତ କରାଯିବ। ଯେଉଁମାନେ ପ୍ରଥମ ଡୋଜ୍‌ ଟିକା ନେବାର ୨୮ ଦିନ ବିତିଲାଣି ସେମାନଙ୍କୁ ଦ୍ବିତୀୟ ଡୋଜ୍‌ ଟିକାକରଣରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଥାଉକି, ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ ନେଇ ପ୍ରଥମେ ରାଜ୍ୟ ସରକାର ଫେବ୍ରୁଆରି ୧୦ ତାରିଖକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରିଥିଲେ। କିନ୍ତୁ ଏହି ସମୟ ଅବଧି ଭିତରେ ସମସ୍ତ ସ୍ବାସ୍ଥ୍ୟକର୍ମୀ ଟିକା ନ ନେବାରୁ ପୁଣି ଥରେ ୩ ଦିନ ବୃଦ୍ଧି କରି ଗତ ୧୩ ତାରିଖକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିଲା। ଏହି ସମୟ ଭିତରେ ମୋଟ ୮୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇଥିବାବେଳେ ଏବେସୁଦ୍ଧା ୧୫ ପ୍ରତିଶତ ବାକି ଅଛନ୍ତି। ଅର୍ଥାତ୍‌ ଆସନ୍ତା ୨୫ ତାରିଖ ସୁଦ୍ଧା ବାକିଥିବା ୫୧ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର