ଅନୁଗୁଳ : ଟିକାକରଣ ନେଇ ଆରମ୍ଭ ହୋଇଛି ରାଜନୀତି। ଅନୁଗୁଳ ଷ୍ଟାଡିୟମ୍‌ରେ ଚାଲିଥିବା ମେଗା ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଇବାକୁ କଡ଼ା ବିରୋଧ କରିଛି ବିଜେପି। ଆଜି ଏଠାରେ ଯୁବବର୍ଗଙ୍କ ଟିକାକରଣ ଚାଲିଥିଲାବେଳେ ବିଜେପି ନେତାମାନେ ଶିବିରରେ ଧସେଇ ପଶିବା ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସବୁ ଚିରି ପକାଇଥିଲେ। ହୋ-ହଲ୍ଲା କରିବା ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବାକୁ ଦାବି କରିଥିଲେ। ଫଳରେ ଏଠାରେ ଟିକାକରଣ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ପହଞ୍ଚି ବିଜେପି ନେତାଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ପରେ ଅପରାହ୍ନରେ କଡ଼ା ସୁରକ୍ଷା ଭିତରେ ସେଠାରେ ଟିକାକରଣ ପୁଣି ଆରମ୍ଭ ହୋଇଥିଲା।

Advertisment

ବିଜେପି କର୍ମକର୍ତ୍ତାଙ୍କ ଏହି ଆନ୍ଦୋଳନ ପରେ ଆଜି ସନ୍ଧ୍ୟାରେ ଅତିରିକ୍ତ ତହସିଲଦାର ଦୁ‌ର୍ଯୋଧନ ସାହୁ ଏଥିନେଇ ଅନୁଗୁଳ ଥାନାରେ ଏତଲା ଦେଇଛନ୍ତି। ଏହି ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ବିଜେଡି ପକ୍ଷରୁ ମଧ୍ୟ ଆଜି ବିଜେପି କର୍ମକର୍ତ୍ତାଙ୍କ ବିରୋଧରେ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଉଦ୍‌ଘାଟନ ପାଇଁ ବନ୍ଧା ଯାଇଥିବା ରିବନ୍‌ ଫିତା ଛିଣ୍ଡାଇ ଦେଲେ
ବାଲେଶ୍ବର : ସୋମବାର ବାଲେଶ୍ବର ଗାନ୍ଧୀ ସ୍ମୃତିଭବନରେ ଟିକାକରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେଠାରେ ପହଞ୍ଚିଥିଲେ ବାଲେଶ୍ବର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସିପ୍ରା ବାଜପେୟୀ, ସଦର ବିଜେପି ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ସମେତ ଦଳୀୟ କର୍ମୀ। ଟିକାକରଣ ସ୍ଥାନରେ କେବଳ ମୁଖ୍ୟମନ୍ତ୍ରୀଙ୍କର କାହିଁକି ଫଟୋ ଲଗାଯାଇଛି? ଯଦି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇଛନ୍ତି ତେବେ ପ୍ରଧାନମନ୍ତ୍ରୀଙ୍କର ଫଟୋ କାହିଁକି ରଖିଲେନି? ବୋଲି ପ୍ରଶ୍ନବାଣ କରି ସିଡିଏମ୍‌ଓଙ୍କୁ ଘେରିଥିଲେ ଦଳୀୟ ନେତା। ଟିକାଦାନକୁ ନେଇ ଏଭଳି ହୀନ ରାଜନୀତି ଚଳିବନି କହି କର୍ମୀମାନେ ସେଠାରେ ହୋହଲ୍ଲା କରିବା ସହ ଉଦ୍‌ଘାଟନ ପାଇଁ ପ୍ରବେଶ ପଥରେ ଲଗାଯାଇଥିବା ରିବନ୍‌ ଫିତାକୁ ଟାଣି ଛିଡ଼ାଇ ଦେଇଥିଲେ। କେବଳ ସେତିକି ନୁହେଁ, ଟିକାକରଣ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କର ବଡ଼ ଫଟୋ ଥିବା ଏକ କଟ୍‌ଆଉଟ୍‌ ମଧ୍ୟ ରଖି ଦେଇଥିଲେ।

ଏ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଟାର୍ଗେଟ୍‌ କରି ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର କହିଥିଲେ, ଶାସକ ଦଳ ଇଙ୍ଗିତରେ ସେ ସଖୀ କଣ୍ଢେଇ ସାଜିଛନ୍ତି।

ଅନ୍ୟପକ୍ଷରେ ବିଜେପି ଆଣିଥିବା ଅଭିଯୋଗର ପ୍ରତିକ୍ରିୟା ଜାଣିବା ପାଇଁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ୍‌ ଉଠାଇନଥିଲେ।

ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଟୁଇଟ୍‌ କରି କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ବିଶ୍ୱର ସବୁଠୁ ବଡ଼ ମାଗଣା ଟିକାକରଣ ଅଭିଯାନ ଜାରି ଥିବାବେଳେ ରାଜ୍ୟ ସରକାର କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ଯୋଜନାକୁ ଅପହରଣ କରି ଶସ୍ତା ରାଜନୀତି କରିବା ଅତ୍ୟନ୍ତ ନିନ୍ଦନୀୟ l ଅନ୍ୟପକ୍ଷରେ ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସ କହିଛନ୍ତି, କୋଭିଡ୍‌ ମହାମାରୀ ସମୟରେ ଜନସାଧାରଣଙ୍କୁ ଅଧିକରୁ ଅଧିକ ଟିକା କିପରି ଦିଆଯାଇପାରିବ ସେ ବିଷୟରେ ଚିନ୍ତା ନକରି ଫଟୋକୁ ନେଇ ବିଜେପି ଅଧିକ ଚିନ୍ତିତ ହେବା ଦୁର୍ଭାଗ୍ୟଜନକ। ‌ଟିକାକୁ ନେଇ ଓଡ଼ିଶାରେ କୌଣସି ରାଜନୀତି କରାଯାଉନାହିଁ। ବିଜେପିର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ।