ଭୀଷଣ ହେଲାଣି ଟିକା ସମସ୍ୟା

ଆଗୁଆ ଟିକା ପାଇଁ କଂପାନି ସହ କଥା ହୋଇ କି ଲାଭ ମିଳିଲା?

ସଂକ୍ରମଣ ଶୀର୍ଷରେ ଥିବା ବେଳେ ଟିକା ନେଇପାରୁନାହାନ୍ତି ଲୋକେ
ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠରେ ଓଡ଼ିଶା ତଥ୍ୟ

ଭୁବନେଶ୍ବର/ନୂଆଦିଲ୍ଲୀ : ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ଘରୋଇ ହସ୍ପିଟାଲମାନଙ୍କରେ ଟିକା ଉପଲବ୍ଧ ହେବ। ଏହାର ୪୮ ଘଣ୍ଟା ପରେ ଆଜି ଭୁବନେଶ୍ବର ମହାନଗର ନିଗମ କମିସନର ପ୍ରେମଚନ୍ଦ ଚୌଧୁରୀ ହାତ ଟେକିଦେଇଛନ୍ତି। କହିଛନ୍ତି ଯେ ଯଦିଓ ୩୧ଟି ହସ୍ପିଟାଲକୁ ଟିକା ଦେବା ପାଇଁ ଚିହ୍ନଟ କରାଯାଇଛି, ଏଯାଏ କାହାକୁ ବି ଟିକା ଦିଆଯାଇପାରିନାହିଁ। ଯେତିକି ଟିକା ଅଛି, ୧୮ରୁ ୪୪ ବୟସ୍କ ୧୯ ତାରିଖ ଯାଏ ଯେଉଁମାନେ ସ୍ଲଟ୍ ବୁକିଂ କରିଛନ୍ତି, ସେମାନଙ୍କୁ ଦିଆଯିବ। ଏହାର ପରିମାଣ ହେଉଛି ମାତ୍ର ଦେଢ଼ ଲକ୍ଷ।

କେବଳ ଭୁବନେଶ୍ବର ନୁହେଁ, ରାଜ୍ୟର ସମସ୍ତ ଜିଲ୍ଲାରେ ଟିକା ପାଇଁ ଚାପ ବଢ଼ୁଥିବା ବେଳେ ଯୋଗାଣ ହୋଇପାରୁନଥିବା କାରଣରୁ ଏବେ ଅସମ୍ଭାଳ ସ୍ଥିତି ଉପୁଜିଲାଣି। ଟିକା ନେବା ପାଇଁ କିଏ ରାତିରୁ ଟର୍ଚ୍ଚ ଧରି ଲାଇନ୍ ଦେଉଛି ତ ଆଉ କିଏ ଦିନତମାମ ଖରାରେ ବସି ରହି ନିରାଶ ହୋଇ ଫେରୁଛି। ରାଜ୍ୟ ସରକାର କେବଳ ଚିଠି ଲେଖି ଏ କ୍ଷେତ୍ରରେ ନିଜ ଦାୟିତ୍ବ ଝାଡିଦେଇଛନ୍ତି। କେନ୍ଦ୍ର ଉପରେ ଯେଭଳି ଚାପ ସୃଷ୍ଟି କରାଯିବା କଥା ତାହା ପରିଲକ୍ଷିତ ହେଉନାହିଁ।

Image Courtesy of India Today

ଠିକ୍ ଏମିତି ସମୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ରବିବାର ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ତାହା ଆଖି ଖୋସିଦେବା ଭଳି। ଏହି ରିପୋର୍ଟରେ ଓଡ଼ିଶାର ଟିକାକରଣ ସଂପର୍କରେ ମଧ୍ୟ ଉଲ୍ଲେଖ ରହିଛି। ୨୧୮ ପୃଷ୍ଠାର ସତ୍ୟପାଠରେ କେନ୍ଦ୍ର ସରକାର ମାନିଛନ୍ତି ଯେ ମେ’ ମାସର ପ୍ରଥମ ଦୁଇ ସପ୍ତାହ ପାଇଁ ୪୫ବର୍ଷ ଏବଂ ଏହାଠାରୁ ଅଧିକ ବୟସ୍କଙ୍କ ଲାଗି ମାତ୍ର ୭ଲକ୍ଷ ୮୧ ହଜାର ୭୮୦ ଟିକା ଆବଣ୍ଟନ କରାଯାଇଛି। ଏ ମଧ୍ୟରୁ ୫ଲକ୍ଷ ୮୮ ହଜାର ୧୦ଟି ଟିକା କୋଭିସିଲ୍ଡ ରହିଛି ଓ ୧ଲକ୍ଷ ୯୩ ହଜାର ୭୭୦ ଟିକା କୋଭାକ୍ସିନ୍। ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ଯଦିଓ ରାଜ୍ୟ ସରକାର ମାଗଣାରେ ଟିକା ଦେବେ ବୋଲି ଘୋଷଣା କରିଛନ୍ତି ଓ ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ଟିକା କଂପାନିମାନଙ୍କୁ ଚିଠି ଲେଖିଛି, ସେଥିରେ ବି କିଛି ଖୁସି ହେବା ଭଳି ତଥ୍ୟ ନାହିଁ। ଏଇଥିପାଇଁ ଯେ କେନ୍ଦ୍ର ସରକାର କହିଛନ୍ତି ଯେ ଟିକା ଉତ୍ପାଦନକାରୀଙ୍କ ସହିତ ରାଜ୍ୟର ୧୮ରୁ ୪୪ବୟସ୍କଙ୍କ ସଂଖ୍ୟାର ଅନୁପାତକୁ ବିଚାରକୁ ନେଇ ଗୋଟିଏ ସଂଖ୍ୟା ନିର୍ଧାରଣ କରାଯାଇଛି। ସେହି ଅନୁସାରେ, ରାଜ୍ୟମାନେ ଉତ୍ପାଦନକାରୀଙ୍କ ଠାରୁ ଟିକା କ୍ରୟ କରିବେ। ଫଳରେ ରାଜ୍ୟମାନଙ୍କ ମଧ୍ୟରେ ଅସମାନତା ରହିବ ନାହିଁ।

ଏଠାରେ ପ୍ରଶ୍ନ ଉଠୁଛି ଯେ ସବୁ ରାଜ୍ୟରେ ସଂକ୍ରମଣର ସ୍ଥିତି ସମାନ ନାହିଁ। ଓଡ଼ିଶା ସମେତ ମାତ୍ର ଦେଶର ଅଧା ରାଜ୍ୟ ଏବେ ଗମ୍ଭୀର ପରିସ୍ଥିତିରେ ଗତି କରୁଛନ୍ତି। ସେସବୁ ରାଜ୍ୟକୁ ଟିକାକରଣରେ କାହିଁକି ପ୍ରାଧାନ୍ୟ ଦିଆଯାଉନାହିଁ। ରାଜ୍ୟ ସରକାର ଏ ପ୍ରସଙ୍ଗରେ କାହିଁକି ଚାପ ସୃଷ୍ଟି କରିପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସର୍ବପ୍ରଥମେ ଟିକା କଂପାନି ସହିତ ଆଲୋଚନା କରିଥିଲେ ଓ ଗୋଟିଏ ସହମତି ହୋଇଥିଲା। ଏସବୁ କି କାମରେ ଲାଗିଲା? ଟିକା ଯୋଗାଣ କ୍ଷେତ୍ରରେ ନା କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରାଥମିକତା ଦେଉଛନ୍ତି ନା ଟିକା କଂପାନି। ତେବେ ଓଡ଼ିଶା ସରକାରଙ୍କ ଏ ସରକାରଙ୍କ ଆଗୁଆ ପ୍ରତିଶ୍ରୁତିର କି ଲାଭ ପାଇଲେ ରାଜ୍ୟବାସୀ।

BioWorld

କେନ୍ଦ୍ର ସରକାରଙ୍କ ତଥ୍ୟ କହୁଛି ଯେ ରାଜ୍ୟ ସରକାର ଟିକା ଉତ୍ପାଦନକାରୀଙ୍କ ପାଖରୁ ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ମେ’ ୨୦୨୧ରେ ସମୁଦାୟ ୬ଲକ୍ଷ ୪୪ ହଜାର ୪୨୦ ଡୋଜ୍ କିଣିପାରିବେ। ଏ ମଧ୍ୟରେ ୪ଲକ୍ଷ ୭୮ ହଜାର୪୮୦ କୋଭିସିଲ୍ଡ ରହିବ ଏବଂ ୧ଲକ୍ଷ ୬୫ ହଜାର ୯୬୦ କୋଭାକ୍ସିନ୍ ଡୋଜ୍ ରହିଛି। ଓଡ଼ିଶାରେ ଏହି ବୟସର ଯୁବକ ଓ ଯୁବତୀଙ୍କ ସଂଖ୍ୟା ୧କୋଟି ୯୩ଲକ୍ଷ ରହିଛି। ଏହି ହାରରେ ଯଦି ଟିକାକରଣ ହୁଏ, ତେବେ କେତେବର୍ଷ ଟିକାକରଣ ପାଇଁ ଲାଗିବ? ସେହିପରି ଓଡ଼ିଶାକୁ ରେମିଡ଼େସିଭିର୍ ଭାଏଲ ଯୋଗାଣରେ ମଧ୍ୟ କେନ୍ଦ୍ର ସରକାର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରୁନାହାନ୍ତି। ରାଜ୍ୟକୁ ଏପ୍ରିଲ ୨୧ରୁ ମେ’ ୯ ତାରିଖ ମଧ୍ୟରେ ୩୪ ହଜାର ୭୦୦ ଭାଏଲ୍ ଆବଣ୍ଟନ କରାଯାଇଥିବା ବେଳେ ମେ’ ୭ ତାରିଖ ସୁଦ୍ଧା ସେ ମଧ୍ୟରୁ ୩୧ହଜାର ୯୧୮ ଭାଏଲ୍ ଯୋଗାଇ ଦିଆଯାଇଛି। ମେ’ ୭ ତାରିଖରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ମେ’ ୧୬ ତାରିଖ ସୁଦ୍ଧା ୭୩ ହଜାର ରେମିଡେ଼ସିଭିର୍ ଆବଣ୍ଟନ କରାଯିବ। ଅନ୍ୟପକ୍ଷରେ ଏପ୍ରିଲ ୩୦ ତାରିଖରେ କେନ୍ଦ୍ର ସରକାର ରାଜ୍ୟକୁ ୧୩୫ଟି ତୋଷଲିଯୁମାବ ଔଷଧ ଆବଣ୍ଟନ କରିଛନ୍ତି, ଏ ମଧ୍ୟରୁ ୭ ତାରିଖ ସୁଦ୍ଧା ୧୨୬ଟି ଯୋଗାଇ ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ତଥ୍ୟକୁ ବିଶ୍ବାସ କଲେ, ରାଜ୍ୟ ଗୁରୁତର ସଙ୍କଟ ଭିତରେ ଥିବା ବେଳେ କୌଣସି ବି ଔଷଧ ଯୋଗାଣ ଚାହିଦା ଅନୁସାରେ ହୋଇପାରିବ ନାହିଁ। ଅକ୍ସିଜେନ୍ ଭଳି ପ୍ରସଙ୍ଗରେ ଦିଲ୍ଲୀ ସମେତ ଏକାଧିକ ରାଜ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ଗଲେଣି। ଓଡ଼ିଶା ସରକାର କୋର୍ଟକୁ ଯିବା ତ ଦୂରର କଥା, ପ୍ରଥମ ଡୋଜ୍ ନେଇ ଦ୍ବିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ବି ଠିକ୍ ଭାବେ ଟିକା ଦିଆଯାଇପାରୁନଥିବା ପ୍ରସଙ୍ଗରେ ଏଯାଏ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇନାହାନ୍ତି।

ଟିକାକରଣକୁ ନେଇ ରାଜ୍ୟରେ ଏବେ ଅହେତୁକ ଆଗ୍ରହ ପରିଲକ୍ଷିତ ହେଉଛି। ତଦନୁଯାୟୀ ଯୋଗାଣ ହୋଇପାରୁନଥିବା କାରଣରୁ ଟିକାକରଣ କେନ୍ଦ୍ରମାନଙ୍କୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲାଣି। କିଛି ସ୍ଥାନୀୟ ଆଇନଶୃଙ୍ଖଳା ପରିସ୍ଥିତି ବି ସୃଷ୍ଟି ହେଲାଣି।

ସମ୍ବନ୍ଧିତ ଖବର