ଭୁବନେଶ୍ବର : କରୋନା ମହାମାରୀ ପାଇଁ ୧୬ ତାରିଖରୁ ଟିକାକରଣ ଆରମ୍ଭ ହୋଇଛି। ଗୋଟିଏ ଦିନର ବିରତି ପରେ ସୋମବାର ପୁଣି ଟିକାକରଣ ହେବ। ସମସ୍ତ ମେଡିକାଲ କଲେଜରେ ୫ଟି ସେସନ୍ରେ ଟିକାକରଣ ହେବ। ପ୍ରତି ପର୍ଯ୍ୟାୟରେ ୨୦୦ ଜଣଙ୍କୁ ଟିକା ଦିଆଯିବ। ଅର୍ଥାତ ଦିନକୁ ଏକ ହଜାର ଲୋକ ଟିକା ନେବେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ଟିକାକରଣ ପାଇଁ ଲୋକଙ୍କ ତାଲିକା ଅନୁଯାୟୀ ଗୋଟିଏ କିମ୍ବା ଦୁଇଟି ସେସନ୍ରେ ଟିକାକରଣ କରାଯିବ। ପ୍ରତି ସେସନ୍ରେ ଶହେ ଜଣ ଲେଖାଏ ଲୋକଙ୍କୁ ଟିକା ଦିଆଯିବ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଦିନକୁ ଗୋଟିଏ ସେସନ୍ରେ ଶହେ ଜଣ ଟିକା ନେବେ। ଏଠାରେ କେବଳ ସୋମବାର, ଗୁରୁବାର ଓ ଶନିବାର ଟିକା ଦିଆଯିବ। ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଡାଟାବେସ୍ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୃହ, ନଗର ଉନ୍ନୟନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଭଳି ଜରୁରିକାଳୀନ ବିଭାଗର କୋଭିଡ୍ ଯୋଦ୍ଧାମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଆସନ୍ତା ୨୫ ତାରିଖ ଭିତରେ ଏହି ତାଲିକା ଦେବାକୁ କୁହାଯାଇଛି। ଏହି ସଂଖ୍ୟା ପ୍ରାୟ ୫ ଲକ୍ଷ ହୋଇପାରେ ବୋଲି ପ୍ରାଥମିକ ଆକଳନ କରାଯାଇଛି।