ଭୁବନେଶ୍ବର : ଆଜି ସୋନପୁର ଜିଲ୍ଲାରେ ଟିକାକରଣ ହେବ ନାହିଁ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ତେବେ ଅନ୍ୟ ୨୯ ଜିଲ୍ଲାକୁ ମିଶାଇ ସମୁଦାୟ ୭୨୦ଟି ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ।
ରାଜ୍ୟରେ ସୋମବାର ସମୁଦାୟ ୨୬୫ଟି ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୫୦,୯୯୪ଜଣଙ୍କୁ ଟିକା ଦିଆଯାଇଛି। ଏଥିରେ ୨୨,୧୮୫ଜଣ ୪୫ବର୍ଷରୁ ଅଧିକ ଦ୍ବିତୀୟ ଡୋଜ୍ ଟିକା ନେଇଥିବା ବେଳେ ୬୮୪୯ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଏହାସହ ୧୮-୪୪ବର୍ଷର ୧୨,୨୭୦ଜଣଙ୍କୁ କରୋନା ଟିକା ଦିଆଯାଇଛି। ରାଜ୍ୟରେ ସମୁଦାୟ ୬୬ଲକ୍ଷ ୧୯ହଜାର ୬୪୩ଜଣ ଟିକା ନେଇ ସାରିଲେଣି।
ଅପରପକ୍ଷରେ ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୭ ପ୍ରତିଶତ ପ୍ରଥମ ଓ ୮୭ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଏହାସହ ପଞ୍ଜୀକୃତ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୦୭ ପ୍ରତିଶତ ପ୍ରଥମ ଓ ୮୯ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ତେବେ ୪୫ ବର୍ଷରୁ ଅଧିକ ୪୪ଲକ୍ଷ ୩୪ହଜାର ୪୮୫ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ବେଳେ ତହିଁରୁ ୧୦ଲକ୍ଷ ୨୧ହଜାର ୫୭୫ଜଣ ଦ୍ବିତୀୟ ଡୋଜ୍ ଟିକା ନେଇପାରିଛି। ରାଜ୍ୟରେ 'କୋଭିସିଲ୍ଡ' ଟିକାର ଅଭାବ ଯୋଗୁଁ ଦ୍ବିତୀୟ ଡୋଜ୍ ଟିକା ପ୍ରଦାନରେ ସମସ୍ୟା ଉପୁଜିଛି। ୪୫ବର୍ଷରୁ ଅଧିକ ଲୋକଙ୍କ ପାଇଁ ରାଜ୍ୟ ନିକଟରେ ଏବେ ୧ଲକ୍ଷ ୮୧ହଜାର ୬୨୦ ଡୋଜ୍ ଟିକା ମହଜୁଦ ରହିଛି।