ବାତ୍ୟା ପାଇଁ ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜରେ ୨୫ରୁ ୨୭ ପର୍ଯ୍ୟନ୍ତ ବନ୍ଦ ରହିବ କୋଭିଡ୍ ଟିକାକରଣ, ଟେଷ୍ଟିଂ ଓ ସର୍ଭେ

ଭୁବନେଶ୍ବର : ବାତ୍ୟା ୟାସକୁ ଦୃଷ୍ଟିରେ ରଖି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜରେ ୨୫ରୁ ୨୭ ପର୍ଯ୍ୟନ୍ତ କୋଭିଡ୍ ଟିକାକରଣ, ଟେଷ୍ଟିଂ, ଘରକୁ ଘର ସର୍ଭେ କାର୍ଯ୍ୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯ଼ାଇଛି ।

ଅନ୍ୟପକ୍ଷରେ ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ଆଉ କେତେକ ଜିଲ୍ଲା ଯ଼େପରିକି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରେ ସ୍ଥିତିକୁ ଦେଖି ଜିଲ୍ଲାପାଳମାନେ ଟିକାକରଣ, ଟେଷ୍ଟିଂ, ଘରକୁ ଘର ସର୍ଭେ ଆଦି କାର୍ଯ୍ୟ ବନ୍ଦ ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ।

ସୂଚନାଯ଼ୋଗ୍ୟ ଯ଼େ, ୟାସ୍ ବାତ୍ୟା ଭଦ୍ରକ କିମ୍ବା ବାଲେଶ୍ବରରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଦୁଇଟି ଜିଲ୍ଲା ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି । ସେହିପରି ଏହି ବାତ୍ୟାର ପ୍ରଭାବ ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟ ରହିବା ଅଟକଳ କରାଯ଼ାଉଛି ।

ସମ୍ବନ୍ଧିତ ଖବର