ଭୁବନେଶ୍ବର: କରୋନା ଭାଇରସ୍ ମହାମାରୀର ଡେଲଟା ଭାରିଆଣ୍ଟ ଚିହ୍ନଟ ହେବା ସମୟରେ ମଧ୍ୟ କୋଭିଡ ଟିକା କାମ କରିବ କି ନାହିଁ ସନ୍ଦେହ ଥିଲା। କିନ୍ତୁ ୧୦୦ ପ୍ରତିଶତ ସୁରକ୍ଷା ଦେଉନଥିଲେ ମଧ୍ୟ ଟିକା ଅନେକ ମାତ୍ରାରେ ସୁରକ୍ଷା ଦେଉଛି । ତେଣୁ ଓମିକ୍ରନ୍ ଠାରୁ ମଧ୍ୟ କ୍ରସ ପ୍ରୋଟେକ୍ସନ ଦେବ ଟିକା, ଯାହାଦ୍ୱାରା ସଂକ୍ରମଣର ଗମ୍ଭୀରତା କମିବା ସହ ମୃତ୍ୟୁହାର ମଧ୍ୟ କମିବ । ନିଶ୍ଚିତ ଭାବରେ ଟିକା କାମ କରିବ । ହେଲେ କେତେ ସୁରକ୍ଷା ଦେବ ସେ ନେଇ ଗବେଷଣା ଚାଲିଛି । ଯେପର୍ଯ୍ୟନ୍ତ ସମସ୍ତେ ଟିକା ନେଇ ନାହାନ୍ତି, ବିପଦ ଅଛି । ପୁଣି ରାଜ୍ୟରେ ସଂକ୍ରମଣ ଆସିପାରେ । ତେଣୁ ଯେଉଁମାନେ ପ୍ରଥମ ଡୋଜ ଟିକା ନେଇ ନାହାନ୍ତି ଏବଂ ଯେଉଁ ମାନଙ୍କର ଦ୍ବିତୀୟ ଡୋଜ ବାକି ଅଛି ଯଥାଶୀଘ୍ର ଟିକାକରଣ କେନ୍ଦ୍ରକୁ ଆସି ଟିକା ନେଇ ଯିବାକୁ ଅନୁରୋଧ କରିଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଏହା କହିଛନ୍ତି।
ରାଜ୍ୟରେ ୨ କୋଟି ୮୦ ଲକ୍ଷ ଲୋକ ପ୍ରଥମ ଡୋଜ, ୧ କୋଟି ୬୨ ଲକ୍ଷ ଲୋକ ଦ୍ବିତୀୟ ଡୋଜ ଟିକା ନେଇ ସାରିଛନ୍ତି । ଅର୍ଥାତ ୮୬ ପ୍ରତିଶତ ଲୋକଙ୍କର ପ୍ରଥମ ଡୋଜ ଟିକାକରଣ ସରିଯାଇଛି ଏବଂ ଟାର୍ଗେଟ ହିତାଧିକାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକଙ୍କର ଦ୍ବିତୀୟ ଡୋଜ ଟିକାକରଣ ଶେଷ ହୋଇଛି । ପାଖାପାଖି ୪୫ ଲକ୍ଷ ଲୋକଙ୍କ ଟିକାକରଣ ବାକି ଅଛି । ନଭେମ୍ବର ୩୦ ପର୍ଯ୍ୟନ୍ତ ଥିବା ହର ଘର ଦସ୍ତକ ଅଭିଯାନକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସ୍ବାସ୍ଥ୍ୟକର୍ମୀ ମାନେ ଘରକୁ ଘର ବୁଲି ଯେଉଁମାନଙ୍କର ପ୍ରଥମ ଡୋଜ ବାକି ଅଛି ଏବଂ ଦ୍ବିତୀୟ ଡୋଜ ସମୟ ହୋଇଗଲାଣି ସେମାନଙ୍କୁ ଚିହ୍ନଟ କରୁଛନ୍ତି । ଏବଂ ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଆଣି ଟିକା ଦେଉଛନ୍ତି । ଏହାସହ ଶଯ୍ୟାସାୟୀ ଲୋକଙ୍କୁ ଭ୍ୟାକ୍ସିନେସନ ଟିମ ଯାଇ ଟିକା ଦେଉଛନ୍ତି ।
ଆଜି ବତ୍ୟା ଏବଂ ବର୍ଷା ପ୍ରଭାବ ଥିଲେ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । କିନ୍ତୁ ଯେଉଁ ଜିଲ୍ଲା ଗୁଡ଼ିକ ବତ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି । ସେଠାରେ ଟିକାକରଣ କମ ଅଛି । ୨୫୦୦ ଟିକାକରଣ କେନ୍ଦ୍ର ମଧ୍ୟରୁ ୫୦୦ ଟିକାକରଣ କେନ୍ଦ୍ର ବନ୍ଦ ରହିଛି । ବତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ନଭେମ୍ବର ୪ ଓ ୫ ତାରିଖ ଟିକାକରଣ ବନ୍ଦ ରହିଛି । ବତ୍ୟା ପ୍ରଭାବ କମିବା ପରେ ସେହି ଜିଲ୍ଲା ଗୁଡ଼ିକରେ ଟିକାକରଣ ପ୍ରକ୍ରିୟା ସ୍ଵାଭାବିକ ହେବ । ଚଳିତ ବର୍ଷ ଶେଷ ଅର୍ଥାତ ଡିସେମ୍ବର ୩୧ ତାରିଖ ସୁଦ୍ଧା ୧୦୦ ପ୍ରତିଶତ ପ୍ରଥମ ଡୋଜ ଟିକାକରଣ ସରିବାର ଲକ୍ଷ୍ୟ ରଖାଯାଇଛି । ଟିକାର କୌଣସି ଅଭାବ ନାହିଁ । ରାଜ୍ୟରେ ଏବେ ୬୨ ଲକ୍ଷ ଡୋଜ ମହଜୁଦ ଅଛି । ଭୁବନେଶ୍ୱରରେ ୨୭ ଲକ୍ଷ ଡୋଜ ଟିକା ଦିଆଯାଇଛି।