ଆଜି ୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ଆଜି ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ରାଜ୍ୟରେ ‘କୋଭିସିଲ୍‌ଡ’ ଟିକାର ଅଭାବ ପାଇଁ ଏକାଧିକ ଜିଲ୍ଲାରେ ଟିକାକରଣ ବନ୍ଦ କରିବାକୁ ପଡ଼ୁଛି। ଏପରିକି ଟିକାକରଣ ଅଧିବେଶନ ମଧ୍ୟ କମିବାରେ ଲାଗିଛି। ଆଜି ରାଜ୍ୟରେ ୫୨୦ ଅଧିବେଶନରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୫ତାରିଖରେ ରାଜ୍ୟରେ ରେକର୍ଡ ସଂଖ୍ୟକ ଦିନକରେ ୪ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିଲା। ମାତ୍ର ଏହା ପରଠାରୁ ଦୈନିକ ଟିକାକରଣ କମି କମି ଚାଲିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକଥର କେନ୍ଦ୍ର ସରକାରଙ୍କୁ ଚିଠି ଦିଆଗଲାଣି। ଆସନ୍ତା ୧୫ ତାରିଖରେ ପରବର୍ତ୍ତୀ ଟିକା ଆସିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ତେଣୁ ୯ ତାରିଖଠାରୁ ରାଜ୍ୟରେ ଟିକାକରଣ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି। ଆଜି ରାଜ୍ୟରେ ୭୧୭ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧ଲକ୍ଷ ୩୬ହଜାର ୯୬୪ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୩୧ଲକ୍ଷ ୭୯ହଜାର ୩୦୪ ଡୋଜ୍ ଟିକା ଦିଆଗଲାଣି। ଏଥିରେ ପ୍ରଥମ ଡୋଜ୍ ସଂଖ୍ୟା ୧ କୋଟି ଟପିଛି। ରାଜ୍ୟରେ ଏବେ ୧ଲକ୍ଷ ୯ହଜାର ୫୯୦ଡୋଜ୍ କୋଭିସିଲ୍‌ଡ ଓ ୨ଲକ୍ଷ ୫୪ହଜାର ୩୦ଡୋଜ୍ କୋଭାକ୍ସିନ୍ ଟିକା ମହଜୁଦ ରହିଛି।

ସମ୍ବନ୍ଧିତ ଖବର