ସୋମବାରରୁ ଶନିବାର ଜାରି ରହିବ ଟିକାକରଣ

ଦ୍ବିତୀୟ ଡୋଜ୍ ଅପେକ୍ଷାରେ ପ୍ରାୟ ୯ଲକ୍ଷ ଲୋକ, ସରକାରୀ ହସ୍ପିଟାଲରେ ମିଳିବ ଦ୍ବିତୀୟ ଡୋଜ୍‌ର ସୁବିଧା

ଭୁବନେଶ୍ବର : ଆସନ୍ତା ୫ ତାରିଖରୁ ଆରମ୍ଭ ହେବ ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌। ଏହାସହ ପୂର୍ବରୁ ଶନିବାର ଓ ରବିବାର ହେଉଥିବା ସଟ୍‌ଡାଉନ୍‌ ବଳବତ୍ତର ରହିବ। ତେବେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌(ରବିବାରକୁ ଛାଡ଼ି) ରେ ମଧ୍ୟ ଟିକାକରଣ ଜାରି ରହିବ ବୋଲି ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ରାଜ୍ୟରେ ଟିକାର ଉପଲବ୍ଧକୁ ଦେଖି ଟିକାକରଣ କରାଯିବ। କେବଳ ସାନିଟାଇଜ୍ ପାଇଁ ରବିବାର ଟିକାକରଣ ବନ୍ଦ ରହିବ। ଆଜି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ସଂକ୍ରାନ୍ତରେ ସବୁ ଜିଲ୍ଲାପାଳ, ନଗର ନିଗମ ଓ ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣକୁ ନିଜରରେ ରଖି ରାଜ୍ୟ ସରକାର ୧୪ଦିନିଆ ଲକ୍‌ଡାଉନ୍‌ ‌ଘୋଷଣା କରିଛନ୍ତି। ହେଲେ ରାଜ୍ୟରେ ଟିକାକରଣ ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ରାଜ୍ୟ ସରକାର ଏହାକୁ ପୂର୍ବଭଳି ଜାରି ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା, ୪୫ବ‌ର୍ଷରୁ ଅଧିକ ଓ ୧୮-୪୪ବର୍ଷର ଯେଉଁମାନେ ଟିକା ନେବେ, ସେମାନେ ନିଜ ଗାଡ଼ିରେ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ। ତେବେ ଦ୍ବିତୀୟ ଡୋଜ୍‌ ଟିକା ନେବାକୁ ଥିବା ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବା ଲାଗି କୁହାଯାଇଛି। ସେମାନଙ୍କୁ ଟେଲିଫୋନ୍ ଜରିଆରେ ଯୋଗାଯୋଗ କରିବା ସହ ଟିକାକରଣ କେନ୍ଦ୍ରକୁ ଆାସିବା ଲାଗି ସ୍ବାସ୍ଥ୍ୟ ଟିମ୍‌ ସହଯୋଗ କରିବା ଲାଗି କୁହାଯାଇଛି।

ରାଜ୍ୟରେ ଏବେ ୮ଲକ୍ଷ ୯୦ ହଜାର ୯୧୮ଜଣ ବ୍ୟକ୍ତି ଦ୍ବିତୀୟ ଡୋଜ୍ ଟିକା ନେବା ଅପେକ୍ଷାରେ ଅଛନ୍ତି। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଠିକ୍ ସମୟରେ ଟିକା ଆସୁ ନଥିବାରୁ ସେମାନଙ୍କୁ ଟିକା ପ୍ରଦାନ କରିବା ସମ୍ଭବ ହେଉନାହିଁ। ତେଣୁ ଟିକାକରଣ ଅଧିବେଶନ ପ୍ଲାନିଂ କରିବା ସମୟରେ ଦ୍ବିତୀୟ ଡୋଜ୍ ଟିକା ନେବାକୁ ଅପେକ୍ଷା କରିଥିବା ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଦିଆଯିବ। କୋ-ୱିନ୍ ପୋର୍ଟାଲରୁ ଦ୍ବିତୀୟ ଡୋଜ୍ ଟିକା ଅପେକ୍ଷାରେ ରହିଥିବା ଲୋକଙ୍କ ତାଲିକା ହାସଲ କରିବା ସହିତ ଆଶା/ଅଙ୍ଗନବାଡ଼ି କର୍ମୀ/‌ସ୍ବେଚ୍ଛାସେବୀଙ୍କ ସହାୟତାରେ ଟିକା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବା ଜରୁରୀ। ଯଦି ଦ୍ବିତୀୟ ଡୋଜ୍ ହିତାଧିକାରୀଙ୍କ ପରେ କୌଣସି ଟିକା ବଳି ପଡ଼ୁଛି, ତାହାଲେ ବଳି ପଡ଼ିଥିବା ସ୍ବାସ୍ଥ୍ୟକର୍ମୀ/ଆଗଧାଡ଼ିର ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇପାରିବ। ଏହାସହ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା ଦ୍ବିତୀୟ ଡୋଜ୍ ଟିକା ନେବା ପରେ ଯଦି ଟିକା ଉପଲବ୍ଧ ହୁଏ, ତାହାଲେ ଅନ୍ୟ ବର୍ଗର ଲୋକଙ୍କୁ ଟିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଚଳିତ ମାସ ପହିଲାରୁ ୧୮-୪୪ ବର୍ଗର ଲୋକଙ୍କୁ ଟିକା ପ୍ରଦାନ କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘ‌ରୋଇ ହସ୍ପିଟାଲଗୁଡ଼ିକୁ ଦିଆଯାଉଥିବା ଟିକାକୁ ଫେରାଇଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ତେଣୁ ରାଜ୍ୟର ଯେଉଁ ବ୍ୟକ୍ତିମାନେ ଏପ୍ରିଲ ୩୦ତାରିଖ ପୂର୍ବରୁ ଘରୋଇ ଟିକାଦାନ କେନ୍ଦ୍ରରେ ଟିକା ନେଇଥିବେ, ସେମାନେ ନିଜର ଦ୍ବିତୀୟ ଡୋଜ୍ ଟିକା ସରକାର ଟିକାକରଣ କେନ୍ଦ୍ରରେ ନେଇପାରିବେ ବୋଲି ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟିକାରୁ ସେମାନେ ଦ୍ବିତୀୟ ଡୋଜ୍ ଟିକା ନେଇପାରିବେ। ମାତ୍ର ସେମାନେ ଚାହିଲେ, କେନ୍ଦ୍ର ସରକାରଙ୍କ ଛଡ଼ା ଅନ୍ୟ ଘରୋଇ ଟିକାକରଣ କେନ୍ଦ୍ରରେ ମଧ୍ୟ ନିଜର ଦ୍ବିତୀୟ ଡୋଜ୍ ଟିକା ନେଇପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହାସହ କରୋନା ସଂକ୍ରମିତ ହେଉଥିବା ଜେଲ ଅନ୍ତେବାସୀମାନଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରୋଟୋକଲ ପ୍ରସ୍ତୁତ କରାଯାଇଛି। ଯଦି କୌଣସି ଅନ୍ତେବାସୀ କରୋନାରେ ସଂକ୍ରମିତ ହୁଅନ୍ତି, ତାହାଲେ କେଉଁ ପର୍ଯ୍ୟାୟ ପର୍ଯ୍ୟନ୍ତ ତାଙ୍କୁ ଜେଲ୍‌ରେ ରଖାଯାଇପାରିବ, ସରକାରୀ କୋଭିଡ୍‌ ବ୍ୟବସ୍ଥାକୁ କିଭଳି ସ୍ଥାନାନ୍ତର କରିବା ଭଳି ନିର୍ଦେଶାବଳୀ ରହିଛି। ତେଣୁ ଜେଲ ଅନ୍ତେବାସୀଙ୍କ କ୍ଷେତ୍ରରେ ପ୍ରସ୍ତୁତ ହୋଇଥିବା ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, ନଗର ନିଗମ ଓ ସିଡିଏମ୍‌ଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର