ଘରୋଇ ହସ୍ପିଟାଲରେ ନିୟମିତ ଟିକା ଦର ଯାଞ୍ଚ ନିର୍ଦେଶ, ଆଜି ଜଗତସିଂହପୁରରେ ହେବନି ଟିକାକରଣ

ଭୁବନେଶ୍ବର : ଆଜି ଜଗତସିଂହପୁର ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଜିଲ୍ଲା ପାଇଁ କୌଣସି ଟିକାକରଣ ଅଧିବେଶନ ଆୟୋଜନ କରାଯାଇନାହିଁ। ମାତ୍ର ଅନ୍ୟ ଜିଲ୍ଲାକୁ ମିଶାଇ ସମୁଦାୟ ୫୯୦ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ରାଜ୍ୟରେ ସମୁଦାୟ ଟିକାକରଣ ୮୮ଲକ୍ଷ ମୁହାଁ ହୋଇଛି। ରାଜ୍ୟରେ ଶୁକ୍ରବାର ୭୦୬ ଟିକାକରଣ ଅଧିବେଶନରେ ୯୯,୮୮୭ଜଣଙ୍କୁ କରୋନା ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଗର ୨୫,୦୭୫ଜଣ ପ୍ରଥମ ଓ ୧୨,୫୮୦ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ୪୬,୮୯୬ଜଣ ପ୍ରଥମ ଓ ୧୨,୦୧୪ଜଣ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟରେ ୧୮-୪୪ବର୍ଗର ୧୦ଲକ୍ଷ ୮ହଜାର ୬୨୮ଜଣଙ୍କୁ ପ୍ରଥମ ଡୋଜ୍ ଦିଆ ସରିଲାଣି। ରାଜ୍ୟରେ ଏବେ ୨୨ଟି ଜିଲ୍ଲାକୁ ୧୮-୪୪ବର୍ଗ ଟିକାକରଣକୁ ସଂପ୍ରସାରିତ କରାଯାଇଛି। ଏହାସହ ୪୫ବର୍ଷରୁ ଅଧିକ ୫୫ଲକ୍ଷ ୩ହଜାର ୩୭୩ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ ୧୧ଲକ୍ଷ ୪୧ହଜାର ୫୫୭ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି।

ଅପରପକ୍ଷରେ କେନ୍ଦ୍ର ସରକାର ଘରୋଇ ହସ୍ପିଟାଲ ପାଇଁ ଟିକା ଦରକୁ ସଂଶୋଧିତ କରିବା ପରେ ରାଜ୍ୟ ସରକାର ଆଜି ସବୁ ଜିଲ୍ଲାପାଳ ଓ ନଗର ନିଗମକୁ ଏଥିପାଇଁ ଚିଠି ଲେଖିଛନ୍ତି। ‘କୋଭିସିଲ୍‌ଡ’ର ଗୋଟିଏ ଡୋଜ୍ ୭୮୦, ‘କୋଭାକ୍ସିନ୍’ର ୧୪୧୦ ଓ ସ୍ପୁଟନିକ୍-ଭି ପାଇଁ ୧୧୪୫ଟଙ୍କା ଧାର୍ଯ୍ୟ କରାଯାଇଛି। କୋ-ୱିନ୍ ଆପ୍‌ରେ ମଧ୍ୟ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ତେଣୁ ଘରୋଇ ହସ୍ପିଟାଲମାନେ ଯେପରି ଧାର୍ଯ୍ୟ ଦରଠାରୁ ଅଧିକ ଟଙ୍କା ଲୋକଙ୍କଠାରୁ ନେବେ ନାହିଁ, ସେଥିପାଇଁ ନିୟମିତ ଯାଞ୍ଚ କରିବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦେଶ ଦିଆଯାଇଛି। ଏହାସହ କେନ୍ଦ୍ର ସରକାର ନିଜ ଟିକାକରଣ ନୀତିରେ ପରିବର୍ତ୍ତନ କରିଛନ୍ତି। ୨୧ଜୁନ୍‌ଠାରୁ କେନ୍ଦ୍ର ସରକାର ଟିକା ଉତ୍ପାଦନକାରୀଙ୍କଠାରୁ ୭୫ପ୍ରତିଶତ ଟିକା କିଣିବା ସହିତ ଏହାକୁ ରାଜ୍ୟମାନଙ୍କୁ ପ୍ରଦାନ କରିବେ। ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ି‌ର ଯୋଦ୍ଧା, ୪୫ବର୍ଷରୁ ଅଧିକ, ଦ୍ବିତୀୟ ଡୋଜ୍ ଅପେକ୍ଷାରେ ଥିବା ବ୍ୟକ୍ତି, ୧୮ବର୍ଷରୁ ଅଧିକ ବର୍ଗଙ୍କୁ ପ୍ରାଥମିକତା ଦିଆଯାଇଛି। ଜନସଂଖ୍ୟା, ଅଧିକ ରୋଗୀ ଥିବା ରାଜ୍ୟକୁ ଦେଖି କେନ୍ଦ୍ର ସରକାର ଟିକା ପ୍ରଦାନ କରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି। ତେଣୁ ଟିକା ନଷ୍ଟ ଧାର୍ଯ୍ୟ ଟିକାକୁ ପ୍ରଭାବିତ କରିପାରେ ବୋଲି ଚିଠିରେ କୁହାଯାଇଛି।

ସମ୍ବନ୍ଧିତ ଖବର