୧୮-୪୪ବର୍ଗଙ୍କ ପାଇଁ ଆଉ ଅଛି ୪ହଜାର ଟିକା, ୮୦ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ୧୮-୪୪ବର୍ଗଙ୍କ ଟିକାକରଣ ପାଇଁ ସରକାରଙ୍କ ନିକଟରେ ଆଉ ୪୨୯୦ ଡୋଜ୍‌ର ‘କୋଭିସିଲ୍‌ଡ’ ମହଜୁଦ ଅଛି। ‌ଯଦି ଆଜି ଏହି ବର୍ଗର ୪ ହଜାରରୁ ଅଧିକ ଲୋକଙ୍କୁ ଟିକା ଦିଆଯାଏ, ତାହାଲେ ଟିକା ସରିଯିବ। ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଆସନ୍ତା ୯ ତାରିଖରେ ୨ଲକ୍ଷରୁ ଅଧିକ ଟିକା ଦିଆଯିବ ବୋଲି କୁହାଯାଉଥିବାରୁ ଟିକାକରଣ ବନ୍ଦ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ରାଜଧାନୀରେ ଏହି ବର୍ଗର ଲୋକମାନଙ୍କୁ କେବଳ ଦ୍ବିତୀୟ ଡୋଜ୍ ଟିକା ଦିଆଯାଉଛି। ଏବେ ୨୮୩୦ ଡୋଜ୍‌ର ‘କୋଭାକ୍ସିନ୍‌’ ଟିକା ସରକାରଙ୍କ ପାଖରେ ରହିଛି। ଆଜି ରାଜ୍ୟରେ ୮୮୫ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ରାଜ୍ୟରେ ୮୨୮ ଟିକାକରଣ ଅଧିବେଶନରେ ୭୬,୯୯୩ଜଣଙ୍କୁ କରୋନା ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଗର ୮୭୦୧ଜଣ ପ୍ରଥମ ଓ ୩୫୫ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଏହାସହ ୪୫ ବର୍ଷରୁ ଅଧିକ ୬୨,୮୦୧ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ ୩୨୪୨ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟରେ ସମୁଦାୟ ଟିକାକରଣ ସଂଖ୍ୟା ୮୦ଲକ୍ଷ ୧୨ହଜାର ୧୧୪କୁ ବୃଦ୍ଧି ପାଇଛି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ୯୮.୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ପ୍ରଥମ, ୮୯ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି। ‌ଏହାସହ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୩୦ ପ୍ରତିଶତ ପ୍ରଥମ ଓ ୯୪ ପ୍ରତିଶ ଦ୍ବିତୀୟ ଡୋଜ୍ ନେଇଛନ୍ତି।

ଅପରପକ୍ଷରେ ରାଜ୍ୟ ସରକାର ୧୮-୪୪ବର୍ଗର ଟିକାକରଣକୁ ଆହୁରି ୧୧ଟି ସହରାଞ୍ଚଳକୁ ସଂପ୍ରସାରିତ କରିବା ଲାଗି ଯୋଜନା କରିଛନ୍ତି। ଏଥିରେ ଅନୁଗୁଳ, ବଲାଙ୍ଗୀର, ବାଲେଶ୍ବର, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମର ଛତ୍ରପୁର, ଜଗତସିଂହପୁର ଓ ଯାଜପୁରରେ ଟିକାକରଣ କରାଯିବ। ଟିକା ଆସିବା ପରେ ହିଁ କେବେଠାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ, ସେ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ରାଜ୍ୟରେ ୪୫ ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ଦ୍ରୁତ ଗତିରେ ଜାରି ରହିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୫୦ଲକ୍ଷ ୯୪ହଜାର ୧୮୧ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ଯାହାକି ସମୁଦାୟ ଏହି ବର୍ଗର ଲୋକଙ୍କ ୪୪ ପ୍ରତିଶତ ବୋଲି କୁହାଯାଇଛି। ସେହିପରି ୧୦ଲକ୍ଷ ୮୭ହଜାର ୫୬୪ଜଣ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବର୍ଗର ବ୍ୟକ୍ତିଙ୍କ ପାଇଁ ଟିକା ଦିଆଯାଉଥିବା ବେଳେ ରାଜ୍ୟ ନିକଟରେ ଏବେ ‘କୋଭିସିଲ୍‌ଡ’ର ୬ଲକ୍ଷ ୯ହଜାର ୧୩୦ ଡୋଜ୍ ଓ ‘କୋଭାକ୍ସିନ୍’ର ୪ଲକ୍ଷ ୧୪ହଜାର ୮୮୦ ଡୋଜ୍ ଟିକା ମହଜୁଦ ଅଛି। କେବଳ ଭୁବନେଶ୍ବରରେ ହିଁ ‘କୋଭାକ୍ସିନ୍’ ଟିକା ଦିଆଯାଉଛି। ତେଣୁ ରାଜଧାନୀରେ ବଳକା ‘କୋଭାକ୍ସିନ୍’ ଟିକାକୁ ୧୮-୪୪ବର୍ଗର ଲୋକଙ୍କ କ୍ଷେତ୍ରରେ ବ୍ୟବହାର କରିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଅନୁମତି ମାଗିଛନ୍ତି। ଯଦି କେନ୍ଦ୍ର ସରକାର ଏଥିପାଇଁ ଅନୁମତି ପ୍ରଦାନ କରନ୍ତି, ତାହାଲେ ବଳକା ଟିକା ୧୮-୪୪ବର୍ଗର ଲୋକଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ। ଖୁବ୍‌ଶୀଘ୍ର ଏ ସଂପର୍କରେ ସୂଚନା ମିଳିପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର