ରାଜ୍ୟରେ କୋଟିଏ ନେଲେଣି ଉଭୟ ଡୋଜ୍

୩୫୪୦ ଗାଁରେ ଶତ ପ୍ରତିଶତ ପ୍ରଥମ ଡୋଜ୍
ଏବେ ବି ୨୪ଲକ୍ଷ ହିତାଧିକାରୀ ନେଇ ନାହାନ୍ତି ଦ୍ବିତୀୟ ଡୋଜ୍
ବର୍ଷା, ପାର୍ବଣ ପାଇଁ ଧିମାଉଛି ଟିକାକରଣ

ଭୁବନେଶ୍ୱର : ଟିକାକରଣରେ ରାଜ୍ୟ ନୂଆ ସଫଳତା ହାସଲ କରିଛି। ରାଜ୍ୟର କୋଟିଏ ହିତାଧିକାରୀ ଉଭୟ ଡୋଜ୍ ଟିକା ନେଇଛନ୍ତି। ରାଜ୍ୟରେ ବର୍ତମାନ ସୁଦ୍ଧା ୭୮ ପ୍ରତିଶତ ପ୍ରଥମ ଡୋଜ୍ ଓ ୩୨ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ଏସବୁ ସତ୍ତ୍ବେ ଅନେକ ହିତାଧିକାରୀ ଏବେ ମଧ୍ୟ ନିଜର ଦ୍ବିତୀୟ ଡୋଜ୍ ନେବାକୁ ଆସୁ ନାହାନ୍ତି।

ଜାନୁଆରି ୧୬ତାରିଖରେ ଟିକାକରଣ ଆରମ୍ଭ ହେବା ପରେ ରାଜ୍ୟରେ ଏବେ ସୁଦ୍ଧା ୩ କୋଟି ୪୩ଲକ୍ଷ ୬୨ହଜାର ୫୪୭ ଡୋଜ୍ ଟିକା ଦିଆଗଲାଣି। ତହିଁରୁ ୨କୋଟି ୪୧ଲକ୍ଷରୁ ଅଧିକ ପ୍ରଥମ ଓ କୋଟିଏରୁ ଅଧିକ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି। ତେବେ ଏବେ ବି ୨୪ଲକ୍ଷ ହିତାଧିକାରୀ ନିଜର ଦ୍ବିତୀୟ ଡୋଜ୍ ଟିକା ନେବାକୁ ବାକି ରହିଛନ୍ତି। ରାଜ୍ୟରେ ସମୁଦାୟ ୩.୧କୋଟି ହିତାଧିକାରୀଙ୍କୁ ଟିକା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତହିଁରୁ ଆସନ୍ତା ଡିସେମ୍ବର ସୁଦ୍ଧା ଶତ ପ୍ରତିଶତ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟର ୨ ମ୍ୟୁନିସିପାଲଟି ଓ ୫ଟି ବ୍ଲକ୍‌ରେ ଶତ ପ୍ରତିଶତ ଟିକାକରଣ ହୋଇଛି। ଏହାସହ ୩୫୪୦ଟି ଗ୍ରାମରେ ମଧ୍ୟ ଶତ ପ୍ରତିଶତ ପ୍ରଥମ ଡୋଜ୍ ଟିକା ଦିଆଗଲାଣି। ତେବେ ୨୪ଲକ୍ଷ ହିତାଧିକାରୀ ଦ୍ବିତୀୟ ଡୋଜ୍ ଟିକା ନେବାକୁ ବାକି ରହିଛନ୍ତି। ‌ଦ୍ବିତୀୟ ଡୋଜ୍ ଟିକା ନେଇ ନ ଥିବା ବ୍ୟକ୍ତିମାନଙ୍କୁ ବାରମ୍ବାର ଫୋନ୍ ଓ ମେସେଜ୍ ଦିଆଯାଉଛି। ଆଶା ଓ ଅଙ୍ଗନବାଡ଼ି କର୍ମୀ ମଧ୍ୟ ଫାସିଲିଟେଟ୍‌ କରୁଛନ୍ତି। ତଥାପି ଲୋକମାନେ ଟିକା ନେବାକୁ ଆସୁ ନାହାନ୍ତି। ଅପରପକ୍ଷରେ ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିବାକୁ ସଂପୂର୍ଣ୍ଣ ଅସମର୍ଥ ସେମାନଙ୍କୁ ଘରେ ଟିକା ଦିଆଯାଉଛି। ଚଳିତମାସ ବର୍ଷା, ପୂଜା ପାଇଁ ରାଜ୍ୟରେ ଟିକାକରଣ ଧିମେଇ ଯାଇଛି। ଯାହାଫଳରେ ରାଜ୍ୟ ସରକାର ଦୈନିକ ଯେଉଁ ୪ଲକ୍ଷ ଡୋଜ୍ ଦେବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ସଫଳ ହୋଇପାରୁନି। ହେଲେ ଆସନ୍ତା ୨/୩ଦିନ ଭିତରେ ପୁଣିଥରେ ରାଜ୍ୟରେ ଟିକାକରଣ ବଢ଼ିବ ବୋଲି ଆଶା କରାଯାଉଥିବା ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟରେ ସୋମବାର ଦିନ ୧୭୩୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୨ଲକ୍ଷ ୮୮ହଜାର ୯୭ଜଣଙ୍କୁ ଟିକା ଦିଆଯାଇଛି। ଯୁବ ବର୍ଗରେ ୧,୧୮,୪୩୯ ପ୍ରଥମ, ୮୫,୫୯୯ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୪୬,୧୦୪ ପ୍ରଥମ ଓ ୩୭,୩୯୪ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ଯୁବବର୍ଗରେ ବର୍ତମାନ ସୁଦ୍ଧା ୬୯ ପ୍ରତିଶତ ପ୍ରଥମ ଓ ୪୫ବର୍ଷରୁ ଅଧିକ ୮୮ ପ୍ରତିଶତ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟରେ ଏବେ ୨୨ଲକ୍ଷରୁ ଅଧିକ ଡୋଜ୍ ଟିକା ମହଜୁଦ ରହିଛି। ଆସନ୍ତାକାଲି ରାଜ୍ୟରେ ୧୮୩୫ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର