ଛୁଟି‌ ଦିନରେ ଟିକାକରଣ କମିଗଲା, ଦିନକରେ ନେଲେ ମାତ୍ର ୩୨୭୧

ଭୁବନେଶ୍ବର : ଗୁରୁବାର ଛୁଟି ଦିନରେ ରାଜ୍ୟରେ ଟିକାକରଣ ବହୁ ମାତ୍ରାରେ କମିଯାଇଛି। ମାତ୍ର ୩୨୭୧ ଜଣ ଟିକା ନେଇଛନ୍ତି। ୪୧ଟି ସେସନ୍‌ରେ ଟିକା ଦିଆଯାଇଥିଲା। ତେବେ ଆସନ୍ତାକାଲି ଠାରୁ ଟିକାକରଣ ତ୍ବରାନ୍ବିତ ହେବାର ସମ୍ଭାବନା। ଗୁରୁବାର ଦିନ ରାଜ୍ୟରେ ମୋଟ୍‌ ୩୨୭୧ ଜଣ ଟିକା ନେଇଛନ୍ତି। ତାହା ମଧ୍ୟରୁ ୧୪ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍‌ ଟିକା ନେଇଥିଲା ବେଳେ ୨୫୬ ଜଣ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି। ୧୨ ଜଣ ଆଗଧାଡ଼ିର କରୋନା ଯୋଦ୍ଧା ପ୍ରଥମ ଡୋଜ୍‌ ଓ ୫୫୪ ଜଣ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି। ରାଜ୍ୟରେ ବରିଷ୍ଠ ନାଗରିକ ଟିକାକରଣ ଅଭିଯାନରେ ଏକାଦଶ ଦିନରେ ୨,୨୮୨ ଜଣଙ୍କୁ ଟିକା ଦିଆଯାଇଛି। ଆଜି ସୁଦ୍ଧା ମୋଟ୍‌ ୨,୫୩,୪୧୦ ବରିଷ୍ଠ ନାଗରିକ ଟିକା ନେଇସାରିଲେଣି। ଏହା ବାଦ୍ ଜଟିଳ ରୋଗ ବା କୋ-ମର୍ବିଡ୍‌ ଥିବା ୪୫ ବର୍ଷରୁ ଅଧିକ ବୟସର ୧୫୩ ଜଣ ଗୁରୁବାର ଦିନ ଟିକା ନେଇଛନ୍ତି। ଗୁରୁବାର ସୁଦ୍ଧା ରାଜ୍ୟରେ ମୋଟ୍‌ ୧୦,୧୭,୦୪୮ ଡୋଜ୍ ଟିକା ଦିଆସରିଛି।

ଦିନକୁ ଏକ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ସରକାର ଯୋଜନା କରିଛନ୍ତି। ଏଥି ପାଇଁ ଜିଲ୍ଲା ୱାରି ଦୈନିକ ଟାର୍ଗେଟ୍‌ ସ୍ଥିର କରାଯାଇଛି। ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟାକୁ ବିଚାରକୁ ନେଇ ଏହି ସଂଖ୍ୟା ଧାର୍ଯ୍ୟ ହୋଇଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିସନର୍‌, ସିଡିଏମ୍‌ଓ ଓ ପିଏଚ୍‌ଓମାନଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖି ଜଣାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର