୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା: ଜାନୁୟାରୀ ୮ ତାରିଖ ପରେ ମାଟ୍ରିକ ପିଲା ନେବେ ଟିକା

ଭୁବନେଶ୍ୱର: ଜାନୁୟାରୀ ୮ ତାରିଖ ପରେ ଟିକା ନେବେ ମାଟ୍ରିକ ପିଲା । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତା କାଲିଠାରୁ ସାରା ଦେଶରେ ୧୫ରୁ ୧୮ ବର୍ଷୀୟ ପିଲାଙ୍କ ଟିକାକରଣ ଆରମ୍ଭ ହେଉଥିବାବେଳେ, ଓଡିଶାରେ କିନ୍ତୁ ମାଟ୍ରିକ ପିଲା ୮ ତାରିଖ ପରେ ଟିକା ନେବେ । ସୂଚନା ମୁତାବକ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜୁନିୟର କଲେଜ ଅଧ୍ୟକ୍ଷକୁ ନେଇ ଏକ ବୈଠକ ବସିଥିଲା । ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଅଧ୍ୟକ୍ଷତା କରିଥିଲେ । ତେବେ ଆସନ୍ତା ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ହେବାକୁ ଅଛି । ତେଣୁ ଏହାକୁ ଆଖି ଆଗରେ ରଖି ୮ ତାରିଖ ପରେ ମାଟ୍ରିକ ପିଲାଙ୍କ ଟିକାକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ତା ସହିତ ପ୍ରଥମେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କର ଟିକାକରଣ କରାଯିବ ବୋଲି ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ସୂଚନାଯୋଗ୍ୟ ଯେ, ଆସନ୍ତାକାଲିଠୁ ସାରା ଦେଶରେ ୧୫ ବର୍ଷରୁ ୧୮ ବର୍ଷର ପିଲାଙ୍କର ଟିକାକରଣ ଆରମ୍ଭ ହେବ । ଏଥିପାଇଁ ଦିନକରେ ୩ଲକ୍ଷ ୧୫ହଜାର ୪୧୬ଜଣ ପିଲା ଟିକା ନେବା ପାଇଁ ପଞ୍ଜୀକରଣ କରିଛନ୍ତି । ୧୦କୋଟି ପିଲାଙ୍କୁ ଟିକାକରଣ ଦିଆଯିବାକୁ ଲକ୍ଷ୍ୟ କରାଯାଇଛି । ଦେଶର ସୁରକ୍ଷା ଓ ପିଲାଙ୍କ ସୁରକ୍ଷା ପାଇଁ ପଞ୍ଜୀକରଣ କରି ଟିକା ନେବାକୁ ଅଭିଭାବକଙ୍କ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।

କିଶୋରଙ୍କୁ ଟିକାକରଣ ପାଇଁ ଗତକାଲି ଠାରୁ ଆରମ୍ଭ ହୋଇଛି ସ୍ଲଟ୍ ବୁକିଂ । ୧୫ରୁ ୧୮ ବର୍ଷ ବୟସ୍କ ସ୍ଲଟ୍ ବୁକିଂ କରି ନିର୍ଦ୍ଧାରିତ କେନ୍ଦ୍ରରେ ଟିକା ନେଇପାରିବେ । କୋୱିନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିପାରିବେ । ଏହା ଛଡା ‘ଅନ୍ ଦ ସ୍ପଟ୍’ ଟିକାକରଣର ବ୍ୟବସ୍ଥା ମଧ୍ୟ ହୋଇଛି । ଯେଉଁମାନେ ସ୍ଲଟ୍ ବୁକିଂ କରିପାରିବେ ନାହିଁ ସେମାନେ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚି ସ୍କୁଲ ଓ କଲେଜର ପରିଚୟପତ୍ର ଦେଖାଇ ଟିକା ନେଇପାରିବେ । କିଶୋରଙ୍କୁ ଟିକା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ମଧ୍ୟ ଟିକାକରଣ କେନ୍ଦ୍ର କରାଯାଇପାରେ । ରାଜଧାନୀରେ ଲକ୍ଷେ କିଶୋର କରୋନାର ଟିକା ନେବେ । ଏଥିପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଭୁବନେଶ୍ୱରରେ ୩୫ଟି ଟିକାକରଣ କେନ୍ଦ୍ରରେ ଭ୍ୟାକ୍ସିନ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧିତ ଖବର