ସୁନ୍ଦରଗଡ ଜିଲ୍ଲାରେ ୭ ଲକ୍ଷ ଲୋକଙ୍କୁ ଦିଆଗଲାଣି କୋଭିଡ଼ ଟିକା

ଟାର୍ଗେଟ ରହିଛି ପ୍ରାୟ ୧୬ ଲକ୍ଷ

୫, ୬୩,୪୦୮ଙ୍କୁ ପ୍ରଥମ, ୧,୩୮,୫୧୦ଙ୍କୁ ଦ୍ବିତୀୟ ଡୋଜ୍‌
ଜଣେ ମାତ୍ର ଗର୍ଭବତୀଙ୍କୁ ପ୍ରଥମ ଡୋଜ୍‌

ରାଉରକେଲା : କମୁଛି କରୋନା ସଂକ୍ରମଣ। ସୁନ୍ଦରଗଡ ଜିଲ୍ଲାରେ ଦୈନନ୍ଦିନ ୪ ଅଙ୍କ ଛୁଉଁଥିବା ଆକ୍ରାନ୍ତ ସଂଖ୍ୟା ଏବେ ତଳ ମୁହାଁ ହୋଇ ଦୁଇ ଅଙ୍କରେ ପହଞ୍ଚିଛି। କରୋନା ସଞ୍ଜିବନୀ (କୋଭିଡ ଟିକା) ଟିକାକରଣ ଜାରି ରହିଛି। ସୁନ୍ଦରଗଡ ଜିଲ୍ଲାର ରାଉରକେଲା, ସୁନ୍ଦରଗଡ ସମେତ ୧୭ଟି ବ୍ଳକରେ ଟିକାକରଣକୁ ଜୋରଦାର କରାଯାଇଛି। ଗତ ୨୦୨୧ ଜାନୁଆରୀ ୧୬ ଆରମ୍ଭ ହୋଇଥିଲା ଟିକାକରଣ। ବୁଧବାର ସୁଦ୍ଧା ଜିଲ୍ଲାରେ ମୋଟ ୭ ଲକ୍ଷ ୧ ହଜାର ୯୧୮ ଜଣଙ୍କୁ କୋଭିଡ ଟିକା ଦିଆଯାଇଛି। ୫ ଲକ୍ଷ ୬୩ ହଜାର ୪୦୮ ଜଙ୍କୁ ପ୍ରଥମ, ୧ ଲକ୍ଷ ୩୮ ହଜାର ୫୧୦ ଜଣଙ୍କୁ ଦ୍ବିତୀୟ ଡୋଜ୍‌ ଦିଆଯାଇଛି। ଜିଲ୍ଲାର ଜଣେ ମାତ୍ର ଗର୍ଭବତୀ ପ୍ରଥମେ ଡୋଜ୍‌ କୋଭିଡ଼ ଟିକା ନେଇଛନ୍ତି।

ଜିଲ୍ଲାର ମୋଟ ପ୍ରାୟ ୧୬ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଅର୍ଥାତ୍ ଆହୁରି ୯ ଲକ୍ଷ ଲୋକ ଟିକା ନେବା ଅପେକ୍ଷା ରହିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଗର୍ଭବତୀ ମହିଳା, ବରିଷ୍ଠ ନାଗରିକ, ଯୁବାବର୍ଗ ଓ ସ୍ବାସ୍ଥ୍ୟକର୍ମୀ। ସର୍ବାଧିକ ଲୋକ ପ୍ରଥମ ଡୋଜ୍‌ ନେଇ ଥିବାରୁ ଏବେ ଦ୍ବିତୀୟ ଡୋଜ୍‌କୁ ପ୍ରାଥମିକତା ଦିଆଯାଉଛି। ରାଜ୍ୟକୁ ଆବଶ୍ୟକ ଅନୁପାତରେ ଟିକା କେନ୍ଦ୍ରରୁ ନ ଆସିବା ପର୍ଯ୍ୟନ୍ତ ଜିଲ୍ଲାରେ ଏଭଳି ସ୍ଥିତି ଜାରି ରହିବ। ରାଜ୍ୟରେ ଉପଲବ୍ଧ ଟିକା ଅନୁଯାୟୀ ଦ୍ବିତୀୟ ଡୋଜ୍‌ ପାଇଁ ସ୍ଲଟ୍‌ ବୁକିଂ ହେଉଛି। ‌ସେମିତି ଆଗାମୀ ଦିନରେ ଦ୍ବିତୀୟ ଡୋଜ୍‌ ପରି ଗର୍ଭବତୀ ମହିଳାଙ୍କୁ ପ୍ରଥମ ଡୋଜ୍‌ ଦେବାକୁ ଗୁରୁତ୍ବ ଦିଆଯିବ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଗତକାଲି (୨୦.୭.୨୦୨୧) ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ମୋଟ ୬ ଲକ୍ଷ ୯୦ ହଜାର ୮୫୧ ଜଣଙ୍କୁ କୋଭିଡ୍‌ ଟିକା ଦିଆଯାଇଥିଲା। ଗତକାଲି କେବଳ ଗୋଟିଏ ଦିନରେ ୮ ହଜାର ୫୨୧ ଜଣଙ୍କୁ ଟିକା ଦିଆଯାଇଥିଲା। ୧୮ରୁ ୪୪ ବର୍ଷର ଯୁବାବର୍ଗଙ୍କ ମଧ୍ୟରୁ ୨ ଲକ୍ଷ ୫୫ ହଜାର ୯୯୫ଙ୍କୁ ପ୍ରଥମ, ମାତ୍ର ୪୬୭ ଜଣଙ୍କୁ ଦ୍ବିତୀୟ ଡୋଜ୍‌ ଦିଆଯାଇଛି। ୪୫ରୁ ୫୯ ବର୍ଷ ବର୍ଗର ୧ ଲକ୍ଷ ୬୪ ହଜାର ୫୫୬ଙ୍କୁ ପ୍ରଥମ ଡୋଜ୍‌, ୭୦ ହଜାର ୬୬୭ଙ୍କୁ ଦ୍ବିତୀୟ ଡୋଜ୍‌ ଦିଆଯାଇଛି। ୬୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ୯୭ ହଜାର ୯୭୯ ଜଣଙ୍କୁ ପ୍ରଥମ, ୪୫ ହଜାର ୧୩୭ ଜଣଙ୍କୁ ଦ୍ବିତୀୟ ଡୋଜ୍‌ ଦିଆଯାଇଛି। ୧୬ ହଜାର ୫୫୬ ପୁରୁଷ ସ୍ବାସ୍ଥ୍ୟକମୀଙ୍କୁ ପ୍ରଥମ, ୧୨ ହଜାର ୪୭୩ଙ୍କୁ ଦ୍ବିତୀୟ ଡୋଜ୍‌ ଦିଆଯାଇଛି। ସେମିତି ୧୭ ହଜାର ୪୪୧ଙ୍କୁ ପ୍ରଥମ, ୯ ହଜାର ୫୮୧ ଜଣଙ୍କୁ ଦ୍ବିତୀୟ ଡୋଜ୍‌ ଦିଆଯାଇଛି। ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ ମିଶ୍ର କହିଛନ୍ତି, ଜିଲ୍ଲାକୁ ରାଜ୍ୟରୁ ଯେତିକି ଟିକା ଆସୁଛି। ସଙ୍ଗେ ସଙ୍ଗେ ଦେଇ ଦିଆଯାଉଛି। ଖୁବ୍‌ ଶୀଘ୍ର ଗର୍ଭବତୀ ମହିଳାଙ୍କୁ ଦିଆଯିବାକୁ ଯୋଜନା ରହିଛି। ଜିଲ୍ଲାର ମୋଟ ୨୨ ଲକ୍ଷ ଲୋକଙ୍କ ମଧ୍ୟରୁ ପାଖାପାଖି ୧୬ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ବୁଧବାର ସୁଦ୍ଧା ୭ ଲକ୍ଷ ଲୋକ ଟିକା ନେଇ ସାରିଛନ୍ତି।

ସମ୍ବନ୍ଧିତ ଖବର