ରାଉରକେଲା: ଜିଲ୍ଲାରେ ଆଜି ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଜିଲ୍ଲାକୁ ଆସିଥିବା ଟିକା ଶେଷ ହୋଇଯିବାରୁ ଆଜି ଏହି ଅସୁବିଧା ପରିଲକ୍ଷିତ ହୋଇଛି। ଜିଲ୍ଲାରେ ୭୦ଟି ଟିକାକରଣ କେନ୍ଦ୍ରରେ ଦୈନିକ ପ୍ରାୟ ୯/୧୦ ହଜାର ଲୋକଙ୍କୁ ଟିକା କରଣ କରାଯାଇଥାଏ। ତେବେ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ନ ଥିବାରୁ ଆଜି ମାତ୍ର ପ୍ରାୟ ୩ ହଜାର ଲୋକଙ୍କୁ ଟିକା ଦିଆଯାଇଛି। ତେବେ ଇସ୍ପାତ ସହରର ଗୋଟିଏ ବି ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇନି। ଫଳରେ ଦୂର ଦୂରାନ୍ତରୁ ଆସିଥିବା ବରିଷ୍ଠ ନାଗରିକ, ୪୫ ବର୍ଷରୁ ଉର୍ଦ୍ଧ୍ବ ନାଗରିକ ଯାବତୀୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏନେଇ କିନ୍ତୁ ବିଭିନ୍ନ ଟିକାକରଣ କେନ୍ଦ୍ର, ଯଥା-ଆର୍ଜିଏଚ୍, ଆଇଜିଏଚ୍, ପାନପୋଷ ସବଡିଭିଜନାଲ ହସପିଟାଲ, ଛେଣ୍ଡ୍ ଆହୂତି ଭବନ ଆଦି କେନ୍ଦ୍ର ସମ୍ମୁଖରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ହିତାଧିକାରୀମାନେ ନିଜର ଅସନ୍ତୋଷ ଜାହିର କରିଥିଲେ। ଟିକାକରଣ ବନ୍ଦ ନେଇ ପୂର୍ବରୁ ସୂଚନା ଦିଆନଯିବାରୁ ପ୍ରଶାସନକୁ ଦୋଷାରୋପ କରିଥିଲେ। ଟିକା ନ ମିଳିବାରୁ ନିରାଶ ହୋଇ ଘରକୁ ଫେରିଥିଲେ।
ଜିଲ୍ଲାକୁ ପ୍ରତି ସପ୍ତାହରେ ୨/୩ ଥର ଟିକା ଅଣାଯାଇଥାଏ। ଗୋଟିଏ ଥର ଟିକା ଆଣିଲେ, ତାକୁ ଗଚ୍ଛିତ ରଖି ପରବର୍ତ୍ତୀ ୨/୩ ଦିନ ଯାଏଁ ବ୍ୟବହାର କରାଯାଇଥାଏ। ମାତ୍ର ଗତଥର ଆସିଥିବା ଟିକା ଶେଷ ହୋଇଯାଇଥିଲା। ଆଜି ବିଳମ୍ବରରେ ଜିଲ୍ଲାରେ ଟିକା ପହଞ୍ଚିଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବାପରେ ବିଭିନ୍ନ କେନ୍ଦ୍ରକୁ ପଠାଯାଇଥିଲା। ସେତେବେଳକୁ କିନ୍ତୁ ବହୁ ବିଳମ୍ବ ହୋଇସାରିଥିଲା। ଏଣୁ ରାଉରକେଲା ସମେତ ବଣାଇଁ, କୋଇଡ଼ା, ଗୁରୁଣ୍ଡିଆ ଆଦି ଅଞ୍ଚଳରେ ଟିକାକରଣ ହୋଇପାରିନି। ଆସନ୍ତାକାଲିଠାରୁ ଟିକାକରଣ ସ୍ବାଭାବିକ୍ ହେବବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଏଯାବତ୍ ଜିଲ୍ଲାରେ ୧ ଲକ୍ଷ ୫୬ ହଜାର ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା, ବରିଷ୍ଠ ନାଗରିକ, ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯାଇସାରିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/rkl-vaccine.jpg)