ସମ୍ବଲପୁର : ବିଶ୍ବ ସ୍ବାସ୍ଥ୍ୟ ଦିବସଠୁ ଆରମ୍ଭ ହୋଇଛି ଟିକା ସଂକଟ। ଜିଲ୍ଲାରେ ଆରମ୍ଭରୁ ସୁରୁଖୁରୁରେ ଚାଲି ଆସିଥିବା କୋଭିଡ୍ ଟିକାକରଣ ଅଭିଯାନକୁ ବୁଧବାରଠାରୁ ଧକ୍କା ଲାଗିଛି। ଟିକାର ଅଭାବ କାରଣରୁ ଏହି ଦୁଇଦିନ ଜିଲ୍ଲାରେ ଠିକ୍ ଭାବେ ଟିକାକରଣ ହୋଇପାରି ନାହିଁ। ୨ ଦିନ ହେଲା କିଛି କେନ୍ଦ୍ରରେ ଆଦୌ ଟିକା ଦିଆଯାଇ ନଥିଲା ବେଳେ ଆଉ କିଛି କେନ୍ଦ୍ରରେ ନିୟମିତ ଲକ୍ଷ୍ୟଠାରୁ କମ୍ ପରିମାଣରେ ଦିଆ ଯାଇଛି। ଅପରପକ୍ଷରେ କରୋନା ପୁଣିଥରେ ବଢ଼ି ଚାଲିଥିଲା ବେଳେ ଟିକା କେନ୍ଦ୍ର ଗୁଡ଼ିକରେ ଲୋକଙ୍କ ଭିଡ଼ ମଧ୍ୟ ବଢ଼ି ଚାଲିଛି। ସକାଳୁ ସକାଳୁ ପ୍ରତି ଟିକାଦାନ କେନ୍ଦ୍ରରେ ଶହଶହ ଲୋକଙ୍କ ଲାଇନ୍ ଲାଗୁଛି। ଘଣ୍ଟାଘଣ୍ଟା ଧରି ଟୋକନ୍ ପାଇଁ ଲାଇନ୍ରେ ରହିଲା ପରେ ସେମାନଙ୍କ ମଧ୍ୟରୁ ଅନେକ ଟୋକନ୍ ନପାଇ ନିରାଶ ହେଉଛନ୍ତି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ବୁଧବାର ଓ ଗୁରୁବାର ଉଭୟ ଦିନ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥିତ ଟିକା କେନ୍ଦ୍ରକୁ ଟିକା ନେବାକୁ ଆସି ନିରାଶ ହୋଇଥିବା ଲୋକେ ପାଟିତୁଣ୍ଡ କରିଥିଲେ। ଏପରିକି ଟୋକନ୍ ମିଳିଥିବା ଲୋକଙ୍କୁ ବି ଟିକା ମିଳି ନଥିଲା। ଫଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଗୁରୁବାର ସକାଳ ବେଳା ଜେପି ମାତୃମଙ୍ଗଳ କେନ୍ଦ୍ର ସମେତ କେତେକ କେନ୍ଦ୍ରରେ ସକାଳ ଓଳଳି ଟିକା ଦିଆଯାଇ ନଥିଲା। ଟିକା ନେବାକୁ ଆସିଥିବା ଲୋକେ ନିରାଶ ହୋଇ ଫେରିଥିଲେ। ଅପରାହ୍ଣରେ ମାତୃ ମଙ୍ଗଳ କେନ୍ଦ୍ରରେ କିଛି ଟିକା ଦିଆ ଯାଇଥିଲା। ସହରାଞ୍ଚଳ କେନ୍ଦ୍ର ଗୁଡ଼ିକ ଭଳି ଗ୍ରାମାଞ୍ଚଳରେ ମଧ୍ୟ ଆବଶ୍ୟକତା ଅନୁସାରେ ଟିକା ନଥିବାରୁ ଟିକାକରଣ ଅଭିଯାନ ଧିମେଇ ଯାଇଛି।
ଆଗାମୀ ୨ ଦିନ ପାଇଁ ଜିଲ୍ଲାକୁ ୧୪ ହଜାର ଟିକା ଆସିଛି। ତାହା କେଉଁ କେନ୍ଦ୍ରରେ କେତେ ସଂଖ୍ୟାରେ ଦିଆଯିବ ଓ କେଉଁ କେଉଁ କେନ୍ଦ୍ର ଚାଲୁ ରଖି କେଉଁ ଗୁଡ଼ିକୁ ସାମୟିକ ଭାବେ ବନ୍ଦ କରାଯିବ ତାହା ଆଲୋଚନା କରିବାକୁ ରାତିରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ମାନଙ୍କ ବୈଠକ ହୋଇଥିଲା। ତେବେ ଟିକା ଅଭାବ ସାୟମିକ ହୋଇଥିଲା ବେଳେ ଖୁବ୍ ଶୀଘ୍ର ଏହା ସ୍ବାଭାବିକ ହେବ ଓ ଲୋକଙ୍କୁ ସୁରୁଖୁରୁରେ ଟିକା ମିଳିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।