୬ରୁ ଆଗଧାଡ଼ିର ଯୋଦ୍ଧାଙ୍କୁ ଦିଆଯିବ ଟିକା

ଭୁବନେଶ୍ବର : ଆସନ୍ତା ୬ତାରିଖରୁ ରାଜ୍ୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏଥିପାଇଁ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ଗୃହ, ରାଜସ୍ବ ଓ ନଗର ଉନ୍ନୟନ ବିଭାଗର କର୍ମଚାରୀଙ୍କୁ ମିଶାଇ ୧ଲକ୍ଷ ୯୨ହଜାର ୪୩୭ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଖୋର୍ଧା ଜିଲ୍ଲାର ସର୍ବାଧିକ ୨୪,୧୯୭ ହିତାଧିକାରୀ ରହିଛନ୍ତି। ତେବେ ଆଗଧାଡ଼ିର ଯୋଦ୍ଧାଙ୍କ ଟିକାକରଣ ପୂର୍ବରୁ ବ୍ୟାପକ ବ୍ୟବସ୍ଥା କରିବା ଲାଗି ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର, ସିଡିଏମ୍‌ଓ, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍‌ ନିର୍ଦେଶକଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ।

ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ସ୍ବାସ୍ଥ୍ୟାନୁଷ୍ଠାନ ବାଦ୍ ଅନ୍ୟ ଟିକାକରଣ କେନ୍ଦ୍ର ଚିହ୍ନଟ କରିବା ଲାଗି କୁହାଯାଇଛି। ଏହାସହ ବିକଳ୍ପ ଭ୍ୟାକ୍ସିନେଟରଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ତାଲିମ ପ୍ରଦାନ କରିବା ଲାଗି କୁହାଯାଇଛି। ଯେଉଁ କାର୍ଯ୍ୟାଳୟର କର୍ମଚାରୀ ଟିକା ନେବେ ସେହି ବିଭାଗର ଜଣେ କର୍ମଚାରୀଙ୍କୁ ନୋଡାଲ ଅଧିକାରୀ ଭାବେ ଚିହ୍ନଟ କରାଯିବ। ଫଳରେ ହିତାଧିକାରୀଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ସଂପର୍କରେ ସେ ସୂଚନା ଦେଇପାରିବେ। ଯେଉଁ ଭ୍ୟାକ୍ସିନେଟରମାନେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦେବେ ସେମାନଙ୍କୁ ପ୍ରତ୍ୟେକ ଦିନ ୫ଶହ ଟଙ୍କା ଦିଆଯିବ। ଏପରିକି ଯେଉଁ ସରକାରୀ କର୍ମଚାରୀ ନିଜ ଛୁଟି ଦିନରେ ଏଥିରେ ସାମିଲ ‌ହେବେ ସେମାନଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବ। ତେବେ ଭ୍ୟାକ୍ସିନେଟରମାନଙ୍କୁ କୌଣସି ଗମନାଗମନ ଭତ୍ତା(ଟିଏ) ପ୍ରଦାନ କରାଯିବ ନାହିଁ। ଆଜିଠାରୁ ଜିଲ୍ଲାମାନଙ୍କୁ ଟିକା ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଶତ ପ୍ରତିଶତ ଟିକାକରଣ ପାଇଁ ତୃଣମୂଳସ୍ତରରେ ମାଇକ୍ରୋ ପ୍ଲାନିଂ ପ୍ରସ୍ତୁତ କରାଯିବା ଦରକାର। ଆସନ୍ତାକାଲି ସୁଦ୍ଧା ଏସବୁର ମାଇକ୍ରୋ ପ୍ଲାନିଂ ପରିବାର କଲ୍ୟାଣ ନିର୍ଦେଶକଙ୍କୁ ପ୍ରଦାନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦେଶ ଦେଇଛନ୍ତି।

ଚିହ୍ନଟ ହୋଇଥିବା ୧ଲକ୍ଷ ୯୨ହଜାର ୪୩୭ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧ଲକ୍ଷ ୫୭ହଜାର ୩୮୮ଜଣ ଗୃହ ବିଭାଗର ରହିଛନ୍ତି। ନଗର ଉନ୍ନୟନ ବିଭାଗର ୨୫,୯୬୧ଜଣ ଓ ୯୦୮୮ଜଣ ରାଜସ୍ବ ବିଭାଗର ରହିଛନ୍ତି। ଖୋର୍ଧା ଜିଲ୍ଲାକୁ ବାଦ୍ ଦେଲେ ଗଞ୍ଜାମରେ ୧୩,୦୪୩, କଟକରେ ୧୨,୬୩୬, କୋ‌ରାପୁଟ ୧୧,୩୮୦ ହିତାଧିକାରୀ ରହିଛନ୍ତି। ବୌଦ୍ଧରେ ସର୍ବନିମ୍ନ ୨ହଜାର ଓ ସୋନପୁରରେ ୨୪୧୨ଜଣ ଆଗଧାଡ଼ିର ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଗତମାସ ୩୧ତାରିଖ ସୁଦ୍ଧା ସେମାନଙ୍କ ତଥ୍ୟ କୋ-ୱିନ୍ ପୋର୍ଟାଲରେ ଅପଲୋଡ୍ କରାଯାଇଛି।

ଆସିବ ୬୩ହଜାର ‘କୋଭିସିଲ୍‌ଡ’ ଓ ୮୩ହଜାର ‘କୋଭାକ୍ସିନ୍’
ଜାନୁଆରି ୧୬ତାରିଖରୁ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯାଉଛି। ରାଜ୍ୟରେ ସମୁଦାୟ ସାଢ଼େ ୩ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଦ୍ବିତୀୟ ପର୍ଯ୍ୟାୟରେ ଆଗଧାଡ଼ିର ଯୋଦ୍ଧାମାନଙ୍କୁ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏହି ଭିତ୍ତିରେ ଆଗାମୀ ଦିନରେ ୬୩,୦୯୦ ଡୋଜ୍‌ର ‘କୋଭିସିଲ୍‌ଡ’ ଟିକା ଆସିବ। ‌ଚେନ୍ନାଇରୁ ୨୦,୭୩୦ ଡୋଜ୍ ଓ ମୁମ୍ବାଇରୁ ୪୨,୩୬୦ଡୋଜ୍ ଆସିବ। ଏହାସହ ୮୩,୫୦୦ ଡୋଜ୍‌ର ‘କୋଭାକ୍ସିନ୍’ ଟିକାକୁ ମିଶାଇ ସମୁଦାୟ ୧ଲକ୍ଷ ୪୬ହଜାର ୫୯୦ ଡୋଜ୍‌ର ଟିକା ଆସିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର