ଆଜି ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର : ଆଜି ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଟିକାର ଅଭାବ ପାଇଁ ବାଲେଶ୍ବର, ବରଗଡ଼, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଟିକାକରଣ କରାଯିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ରାଜ୍ୟରେ ମାତ୍ର ୧୨୩ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି କୁହାଯାଇଛି।

ରାଜ୍ୟରେ ‘କୋଭିସିଲ୍‌ଡ’ ଟିକାର ଉତ୍କଟ ଅଭାବ ଦେଖା ଦେଇଛି। ରାଜ୍ୟରେ ଏବେ ‘କୋଭିସିଲ୍‌ଡ’ର ୧୯ହଜାର ୯ଶହ ଟିକା ମହଜୁଦ ଥିବା ବେଳେ ‌୩ଲକ୍ଷ ୧୫ହଜାର ୫୩୦ ଡୋଜ୍‌ର କୋଭକ୍ସିନ୍ ଓ ରାଜ୍ୟ ସରକାରଙ୍କ ୧ଲକ୍ଷ ୪୩ହଜାର ୫ଶହ ଟିକା ମହଜୁଦ ଅଛି। ଆଜି ରାଜ୍ୟରେ ୨୪୭ ଅଧିବେଶନରେ ୪୬,୬୬୩ ଲୋକଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୫୯ଲକ୍ଷ ୪ହଜାର ୩୧୪ ଜଣ ଟିକା ନେଇ ସାରିଲେଣି। ଆଜିଠାରୁ ଭୁବନେଶ୍ବରରେ ୧୮-୪୪ବର୍ଷର ଲୋକଙ୍କ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୬୫୧୬ଜଣ ଲୋକ ଟିକା ନେଇଛନ୍ତି। ରାଜ୍ୟ ସରକାର ‘କୋଭିସିଲ୍‌ଡ’ ଟିକା ପ୍ରସ୍ତୁତକାରୀ ସିରମ ଇନଷ୍ଟିଚ୍ୟୁଟ୍‌କୁ ଟିକାକରଣ ପାଇଁ ଚିଠି ଲେଖିଥିଲେ ହେଁ, ଟିକା ଆସିବା ନେଇ ସ୍ପଷ୍ଟ ସୂଚନା ନାହିଁ। ତେଣୁ ରାଜ୍ୟବ୍ୟାପୀ ୧୮-୪୪ବର୍ଷର ଲୋକଙ୍କ ଟିକାକରଣ ସମ୍ଭବ ହୋଇନାହିଁ। ତେବେ ପଞ୍ଜୀକରଣ କରିଥିବା ଲୋକମାନେ ଟିକା ଆସିବା ପରେ ସ୍ଲଟ୍ ଅନୁଯାୟୀ ଟିକା ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅପରପକ୍ଷରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ଲକ୍ଷ ଡୋଜ୍‌ର ‘କୋଭିସିଲ୍‌ଡ’ ଟିକା ଆସିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ।

ସମ୍ବନ୍ଧିତ ଖବର