ଆଜି ଜଗତସିଂହପୁରରେ ଟିକା ବନ୍ଦ, ୬୩ ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ବର: ଆସନ୍ତାକାଲି ଜଗତସିଂହପୁର ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି। ଆସନ୍ତାକାଲି ସମୁଦାୟ ୪୯୫ଟି ଟିକାକରଣ ଅଧିବେଶନରେ ଟିକା ଦିଆଯିବ ବୋଲି ଜଣାପଡ଼ିଛି। ଆଜି ରାଜ୍ୟରେ ୫୭୬ ଅଧିବେଶନରେ ୯୮,୨୮୪ ଲୋକଙ୍କୁ ଟିକା ଦିଆଯାଇଛି। ସର୍ବାଧିକ ଟିକା ନେଇଛନ୍ତି ୪୫ବର୍ଷରୁ ଅଧିକ ଦ୍ବିତୀୟ ଡୋଜ୍ ଅପେକ୍ଷାରେ ରହିଥିବା ଲୋକ। ୭୧,୩୪୪ ଲୋକ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୫୭୩୭ଜଣଙ୍କୁ ଦ୍ବିତୀୟ ଡୋଜ୍, ୧୮-୪୪ବର୍ଷର ୧୮,୨୩୬ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ୬୩ଲକ୍ଷ୮୨ହଜାର ୯୨୮ଜଣ କରୋନା ଟିକା ନେଇ ସାରିଲେଣି। ଆଜିଠାରୁ ରାଜ୍ୟର ୪ଟି ମ୍ୟୁନିସିପାଲଟିରେ ୧୮-୪୪ବର୍ଷର ଲୋକଙ୍କ ଟିକାକରଣ ଆରମ୍ଭ ହୋଇଛି।

ଆଜି ସଂଧ୍ୟା ସୁଦ୍ଧା ରାଜ୍ୟରେ କେନ୍ଦ୍ର ସରକାରଙ୍କ ୯୫,୫୯୦ ଡୋଜ୍ କୋଭିସିଲ୍‌ଡ, ୩ଲକ୍ଷ ୧୯ହଜାର ୩୨୦ ଡୋଜ୍ କୋଭାକ୍ସିନ୍, ରାଜ୍ୟ ସରକାରଙ୍କ ୯୨,୨୨୦ ଡୋଜ୍ କୋଭାକ୍ସିନ୍ ଓ ୮୯,୨୬୦ ଡୋଜ୍ କୋଭିସିଲ୍‌ଡ ଟିକା ମହଜୁଦ ରହିଛି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୭ ପ୍ରତିଶତ ପ୍ରଥମ ଡୋଜ୍, ୮୬ ପ୍ରତିଶତ ଦ୍ବିତୀୟ ଡୋଜ୍, ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୧୦୧ ପ୍ରତିଶତ ପ୍ରଥମ ଓ ୮୬ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି।

ଅପରପକ୍ଷରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲରେ ଟିକା ଉପଲବ୍ଧ ନେଇ ଘୋଷଣା କରିଥିବା ବେଳେ ଏ ପର୍ଯ୍ୟନ୍ତ ଟିକା ଉପଲବ୍ଥ ହୋଇନାହିଁ। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ଟିକାର ଅଭାବ ରହିଛି। ୪ଟି ମ୍ୟୁନିସିପାଲଟିରେ ଟିକାକରଣ ଆରମ୍ଭ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ କେତେ ଟିକା ଆସୁଛି ତାହାକୁ ଲକ୍ଷ୍ୟ କରି ଘରୋଇ ହସ୍ପିଟାଲରେ ଟିକା ଉପଲବ୍ଧ ହେବା ସଂପର୍କରେ ନିଷ୍ପତ୍ତି ନିଆଯିବ। ତେବେ କେତେ ଟିକା ଆସିବା ତାହା ସ୍ପଷ୍ଟ ହୋଇ ନ ଥିବା ଡା.ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର