ବାତ୍ୟା ପ୍ରଭାବିତ ଜିଲ୍ଲାରେ ୨ଦିନ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର : ବାତ୍ୟା ‘ଜୱାଦ’ ପାଇଁ ଆସନ୍ତା ୨ଦିନ ଟିକାକରଣ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ବାତ୍ୟା ପ୍ରଭାବ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି। ତେଣୁ ଆସନ୍ତାକାଲି ଓ ୫ତାରିଖରେ ଟିକାକରଣ ବନ୍ଦ ରହିବ। ମାତ୍ର ଅନ୍ୟ ଜିଲ୍ଲାରେ ପୂର୍ବଭଳି ଟିକାକରଣ ଜାରି ରହିଛି। ବାତ୍ୟା ପରବର୍ତୀ ସମୟରେ ପୁନର୍ବାର ଟିକାକରଣ ଆରମ୍ଭ କରିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ବାତ୍ୟା ପାଇଁ ୨ଦିନ ପାଇଁ ପ୍ରଭାବିତ ଅଞ୍ଚଳରେ ଟିକାକରଣ ବନ୍ଦ ରଖାଯିବ। ୫ତାରିଖ ପରେ ଜିଲ୍ଲା ପ୍ରଶାସନ ଟିକାକରଣ ନିଷ୍ପତ୍ତି ନେବ ବୋଲି ଡା.ପାଣିଗ୍ରାହୀ କହିଛନ୍ତି।

ଶୁକ୍ରବାର ଦିନ ରାଜ୍ୟରେ ୨ଲକ୍ଷ ୩୬ହଜାର ୭୧୦ ହିତାଧିକାରୀ ଟିକା ନେଇଛନ୍ତି। ଏଥିରେ ୧୮-୪୪ବର୍ଗରେ ୩୬,୬୦୭ ପ୍ରଥମ, ୧,୧୮,୫୪୯ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୨୦,୪୦୮ ପ୍ରଥମ ଓ ୬୦,୧୮୪ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ଏହାସହ ୩୨୩୧ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ବର୍ତମାନ ସୁଦ୍ଧା ୪କୋଟି ୪୨ଲକ୍ଷ ୯୪ହଜାର ୮୯୩ଜଣଙ୍କୁ ଟିକା ଦିଆଗଲାଣି। ଏଥିରେ ୫୦ ପ୍ରତିଶତ ହିତାଧିକାରୀ ନିଜର ଡବଲ ଡୋଜ୍ ଟିକା ନେଇ ସାରିଲେଣି। ଆସନ୍ତାକାଲି ରାଜ୍ୟରେ ୨୦୭୮ ଟିକାକାଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର