ଭୁବନେଶ୍ବର : ବିଦେଶରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀ, ନିଯୁକ୍ତି ପାଇଥିବା ବ୍ୟକ୍ତି ଓ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା କ୍ରୀଡ଼ାବିତ୍ଙ୍କୁ ‘କୋଭିସିଲ୍ଡ’ର ଦ୍ବିତୀୟ ଡୋଜ୍ ଟିକା ଅବଧିରେ କୋହଳ କରାଯାଇଛି। ତେବେ କେବଳ ସ୍ବୀକୃତିପ୍ରାପ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ଏହି ବ୍ୟକ୍ତିମାନେ ଟିକା ନେଇପାରିବେ ବୋଲି ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, ନଗର ନିଗମ ଓ ସିଡିଏମ୍ଓଙ୍କୁ ଚିଠି ଜାରି ହୋଇଛି।
ଏହି ୩ ବର୍ଗର ଲୋକଙ୍କ ପାଇଁ ‘କୋଭିସିଲ୍ଡ’ର ଦ୍ବିତୀୟ ଡୋଜ୍ ୮୪ ଦିନ ପୂର୍ବରୁ ଦିଆଯିବା ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ତେଣୁ ସେମାନଙ୍କୁ ଟିକା ଦେବା ପୂର୍ବରୁ ଅଧିକୃତ ଅଧିକାରୀ ସମସ୍ତ କାଗଜପତ୍ର ଯାଞ୍ଚ କରିବାକୁ କୁହାଯାଇଛି। ସଂପୃକ୍ତ ବିଦେଶ ସଂସ୍ଥାରୁ ଆସିଥିବା ଆଡମିସନ ଲେଟର, ପୂର୍ବରୁ ବିଦେଶରେ ପଢ଼ୁଥିଲେ ପୁନର୍ବାର ଶିକ୍ଷାନୁଷ୍ଠାନକୁ ଫେରିବା, ସାକ୍ଷାତକାରର କଲ ଲେଟର ଓ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣକାରୀଙ୍କ ନାମାଙ୍କନକୁ ଯାଞ୍ଚ କରାଯିବ। ଏଡିପିଏଚ୍ଓ(ପରିବାର କଲ୍ୟାଣ)/ଏଡିୟୁପିଏଚ୍ଓଙ୍କୁ ‘କୋଭିସିଲ୍ଡ’ ଦ୍ବିତୀୟ ଡୋଜ୍ ପାଇଁ ଅଧିକୃତ ଅଧିକାରୀ ନିଯୁକ୍ତ କରାଯାଇଛି। ଦ୍ବିତୀୟ ଡୋଜ୍ ଟିକାରେ କୋହଳ ଚାହୁଁଥିବା ବ୍ୟକ୍ତିମାନଙ୍କୁ ଟିକା ଦେବା ପୂର୍ବରୁ ସେମାନଙ୍କ ସାର୍ଟିଫିକେଟ୍/କାଗଜପତ୍ର କୋ-ୱିନ୍ ଭ୍ୟାକ୍ସିନେଟର ମଡ୍ୟୁଲରେ ଅପଲୋଡ କରାଯିବ। କେବଳ ପାସପୋର୍ଟ ଜରିଆରେ ହିଁ ସେମାନଙ୍କୁ ଟିକା ଦିଆଯାଇ ପାରିବ। ଯଦି ପ୍ରଥମ ଡୋଜ୍ ନେବା ସମୟରେ ପାସପୋର୍ଟର ବ୍ୟବହାର ହୋଇନାହିଁ ତା’ହେଲେ ଅନ୍ୟ ପରିଚୟପତ୍ରକୁ ଟିକା ସାର୍ଟିଫିକେଟ୍ରେ ପ୍ରିଣ୍ଟ କରିବାକୁ ନିର୍ଦେଶ ଦିଆଯାଇଛି। ଯଦି ଆବଶ୍ୟକ ପଡ଼େ ତା’ହେଲେ ଅଧିକାରୀ ଜଣକ ପାସପୋର୍ଟ ନମ୍ବର ସହିତ ହିତାଧିକାରୀଙ୍କ ଟିକା ସାର୍ଟିଫିକେଟ୍ ଜାରି କରିପାରିବେ। ଆସନ୍ତା ଅଗଷ୍ଟ ୩୧ତାରିଖ ବିଦେଶ ଯାତ୍ରା ପର୍ଯ୍ୟନ୍ତ ହିଁ ଏହି ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ନେବା ପାଇଁ ଯେଉଁ ୭ଟି ପରିଚୟପତ୍ରକୁ ସାମିଲ କରାଯାଇଛି ତହିଁରେ ରାସନ କାର୍ଡକୁ ମଧ୍ୟ ସାମିଲ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋ-ୱିନ୍ ପୋର୍ଟାଲରେ ଏ ନେଇ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ନିକଟରେ ୟୁଡିଆଇଡି କାର୍ଡକୁ ପରିଚୟପତ୍ର ଭାବେ ସାମିଲ ହୋଇଛି। ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍ଏଫ୍ଏସ୍ଏ)ରେ ଜାରି କରିଥିବା ରାସନ କାର୍ଡରେ ହିତାଧିକାରୀଙ୍କ ନାମ, ଫଟୋ ଓ ବୟସ ରହିଛି। ଟିକା ପରିଚୟପତ୍ରରେ ରାସନ କାର୍ଡକୁ ସାମିଲ କରାଯିବା ପରେ ବିପିଏଲ/ଅନ୍ତୋଦୟ ବର୍ଗର ହିତାଧିକାରୀମାନେ ଟିକାର ଲାଭ ପାଇପାରିବେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ମଧ୍ୟ ସବୁ ଜିଲ୍ଲାପାଳ, ସିଡିଏମ୍ଓମାନଙ୍କୁ ସୂଚନା ଦିଆଯାଇଛି। ରାସନ କାର୍ଡ ସଂପର୍କିତ ସୂଚନା ପ୍ରୋଗ୍ରାମ ଅଧକାରୀ/ପରିଚାଳକ, ଟିକା ପ୍ରଦାନକାରୀ ଓ ଅନ୍ୟମାନଙ୍କୁ ପ୍ରଦାନ କରିବା ଲାଗି ନିର୍ଦେଶ ଦିଆଯାଇଛି।