ଭୁବନେଶ୍ବର: ରାଜ୍ୟର ଅନେକ ସ୍ଥାନରେ ଏବେ କାଳବୈଶାଖୀ ବର୍ଷା ଜାରିରହିଛି। ଆସନ୍ତା ୩ଦିନ ମଧ୍ୟ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପୂର୍ବ-ପଶ୍ଚିମ ଟ୍ରଫ୍ ଏବେ କେନ୍ଦ୍ରୀୟ ପାକିସ୍ତାନ ଉପରେ ଘୂର୍ଣ୍ଣିବଳୟ ପରିସରରୁ ଉତ୍ତର ରାଜସ୍ଥାନ, ଦକ୍ଷିଣ ହରିୟାନା, ଦକ୍ଷିଣ ଉତ୍ତରପ୍ରଦେଶ, ବିହାର ଓ ଉପହିମାଳୟ ପଶ୍ଚିମବଙ୍ଗ ଦେଇ ଉତ୍ତର ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଛି। ଏହା ସମୁଦ୍ର ପତ୍ତନଠାରୁ ଦେଢ଼ କିଲୋମିଟର ଉଚ୍ଚରେ ରହିଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ଏବଂ ଅବଶିଷ୍ଟ ଓଡ଼ିଶାର ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଅନେକ ସ୍ଥାନରେ ମେଘୁଆ ପାଗ ମଧ୍ୟ ରେକର୍ଡ ହୋଇଛି। ଆସନ୍ତାକାଲି ଓଡ଼ିଶାର ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟାହ୍ନ/ସଂଧ୍ୟା ସମୟରେ ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏଥିସହ ୩୦ରୁ ୪୦ କିମି ବେଗରେ ପବନର ଝଟକା ଅନୁଭୂତ ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ଅବସ୍ଥା ଯୋଗୁଁ ଗୁଳୁଗୁଳି ଅଧିକ ହୋଇପାରେ।
ମୌସୁମୀ ପହଞ୍ଚିବାକୁ ଅନୁକୂଳ ହେଉଛି ପାଗ
ଓଡ଼ିଶା ପାଇଁ ଏବେଠୁ ଆକଳନ କରିବା କଷ୍ଟ
ଭୁବନେଶ୍ବର: ଚଳିତ ବର୍ଷ ସଅଳ ଆସିପାରେ ମୌସୁମୀ। ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)। ଆସନ୍ତା ୪ରୁ ୫ ଦିନରେ କେରଳରେ ମୌସୁମୀ ପହଞ୍ଚିବା ପାଇଁ ପାଗ ଅନୁକୂଳ ହେଉଛି ବୋଲି ଆଇଏମ୍ଡି କହିଛି। ଯଦି ଏହି ଆକଳନ ସତ ହୁଏ, ତେବେ ୨୦୦୯ ମସିହା ପରେ ଏହା ଭାରତୀୟ ମୁଖ୍ୟଭୂମିରେ ମୌସୁମୀର ସଅଳତମ ପ୍ରବେଶ ହେବ। ଏହା ପୂର୍ବରୁ ୨୦୦୯ ମେ’ ୨୩ରେ ମୌସୁମୀ କେରଳ ଛୁଇଁଥିଲା। ତେବେ କେରଳରେ ମୌସୁମୀ ଶୀଘ୍ର ଛୁଇଁବ ବୋଲି ଓଡ଼ିଶାକୁ ବି ମୌସୁମୀ ସଅଳ ଆସିବ ତାହା ଭାବିବା ଭୁଲ୍ ବୋଲି କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି।
ଶ୍ରୀମତୀ ମହାନ୍ତି କହିଛନ୍ତି, ମୌସୁମୀ କେରଳ ଶୀଘ୍ର ଛୁଇଁବା ପାଇଁ ବାତାବରଣ ଅନୁକୂଳ ହେଉଛି। ଯଦି ଏହି ବାତାବରଣ ଲାଗିରହିବ ମୌସୁମୀ କେରଳ ଶୀଘ୍ର ଛୁଇଁବ। କିନ୍ତୁ ଓଡ଼ିଶାକୁ ଶୀଘ୍ର ଆସିବ କି ନାହିଁ, ସେ ନେଇ ଏବେଠାରୁ କିଛି କହିହେବ ନାହିଁ। ମୌସୁମୀର କେରଳ ଆଗମନ ଓ ତତ୍ପରବର୍ତ୍ତୀ ବାତାବରଣ, ପାଗର ଅନୁକୂଳତା ଦେଖି ହିଁ ଓଡ଼ିଶାକୁ କେବେ ମୌସୁମୀ ଆସିବ ସେ ନେଇ କିଛି ସ୍ପଷ୍ଟ କହିହେବ। ଆଇଏମ୍ଡି କହିଛି, ଆସନ୍ତା ୫ ଦିନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗରର କିଛି କିଛି ଅଂଶ ସହ ମାଳଦ୍ବୀପର ଅବଶିଷ୍ଟ ଅଂଶ, କେରଳ, ତାମିଲନାଡୁ, ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ, ଉତ୍ତରପୂର୍ବ ବଙ୍ଗୋପସାଗର ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ଛୁଇଁବାକୁ ପାଗ ଅନୁକୂଳ ହେଉଛି।
ସୂଚନାଯୋଗ୍ୟ, ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୧ ସୁଦ୍ଧା କେରଳ ଛୁଇଁଥାଏ ଏବଂ ଜୁଲାଇ ୮ ସୁଦ୍ଧା ସମଗ୍ର ଦେଶକୁ ସ୍ପର୍ଶ କରେ। ଏହା ସେପ୍ଟେମ୍ବର ୧୭ରେ ଉତ୍ତରପଶ୍ଚିମ ଭାରତରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରି ଅକ୍ଟୋବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିଥାଏ। ଗତ ବର୍ଷ ମେ’ ୩୦ ତାରିଖରେ ଦକ୍ଷିଣ ରାଜ୍ୟରେ ମୌସୁମୀ ପ୍ରବେଶ କରିଥିଲା। ତା’ପୂର୍ବରୁ ୨୦୨୩ରେ ଜୁନ୍ ୮ରେ, ୨୦୨୨ରେ ମେ ୨୯ରେ, ୨୦୨୧ରେ ଜୁନ୍ ୩ରେ, ୨୦୨୦ରେ ଜୁନ୍ ୧ରେ, ୨୦୧୯ରେ ଜୁନ୍ ୮ରେ ଏବଂ ୨୦୧୮ରେ ମେ ୨୯ରେ ମୌସୁମୀ କେରଳ ଛୁଇଁଥିଲା। ଭାରତୀୟ ଉପମହାଦେଶରେ ସ୍ୱାଭାବିକଠାରୁ କମ୍ ବୃଷ୍ଟିପାତ ସହ ଜଡ଼ିତ ଏଲ୍ନିନୋ ସ୍ଥିତିର ଆଶଙ୍କାକୁ ପ୍ରତ୍ୟାଖ୍ୟାନ କରି ଆଇଏମ୍ଡି ମୌସୁମୀ ଋତୁରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଗତ ଏପ୍ରିଲ୍ ମାସରୁ ପୂର୍ବାନୁମାନ କରିଛି।