ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରକ୍ଷା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଗୋରଖପୁର- ହଟିଆ ‘ମୌର୍ଯ୍ୟ ଏକ୍ସପ୍ରେସ୍‌’କୁ ସମ୍ବଲପୁରକୁ ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ୧୩ମାସ ମଧ୍ୟରେ ଶ୍ରୀ ବୈଷ୍ଣବଙ୍କୁ ଦୁଇ ଥର ଚିଠି ଲେଖି ଅନୁରୋଧ କରିବା ପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଗୋରଖପୁର- ହଟିଆ ‘ମୌର୍ଯ୍ୟ ଏକ୍ସପ୍ରେସ’ ଚଳାଚଳକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏହାଦ୍ବାରା ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ସମେତ ଆଖପାଖ ଜିଲ୍ଲାର ଯାତ୍ରୀ ଉପକୃତ ହେବେ।

Advertisment

ଏହି ଅଞ୍ଚଳର ଜନସାଧାରଣଙ୍କ ଯାତାୟତକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଡିସେମ୍ବର ୯, ୨୦୨୨ ଓ ଜାନୁଆରି ୦୩, ୨୦୨୪ରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଚିଠି ଲେଖି ଅନୁରୋଧ କରିଥିଲେ। ଦୁଇଟି ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ ଯେ ବିହାର ଏବଂ ପୂର୍ବ ଉତ୍ତରପ୍ରଦେଶର ପ୍ରାୟ ୪ ଲକ୍ଷ ଲୋକ ପଶ୍ଚିମ ଓଡ଼ିଶାରେ ବସବାସ କରନ୍ତି। ଏଥିରୁ ପ୍ରାୟ ୧.୫ଲକ୍ଷ ଲୋକ କେବଳ ସମ୍ବଲପୁର ଜିଲ୍ଲାରେ ବାସ କରୁଛନ୍ତି। ନିଜ ବାସସ୍ଥାନକୁ ଯିବା ପାଇଁ ସିଧାସଳଖ ଟ୍ରେନ ନଥିବାରୁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଦକ୍ଷିଣ ପୂର୍ବ ରେଳବାଇ ବିଭାଗ ଏକ ବିଜ୍ଞପ୍ତି ପତ୍ର ଜାରି କରି ଶ୍ରୀ ପ୍ରଧାନଙ୍କ ପ୍ରସ୍ତାବ କ୍ରମେ ଗୋରଖପୁର-ହଟିଆ ‘ମୌର୍ଯ୍ୟ ଏକ୍ସପ୍ରେସ’କୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିବା ଦର୍ଶାଇଛି। ଏହି ଟ୍ରେନ ହଟିଆରୁ ବାହାରି ରାଉରକେଲା, ଝାରସୁଗୁଡ଼ା ଓ ସମ୍ବଲପୁର ଷ୍ଟେସନରେ ରହଣି କରିବ ବୋଲି କୁହାଯାଇଛି।