ବୈଷ୍ଣବ ଆସିଲେ; ରେଳବାଇରେ ଓଡ଼ିଶାର ଭାଗ ବଢ଼ିବ! ଦେଉଛି ବେଶି, ପାଉଛି କମ୍

ଅଶ୍ବିନୀଙ୍କ ସାମ୍ନାରେ ବହୁ ଆହ୍ବାନ
ଅନେକ ପ୍ରସ୍ତାବିତ ନୂଆ ପ୍ରକଳ୍ପ ଶୀତଳ ଭଣ୍ଡାରରେ
ଏବେ ବି ରେଳ ନେଟ୍‌ୱର୍କରେ ଓଡ଼ିଶା ପଛୁଆ

ଭୁବନେଶ୍ବର : ବହୁ ବର୍ଷ ପରେ ହରିଦାସପୁର-ପାରାଦୀପ ରେଳ ଲାଇନ୍ କାର୍ଯ୍ୟକ୍ଷମ ହେଲା। କିନ୍ତୁ କେବଳ ମାଲବାହୀ ଟ୍ରେନ୍‌ ଚାଲିଲା। ଏହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିନି।

ପୁରୀ ଓ କୋଣାର୍କ ଓଡ଼ିଶାର ପରିଚୟ। କିନ୍ତୁ କୋଣାର୍କକୁ ଏ ଯାଏ ରେଳ ସଂଯୋଗ ହୋଇପାରିଲା ନାହିଁ। ପୁରୀ-କୋଣାର୍କ ୩୮ କିମି ରେଳ ସଂଯୋଗ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଫାଇଲ୍‌ ତଳେ ରହିଯାଇଛି। ରାଜ୍ୟ ସରକାର ନିର୍ମାଣର ୫୦% ଅର୍ଥ ଓ ମାଗଣା ଜମି ଦେବାକୁ ପ୍ରସ୍ତାବ ଦେଇଛନ୍ତି।

୧୯୯୫ରୁ ୨୦୨୧। ୨୬ ବର୍ଷ ହେଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ସମ୍ପୂର୍ଣ୍ଣ ହୋଇପାରୁନି। ଅନେକ ଥର ସମୟସୀମା‌ ଧାର୍ଯ୍ୟ ହୋଇଥିଲେ ବି ସୁଫଳ ମିଳିପାରୁନି। କାମ କେବେ ସରିବ, ତାହାର ଠୋସ୍ ଉତ୍ତର କାହା ପାଖରେ ନାହିଁ।

ବ୍ରହ୍ମପୁର-ସମ୍ବଲପୁର ପ୍ରସ୍ତାବିତ ରେଳ ଲାଇନ୍ ପାଇଁ ସର୍ଭେ ନିମନ୍ତେ ୨୦୧୦-୧୧ ମସିହାରେ କୁହାଯାଇଥିଲା।

RailNews Media India Ltd

କିନ୍ତୁ ତାହା ଅହେତୁକ ବିଳମ୍ବ ହେବାରେ ଲାଗିଛି ଓ କାମ ଆରମ୍ଭ‌ ହୋଇପାରି ନାହିଁ। ଏହି ରେଳ ଲାଇନ୍ ବ୍ରହ୍ମପୁର, ଆସିକା, କନ୍ଧମାଳ ଓ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀକୁ ସଂଯୋଗ କରିବ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଲାଇନ୍ ହୋଇଥିଲେ ବି ଆବଶ୍ୟକ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିନି।

ରେଳବାଇକୁ ନେଇ ଓଡ଼ିଶାରେ ଏମିତି ଗଦା ଗଦା ଅଭିଯୋଗ, ଅସନ୍ତୋଷ। ରେଳବାଇ ଆଦାୟ କରୁଥିବା ରାଜସ୍ବରୁ ଓଡ଼ିଶାର ଅଂଶ କିଛି କମ୍ ନୁହେଁ। କିନ୍ତୁ ଓଡ଼ିଶାରେ ସେହି ହିସାବରେ ରେଳ ଭିତ୍ତିଭୂମିର ବିକାଶ ହୋଇ ନାହିଁ। ଏପରିକି ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଠାରୁ ମଧ୍ୟ ଆମେ ବହୁ ପଛରେ ରହିଛୁ। ଏବେ ବି ସବୁ ଜିଲ୍ଲାକୁ ରେଳ ଲାଇନ୍ ଛୁଇଁ ପାରିନାହିଁ। ଏମିତି ଅନେକ ଆହ୍ବାନ ଭିତରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ରେଳବାଇ ମନ୍ତ୍ରଣାଳୟ ପାଇଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରୁ ନିର୍ବାଚିତ ଜଣେ ସାଂସଦଙ୍କୁ ରେଳବାଇର କ୍ୟାବିନେଟ୍‌ ମନ୍ତ୍ରୀ କରାଯାଇଥିବାରୁ ଆଶା ଅଧିକ ରହିବା ସ୍ବାଭାବିକ। ବିଶେଷ କରି ଓଡ଼ିଶାକୁ ତା’ର ହକ୍‌ ଦେବା ପାଇଁ ଶ୍ରୀ ବୈଷ୍ଣବ ଉଦ୍ୟମ କରିବେ ବୋଲି ସବୁ ମହଲରେ ଆଶା ରଖାଯାଇଛି।

ଗତ କିଛି ବର୍ଷ ହେଲା ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ଅର୍ଥ ବରାଦ ବଢ଼ୁଛି। ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ ୬,୯୯୫ କୋଟି ଟଙ୍କା ଦିଆଯାଇଛି। କିନ୍ତୁ ରେଳ ନେଟ୍‌ୱର୍କରେ ଓଡ଼ିଶାର ସ୍ଥିତି ଏବେ ବି ଦୁର୍ବଳ ଥିବାରୁ ଓଡ଼ିଶାକୁ ଅଧିକ ନୂଆ ରେଳ ସଂଯୋଗର ଆବଶ୍ୟକତା ରହିଛି। ସେଥିପାଇଁ ରାଜ୍ୟ ପକ୍ଷରୁ ବିଭିନ୍ନ ସମୟରେ ନୂଆ ନୂଆ ରେଳ ପ୍ରକଳ୍ପ ପାଇଁ ଦାବି କରାଯାଇଛି। କିନ୍ତୁ ସେ ଦିଗରେ କୌଣସି ଆଖିଦୃଶିଆ ସୁଫଳ ମିଳିନାହିଁ। ଏପରିକି ବିଭିନ୍ନ ପ୍ରକଳ୍ପରେ ସିଧାସଳଖ ରାଜ୍ୟ ସରକାରଙ୍କ ଆର୍ଥିକ ସହଯୋଗ ପ୍ରସ୍ତାବ ଦିଆଯାଇଛି। କିଛି ପ୍ରକଳ୍ପ ପାଇଁ ମାଗଣାରେ ଜମି ଦିଆଯାଇଛି।

ଓଡ଼ିଶା ପକ୍ଷରୁ ଦାବି କରାଯାଇଥିବା ନୂଆ ପ୍ରକଳ୍ପ ମଧ୍ୟରେ ଅଛି ନୂଆପଡ଼ା-ଗୁଣୁପୁର ନୂଆ ବିଜି ରେଳ ସଂଯୋଗକୁ ଥେରୁବାଲି ପର୍ଯ୍ୟନ୍ତ ସମ୍ପ୍ରସାରଣ, ପୁରୀ-କୋଣାର୍କ, ବାଂଶପାଣି-ବଡ଼ବିଲ୍‌, କେନ୍ଦୁଝର ରୋଡ୍‌-ଧାମରା ବନ୍ଦର (ଭାୟା ଯାଜପୁର/ଆରେଡ଼ି), ତାଳଚେର-ଗୋପାଳପୁର, ପାରାଦୀପ-ଧାମରା, ବୁରାମାର-ଚକୁଳିଆ, ବାଙ୍ଗିରୀପୋଷି-ଗୋରୁ ମହିଷାଣି। ଚଳିତ ବର୍ଷର ବଜେଟ୍‌ରେ ଏ ଦିଗରେ କିଛି ପଦକ୍ଷେପ ନିଆଯାଇ ନାହିଁ।

The Mayo News

ଏହା ବାଦ୍ ଚାଲୁ ରହିଥିବା ଖୋର୍ଦ୍ଧା-ବଲାଙ୍ଗୀର, ତାଳଚେର-ବିମଳାଗଡ଼, ଜଳେଶ୍ବର-ଦୀଘା, ଜୟପୁର-ନବରଙ୍ଗପୁର ଏବଂ ଜୟପୁର-ମାଲକାନଗିରି ପ୍ରକଳ୍ପ ତ୍ବରାନ୍ବିତ କରିବା ଏକ ବଡ଼ ଆହ୍ବାନ। ଏଥିପାଇଁ ବିଭିନ୍ନ ସମୟରେ ଓଡ଼ିଶା ପକ୍ଷରୁ ଦାବି ଉଠିଛି। କାମ ତ୍ବରାନ୍ବିତ ହେଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଅସନ୍ତୋଷ ସୃଷ୍ଟି ହୋଇଛି। ଅନୁଗୁଳ-ଡୁବୁରି-ସୁକିନ୍ଦା ରେଳ ଲାଇନ୍ କାର୍ଯ୍ୟକ୍ଷମ ହେଲେ ସେଠାରେ ତୁରନ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ପଦ‌କ୍ଷେପ ନେବାର ଆବଶ୍ୟକତା ରହିଛି। ଏ ଦିଗରେ ମଧ୍ୟ ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏଠାରେ ତୁରନ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ପଦକ୍ଷେପ ନିଆ ନ ଗଲେ ହରିଦାସପୁର-ପାରାଦୀପ ରେଳ ଲାଇନ୍‌ ପରି ଅବସ୍ଥା ସୃଷ୍ଟି ହେବ। ସ୍ଥାନୀୟ ଲୋକ ନିରାଶ ହେବେ। ଶୀତଳାପଲ୍ଲୀରେ ୱାଗନ୍ ତିଆରି କାରଖାନା ଓ କଳହାଣ୍ଡିରେ ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ ମେଣ୍ଟେନାନ୍ସ ୱାର୍କସପ୍ କାମରେ ଆଦୌ ଅଗ୍ରଗତି ହେଉନାହିଁ। ଯଦିଓ ରାଜ୍ୟ ସରକାର ଏହି ଦୁଇ ପ୍ରକଳ୍ପ ପାଇଁ ମାଗଣା ଜମି ଦେଇଛନ୍ତି।

ଓଡ଼ିଶା ଦେଶର ଏକ ପ୍ରମୁଖ ଶିଳ୍ପ ଓ ଖଣିଜ ହବ୍ ଭାବେ ବିକଶିତ ହେଉଛି। ରାଜ୍ୟରେ ଏକାଧିକ ବନ୍ଦର କାର୍ଯ୍ୟକ୍ଷମ ହୋଇଛି ଓ ଆଗକୁ ଆହୁରି ଅଧିକ ବନ୍ଦର ଆସୁଛି। ତେଣୁ ରେଳ ସଂଯୋଗ ଭିତ୍ତିଭୂମି ଅଧିକ ଦୃଢ଼ ହେବାର ଆବଶ୍ୟକତା ରହିଛି। ଏହା ବାଦ୍ ରାଜ୍ୟର ସମନ୍ବିତ ବିକାଶ ପାଇଁ ପ୍ରାକୃତିକ ସମ୍ପଦରେ ଭରପୂର ବହୁ ପଛୁଆ ଅଞ୍ଚଳକୁ ରେଳ ସଂଯୋଗ କରିବା ନିହାତି ଜରୁରୀ।

ନୂଆ ରେଳ ମନ୍ତ୍ରୀ ‌ଅଶ୍ବିନୀ ବୈଷ୍ଣବ ରାଜସ୍ଥାନରେ ଜନ୍ମ ହୋଇଥିଲେ ମଧ୍ୟ ଓଡ଼ିଶାକୁ ସେ ତାଙ୍କର କର୍ମଭୂମି ଭାବେ ବାଛିଛନ୍ତି। ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଥିଲା ବେଳେ ବାଲେଶ୍ବର ଓ କଟକ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ତାହା ପରେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ସେ ଉଭୟ ବିଜେପି ଓ ବିଜେଡିର ସମର୍ଥନ ହାସଲ କରିଥିଲେ। ଓଡ଼ିଶାର ସମସ୍ୟା, ଭୌଗଳିକ ସ୍ଥିତି ତାଙ୍କୁ ଅଛପା ନାହିଁ। ତେଣୁ ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ସେ ନ୍ୟାୟ ପ୍ରଦାନ କରିବେ ‌ବୋଲି କୁହାଯାଉଛି। ଆଜି ନୂଆ ଦାୟିତ୍ବ ଗ୍ରହଣ କରିବା ଅବସରରେ ଶ୍ରୀ ବୈଷ୍ଣବ ଟ୍ବିଟ୍ କରିଛନ୍ତି। ଓଡ଼ିଶାବାସୀଙ୍କ ସେବା କରିବା ଲାଗି ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର