ମହୋଦଧିରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ : ସାଧାରଣ ଜନତା ଜଣାଇଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପୁରୀ/ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ଆଜି ପୁରୀ ମହୋଦଧିରେ ବିସର୍ଜନ କରାଯାଇଛି। ବହୁ ଲୋକ ଅସ୍ଥି କଳସ ଶୋଭାଯାତ୍ରାରେ ସାମିଲ ହୋଇ ସ୍ୱର୍ଗତ ବାଜପେୟୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଉପଲକ୍ଷେ ଆଜି ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ସହ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇ ଯାଇଥିଲା। ଅଟଳ ବିହାରୀ ବାଜପେୟୀ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ପୁରୀ ସହର।

ଗୁରୁବାର ପୂର୍ବାହ୍ନରେ ସ୍ୱର୍ଗତ ବାଜପେୟୀଙ୍କ ଅସ୍ଥି ନୂଆଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାତିତମାମ ଦଳୀୟ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯାଇଥିଲା। ଆଜି ସକାଳେ ଏକ ସ୍ୱତନ୍ତ୍ର ଗାଡ଼ିରେ ଅସ୍ଥି କଳସକୁ ପୁରୀ ଅଭିମୁଖେ ନିଆଯାଇଥିଲା। ଏହି ଗାଡ଼ି ସହ ବିଜେପିର ଏକ ଶୋଭାଯାତ୍ରା ବି ଯାଇଥିଲା। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ୍‌ ହୋଇଥିଲେ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସବୁ ଛକରେ ବହୁ ଲୋକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଅଠରନଳାଠାରେ ବିଜେଡି, ବିଜେପି, କଂଗ୍ରେସର ବହୁ ନେତା ଓ କର୍ମୀ ସ୍ୱର୍ଗତ ବାଜପେୟୀଙ୍କ ଅସ୍ଥିକୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ହଜାର ହଜାର ଲୋକଙ୍କ ଗହଣରେ ଅସ୍ଥି କଳସକୁ ଶ୍ରୀମନ୍ଦିର ନିକଟକୁ ନିଆଯାଇଥିବା ବେଳେ ସେଠାରୁ ଦୋଳମଣ୍ଡପ ସାହି ଦେଇ ମହୋଦଧି କୂଳରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ନିକଟକୁ ନିଆଯାଇଥିଲା। ସନ୍ଧ୍ୟା ସାଢ଼େ ୫ଟାରେ ବୈଦିକ ରୀତିନୀତି ଅନୁଯାୟୀ ପୂଜାକାର୍ଯ୍ୟ ସଂପନ୍ନ ହେବା ପରେ ପବିତ୍ର ମହୋଦଧିରେ ଅସ୍ଥି କଳସକୁ ବିସର୍ଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ, ଭୃଗୁ ବକ୍ସିପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା, ପୃଥ୍ଵୀରାଜ ହରିଚନ୍ଦନ, ନୟନ ମହାନ୍ତି, ମନମୋହନ ସାମଲ, ବିଷ୍ଣୁ ଦାସ ଓ ରାଘବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର