ଆସନ୍ତା ୨୨ ତାରିଖରେ ଓଡ଼ିଶା ଆସିବ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି, ପୁରୀ ମହୋଦଧୀରେ ହେବ ବିସର୍ଜନ

ପୁରୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ଆସନ୍ତା ୨୨ ତାରିଖ ଦିନ ଓଡ଼ିଶା ଆସିବ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅସ୍ଥି ପହଞ୍ଚିବା ସହ ଆସନ୍ତା ୨୩ ତାରିଖରେ ପୁରୀ ମହୋଦଧୀରେ  ଅସ୍ଥି ବିସର୍ଜନ କରାଯିବ । ଏହା ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାଧାରଣ ଲୋକ ବାଜପେୟୀଙ୍କ ଅସ୍ଥିକୁ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇପାରିବେ ।

ସୂଚନାଯୋଗ୍ୟ, ୨୩ ତାରିଖ ଦିନ ଏକ ବିଶାଳ ଶୋଭାଯାତ୍ରାରେ ବାଜପେୟୀଙ୍କ ଅସ୍ଥିକୁ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ନିଆଯିବ । ଏକ ଖୋଲା ସୁସଜ୍ଜିତ ଟ୍ରକରେ ଅଜାତଶତ୍ରୁ ଅଟଳଙ୍କ ଅସ୍ଥିକୁ ପୁରୀ ସମୁଦ୍ର ଅଭିମୁଖେ ନିଆଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଭୁବନେଶ୍ୱର ଏବଂ ପୁରୀ ରାସ୍ତାରେ ମଧ୍ୟ ସାଧାରଣ ଲୋକମାନେ ବାଜପେୟୀଙ୍କ ଅସ୍ଥି ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ । ଶୋଭାଯାତ୍ରା ପୁରୀରେ ପହଞ୍ଚିବା ପରେ ବାଜପେୟୀଙ୍କ ଅସ୍ଥିକୁ ସମୁଦ୍ରରେ ବିସର୍ଜନ କରାଯିବ । ଏଥିସହ ରାଜ୍ୟର ବିଭିନ୍ନ ନଦୀରେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଅସ୍ଥି ବିସର୍ଜନ ହେବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର