ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ଭିଏଲ୍‌-ଏସ୍‌ଆର ସାମ୍‌’ର ସଫଳ ପରୀକ୍ଷଣ

ବାଲେଶ୍ବର/ଚାନ୍ଦିପୁର: ସୋମବାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌) ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ଭିଏଲ୍‌-ଏସ୍‌ଆର ସାମ୍‌’ର ସଫଳ ପରୀକ୍ଷଣ ହୋଇଛି। ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ମଧ୍ୟାହ୍ନ ଗୋଟାଏ ୨୮ ମିନିଟ୍‌ରେ ହୋଇଥିବାବେଳେ ଦ୍ବିତୀୟ ପରୀକ୍ଷଣ ଅପରାହ୍ନ ୪ଟା ୪୨ରେ ହୋଇଥିଲା। ଅସ୍ତ୍ର କ୍ଷେପଣାସ୍ତ୍ରର ବିକଶିତ ଭର୍ସନ୍‌ ହେଉଛି ‘ଭିଏଲ୍‌-ଏସ୍‌ଆର ସାମ୍‌’। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ ହେଉଥିବା ଏହି କ୍ଷେପଣାସ୍ତ୍ରକୁ ପ୍ରଥମଥର ପାଇଁ ଚାନ୍ଦିପୁରରୁ ଗ୍ରାଉଣ୍ଡ ଟେଷ୍ଟ କରାଯାଇଥିଲା। ଯାହାର ଲକ୍ଷ୍ୟଭେଦ କ୍ଷମତା ହେଉଛି ୨୫ରୁ ୩୦ କିଲୋମିଟର।

ଏଥିରେ ଆଣ୍ଟି ରାଡାର୍‌ ସିଷ୍ଟମ୍‌ ବ୍ୟବହାର କରାଯାଇଥିବାରୁ ଶତ୍ରୁପକ୍ଷର ରାଡାର୍‌ ଏହି କ୍ଷେପଣାସ୍ତ୍ରକୁ ଚିହ୍ନଟ କରିପାରିବନାହିଁ। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆର୍‌ଡିଓ), ଭାରତ ଡାଇନାମିକ୍‌ ଲିମିଟେଡ୍‌ ଓ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆର ମିଳିତ ଉଦ୍ୟମରେ ନିର୍ମିତ ‘ଭିଏଲ୍‌-ଏସ୍‌ଆର ସାମ୍‌’ କ୍ଷେପଣାସ୍ତ୍ରରେ ଅତ୍ୟାଧୁନିକ ରକେଟ୍‌ ମୋଟର୍‌ ବ୍ୟବହାର କରାଯାଇଛି।

ଏଥିସହିତ ଏଥିରେ ସ୍ବତନ୍ତ୍ର ଭାବେ ଖଞ୍ଜାଯାଇଥିବା ଡେଣା ଉଡ଼ାଣ ସମୟରେ ଆବଶ୍ୟକତା ଅନୁସାରେ ବାହାର ଓ ଭିତରକୁ ଯାଆସ କରିପାରିବ। ଫଳରେ ଶତ୍ରୁପକ୍ଷର ଟାର୍ଗେଟ୍‌କୁ ଏହି କ୍ଷେପଣାସ୍ତ୍ର ଅଚିରେ ଧ୍ବଂସ କରିପାରିବ। ପ୍ରଥମଥର ପାଇଁ ଏହି କ୍ଷେପଣାସ୍ତ୍ରର ଗ୍ରାଉଣ୍ଡ ପରୀକ୍ଷା କରାଯାଉଥିବାରୁ ୩ ନଂବର ଲଞ୍ଚ୍‌ପ୍ୟାଡ୍‌ର ଅଢେଇ କିଲୋମିଟର ଦୂରତା ମଧ୍ୟରେ ଥିବା ୪ଟି ପଞ୍ଚାୟତର ପ୍ରାୟ ୮ ହଜାର ଲୋକଙ୍କୁ ନିରାପଦ ଜାଗାକୁ ସ୍ଥାନାନ୍ତର କରାଯିବା ସହ ଅସ୍ଥାୟୀ ଆଶ୍ରୟସ୍ଥଳରେ ରଖାଯାଇଛି। ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କୁ ପ୍ରତିରକ୍ଷା ବିଭାଗ ତରଫରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ତେବେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି |

ସମ୍ବନ୍ଧିତ ଖବର