ସମ୍ବଲପୁର: ପ୍ରେମ ଶାଶ୍ବତ, ପ୍ରେମ ଚିରନ୍ତନ। ପ୍ରେମ ମାନେନା ଜାତି, ଧର୍ମ। ପ୍ରେମ ପାଇଁ ବାଧକ ସାଜେନି ବୟସ। ପ୍ରେମ ଆଗରୁ ଥିଲା, ଏବେ ବି ଅଛି ଆଉ ଆଗକୁ ବି ରହିବ। ଏହି ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଭାଲେଣ୍ଟାଇନ୍ସ ଵିକ୍ ବା ପ୍ରେମ ସପ୍ତାହ ପାଳନ ହୋଇଆସୁଛି। ପ୍ରେମ ସପ୍ତାହ ପାଳନ ଏକ ପାଶ୍ଚାତ୍ୟ ସଂସ୍କୃତି। କିନ୍ତୁ କିଛି ବର୍ଷ ହେବ ଆମ ଦେଶରେ ଏହା ବିସ୍ତାର ଲାଭ କରିସାରିଛି। ପ୍ରେମୀ ଯୁଗଳଙ୍କ ଠାରୁ ଆରମ୍ଭ କରି ନୂଆ ନୂଆ ପ୍ରେମ ଆରମ୍ଭ କରିବା ପାଇଁ ଅନେକ ଏହି ପ୍ରେମ ସପ୍ତାହକୁ ଅପେକ୍ଷା କରି ରହିଥାନ୍ତି।
ଗୋଲାପ ଦିବସ ସହ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଏହି ପ୍ରେମ ସପ୍ତାହ। ପ୍ରେମୀଯୁଗଳଙ୍କ ପାଇଁ ଏହି ଦିବସ ଅନେକ ଗୁରୁତ୍ବ ବହନ କରୁଛି। ଅନେକଙ୍କ ପ୍ରେମ ଗୋଲାପ ଦିବସରୁ ଆରମ୍ଭ ମଧ୍ୟ ହୋଇଥାଏ। କୋଭିଡ୍ ପରେ ବିନା କଟକଣା ଭିତରେ ପ୍ରେମୀ ଯୁଗଳ ପ୍ରଥମ ଥର ସୁଯୋଗ ପାଇଥିବାରୁ କଲେଜ ଠାରୁ ପାର୍କ ପର୍ଯ୍ୟନ୍ତ ସବୁଠି ବେଶ୍ ଉତ୍କଣ୍ଠା ଦେଖିବାକୁ ମିଲିଛି। ନିଜ ହୃଦୟରେ ଥିବା ପ୍ରେମକୁ ପ୍ରକାଶ ପାଇଁ ଗୋଲାପ ସବୁଠାରୁ ଭଲ ମାଧ୍ୟମ ବୋଲି ମାନା ଯାଉଥିବା ବେଳେ ଗୋଲାପ ଦିବସ ଅବସରରେ ଏହାର ଗୁରୁତ୍ବ ଅଧିକ ବଢ଼ିଯାଇଥାଏ। ଲାଲ୍ ଗୋଲାପକୁ ପ୍ରେମର ପ୍ରତୀକ ବୋଲି କହାଯାଏ। ତେଣୁ ପ୍ରେମ ସପ୍ତାହରେ ଲାଲ୍ ଗୋଲାପର ଚାହିଦା ସବୁଠାରୁ ଅଧିକ ଥାଏ। ବଜାର ଚାହିଦାକୁ ଦୃଷ୍ଟିରେ ରଖି ଦର ମଧ୍ୟ ବୃଦ୍ଧି ପାଏ। ସମ୍ବଲପୁର ବଜାରରେ ଲାଲ୍ ଗୋଲାପ ଗୋଟା ୧୦ ଟଙ୍କାରୁ ୫୦ ଟଙ୍କା ଯାଏ ବିକ୍ରି ହୋଇଛି। ଫୁଲ ତୋଡ଼ା ହିସାବରେ ଦର ୧୦୦ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। କଟକଣା ହଟିଥିବାରୁ ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ଭଲ ବ୍ୟବସାୟ ହେଉଥିବା ଫୁଲ ବ୍ୟବସାୟୀମାନେ କହିଛନ୍ତି। ପାର୍କ, ମାର୍କେଟ୍, ହୋଟେଲ୍, ମଲ୍ ଓ କଲେଜ ପରିସରରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳିଛି। ହାତରେ ହାତ ଦେଇ ପ୍ରେମୀ ଯୁଗଳ ବୁଲିବା, ପାର୍କରେ ପ୍ରେମୀଯୁଗଳଙ୍କ ଗୋଲାପ ଦିଆନିଆ, ହୋଟେଲ୍ରେ ଏକାଠି ଖାଇବା, ବାଇକ୍ରେ ବୁଲି ସମୟ କାଟୁଥିବା ଦେଖିବାକୁ ମିଳିଛି।