ଭାଲେଣ୍ଟାଇନ ଡେ’କୁ ବିରୋଧ : ପ୍ରେମ ଦିବସରେ ଏକାଠି ହେଉଥିବା ପ୍ରେମୀଯୁଗଳଙ୍କ ଦେହରେ ବିଛୁଆତି ବୋଳିବାକୁ ଆଗୁଆ ଚେତାବନୀ ଦେଲା କଳିଙ୍ଗ ସେନା
ଭୁବନେଶ୍ୱର : ପାଖେଇ ଆସୁଛି ଭାଲେଣ୍ଟାଇନ ଡେ। ଏହାକୁ ନେଇ ପ୍ରେମୀଯୁଗଳଙ୍କ ମନରେ ବଢ଼ିବାରେ ଲାଗିଛି ଉତ୍ସାହ। ତେବେ ଏହାକୁ କଡ଼ା ବିରୋଧ କରାଯିବ ବୋଲି ଆଗୁଆ ଚେତାବନୀ ଦେଲା କଳିଙ୍ଗ ସେନା। ଏଥିସହ ଭାଲେଣ୍ଟାଇନ ଡେ’ରେ ଯୁବକ ଯୁବତୀଙ୍କୁ ଅଶ୍ଲୀଳ ଅବସ୍ଥାରେ ଦେଖିଲେ ସେମାନଙ୍କ ଦେହରେ ବିଛୁଆତି ଲଗାଇ ଦିଆଯିବ ବୋଲି ଚେତାବନୀ ଦେଇଛି କଳିଙ୍ଗ ସେନା। ଏହାର ଜବାବରେ ଗଣତାନ୍ତ୍ରିକ ମହିଳା ସମିତି ପ୍ରେମ ଦିବସକୁ ହିନ୍ଦୁ ପରମ୍ପରା କହିବା ସହ ବିଛୁଆତିର ଜବାବ ବେଲେଣାକାଠି ମାଡରେ ଦିଆଯିବ ବୋଲି କହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ହାତରେ ବିଛୁଆତି ଧରି ପ୍ରେମ ଦିବସକୁ ହେବ ବିରୋଧ । ପ୍ରେମ ଦିବସରେ ଏକାଠି ହେଉଥିବା ପ୍ରେମୀଯୁଗଳଙ୍କ ଦେହରେ ବିଛୁଆତି ବୋଳିବାକୁ ଆଗୁଆ ଚେତାବନୀ ଦେଇଛି କଳିଙ୍ଗ ସେନା । ପ୍ରେମ ଦିବସ ପାଳନ ପାଇଁ ପ୍ରେମିକପ୍ରେମିକା ବାଛିଥିବା ସ୍ଥାନ ଗୁଡିକୁ ଟାର୍ଗେଟ କରିବ କଳିଙ୍ଗ ସେନା । ଟାର୍ଗେଟରେ ରହିଛି ସପିଂ ମଲ, ପାର୍କ, ସିନେମା ହଲ ଓ ରେଷ୍ଟୁରାଂଟ । ପ୍ରେମ ଦିବସରେ ଯେଉଁମାନେ ଅଶ୍ଳିଳ ଅବସ୍ଥାରେ ଦୃଷ୍ଟିକୁ ଆସିବେ ସେମାନଙ୍କ ଦେହରେ ବିଛୁଆତି ବୋଳି ବିରୋଧ କରିବ ବୋଲି କହିଛି କଳିଙ୍ଗ ସେନା ।
ଅନ୍ୟପଟେ ପ୍ରେମ ଦିବସ ପାଳନକୁ ସ୍ୱାଗତ କରିଛି ଗଣତାନ୍ତ୍ରିକ ମହିଳା ସମିତି । ପ୍ରେମକୁ ଅଶ୍ଳୀଳ କହୁଥିବା ଲୋକମାନେ ମାନସିକ ରୋଗୀ ଏବଂ ସେମାନଙ୍କୁ ପାଗଳ ଖାନାରେ ବାନ୍ଧି ରଖାଯାଉ ବୋଲି ଦାବି କରିଛି । ପ୍ରେମୀ ଯୁଗଳଙ୍କୁ ଯଦି ବିଛୁଆତି ବୋଳି ବିରୋଧ କରାଯିବ ତେବେ ସମିତି ପକ୍ଷରୁ ତାଙ୍କୁ ପାଲଟା ବେଲଣା କାଠିରେ ମାଡ ଦିଆଯିବ ବୋଲି ପାଲଟା ଚେତାବନୀ ଦେଇଛି ସମିତି । ଅନ୍ୟପଟେ ଡିସିପି କହିଛନ୍ତି ଯଦି ବିଛୁଆତି ବୋଳିବା ଭଳି କିଛି କରାଯାଏ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାରି ଭିତରେ ଦେଖିବାର କଥା ଯୁବକ ଯୁବତୀମାନେ ଏତେ ସବୁ ବିରୋଧ ଭିତରେ କିପରି ମନାଉଛନ୍ତି ପ୍ରେମ ଦିବସ ।