ନୂଆପଡ଼ା: ନୂଆପଡ଼ା ସଦର ବ୍ଲକ ଭାଲେଶ୍ବର ସରପଞ୍ଚ ସରୋଜଦେବୀ ଅଗ୍ରୱାଲ ଡ୍ରୋନ ମାଧ୍ୟମରେ ଦିବ୍ୟାଙ୍ଗ ହିତାଧିକାରୀଙ୍କ ନିକଟକୁ ଭତ୍ତା ରାଶି ପଠାଇ ସମଗ୍ର ଦେଶରେ ଚର୍ଚ୍ଚାରେ ଆସିଥିଲେ। ବର୍ତ୍ତମାନ ସେ ଆଉ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ନିଜ ପଞ୍ଚାୟତର ଯେ କୌଣସି ଲୋକଙ୍କ ଘରେ ଝିଅ ଜନ୍ମ ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ଘର ପରିସରରେ ୫୦ଟି ଗଛ ଲଗାଯିବ ବୋଲି ଟ୍ବିଟ୍‌ ମାଧ୍ୟମରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ଜଣାଇଛନ୍ତି। ସରପଞ୍ଚଙ୍କ ଏଭଳି ପଦକ୍ଷେପକୁ ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସୟ ଗୁରୁତ୍ବର ସହ ଗ୍ରହଣ କରି ଖଡ଼ିଆଳ ଡିଏଫ୍‌ଓଙ୍କୁ ଚାରା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଭାଲେଶ୍ବର ଗାଁରେ ଆଶାକର୍ମୀଙ୍କୁ ନେଇ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସରପଞ୍ଚ ଶ୍ରୀମତୀ ଅଗ୍ରୱାଲ ଯୋଗଦେଇ ପଞ୍ଚାୟତରେ କୌଣସି ବ୍ୟକ୍ତି ଯେପରି ବେଆଇନ ଲିଙ୍ଗ ନିରୂପଣ ତଥା ଝିଅ ଜନ୍ମ ହେବା ଆଗରୁ ଭୃଣହତ୍ୟା ନକରିବେ ସେନେଇ ସଚେତନ କରିଥିଲେ। ଝିଅ ଜନ୍ମକୁ ନେଇ ଲୋକଙ୍କ ମାନସିକତା ପରିବର୍ତ୍ତନ କରିବା ସହ ଉତ୍ସାହିତ କରିବାକୁ ନିଆରା ପଦକ୍ଷେପ ନିଆଯିବା ଉପରେ ସୂଚନା ଦେଇଥିଲେ। ପଞ୍ଚାୟତର କୌଣସି ବ୍ୟକ୍ତିଙ୍କ ଘରେ ଝିଅ ଜନ୍ମ ହେଲେ ତାଙ୍କ ଘରକୁ ଯାଇ ସଂପୃକ୍ତ ଝିଅର ନାଁରେ ୫୦ଟି ଗଛ ଲଗାଇବାକୁ ନିଷ୍ପତ୍ତି ନେଇଥିବା ସେ ଘୋଷଣା କରିଥିଲେ। ଏଥିସହ ସରପଞ୍ଚ ଶ୍ରୀମତୀ ଅଗ୍ରୱାଲ ନିଜ ଟ୍ବିଟରରେ ଏନେଇ ସୂଚନା ଦେବା ସହ ଓଡ଼ିଶା  ସରକାରଙ୍କ ଶାସନ ସଚିବ, ନୂଆପଡ଼ା ଜିଲ୍ଲାପାଳ, ଡବ୍ଲୁଓଡିସି, ମୋ ସରକାର, ଜିଲ୍ଲା କୃଷି ଅଧିକାରୀ, ଉଦ୍ୟାନ ବିଭାଗକୁ ଟ୍ବିଟ୍‌ କରି ଜଣାଇଛନ୍ତି।

ସରପଞ୍ଚଙ୍କ ଏଭଳି ପଦକ୍ଷେପ ପ୍ରଚାର ହେବା ପରେ ପଞ୍ଚାୟତବାସୀ, ଜିଲ୍ଲାବାସୀ ତଥା ରାଜ୍ୟବାସୀ ପ୍ରଶଂସା କରିଛନ୍ତି। ଏନେଇ ଜିଲ୍ଲାପାଳ ଶ୍ରୀ ସୟ ଖୁସିବ୍ୟକ୍ତ କରିବା ସହ ଏହା ଏକ ଭଲ ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ଶ୍ରୀମତୀ ଅଗ୍ରୱାଲଙ୍କ ମତାମତ ନିଆଯିବାରୁ କିଛି ଲୋକ ଝିଅ ଜନ୍ମ ହେବ ବୋଲି ଜାଣିବା ପରେ ଭୃଣହତ୍ୟା କରିଦେଉଥିବା ଦେଖାଯାଉଛି। ପୁଣି କିଛି ସ୍ଥାନରେ ଝିଅକୁ ଅଣଦେଖା କରାଯିବା ସହ ବାଲ୍ୟ ବିବାହ ମଧ୍ୟ କରିଦିଆଯାଉଛି। ଏନେଇ ଲୋକଙ୍କୁ ସଚେତନ କରିବାକୁ ଏଭଳି ପଦକ୍ଷେପ ନେଇଥିବା ସେ ପ୍ରକାଶ କରିଛନ୍ତି।