ଯୋଡ଼ା: ଦିନକୁ ଦିନ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ବଢ଼ୁଛି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ଫୋନ୍ ଉପରେ ନିର୍ଭରଶୀଳ। ସେହି ମୋବାଇଲ୍କୁ ବ୍ୟବହାର କରି ଆମେ ଆମର ଭାଷା, ସାହିତ୍ୟକୁ ଆଗକୁ ନେଇପରିବା ବୋଲି ଯୋଡ଼ା ଭ୍ୟାଲିସିଟି ପୁସ୍ତକମେଳାର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।
ଶ୍ରୀ ପଟ୍ଟନାୟକ କହିଥିଲେ, ଯୋଡ଼ା ଭଳି ଅଞ୍ଚଳରେ ପୁସ୍ତକମେଳା ଆୟୋଜନ ଅତ୍ୟନ୍ତ ଆନନ୍ଦର କଥା। ଦୁଇବର୍ଷ ଧରି କରୋନା କାରଣରୁ ଆମେ ଦ୍ୱନ୍ଦ୍ୱରେ ଥିଲେ। ସତରେ କ’ଣ ଆମେ ଏକ ନୂଆ ଦୁନିଆ ଆଡ଼କୁ ଗତି କରୁଛେ? କରୋନା ଆମ ସାମାଜିକ, ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରିଥିଲା। କିନ୍ତୁ ଆଜିର ଏ ସଭା ଆମ ଭିତରେ ନୂଆ ଆଶା ସୃଷ୍ଟି କରିଛି ବୋଲି ସେ କହିଥିଲେ। ପୁସ୍ତକର ଭବିଷ୍ୟତ ଉଜ୍ଜ୍ବଳ ନୁହେଁ ବୋଲି ଏବେ ଚର୍ଚ୍ଚା ଚାଲିଛି। କିନ୍ତୁ ସେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। କାରଣ ପୁସ୍ତକ ଆମର ମାତ୍ର ଦୁଇଶହ ବର୍ଷର ବନ୍ଧୁ। ପୂର୍ବରୁ ମଧ୍ୟ ଭାଷାର ଆଦାନପ୍ରଦାନ ହେଉଥିଲା। ମାତ୍ର ପୁସ୍ତକ ଦ୍ୱାରା ଏହାକୁ ସୁରକ୍ଷିତ ରଖାଯାଇ ପାରିଲା। ପିଲାମାନେ ଏବେ ଯେଉଁ ମୋବାଇଲ ଧରୁଛନ୍ତି, ସେହି ମୋବାଇଲ ଦ୍ୱାରା ମଧ୍ୟ ପୁସ୍ତକ ପଢ଼ିହେବ। ଯାହାକୁ ଏବେ ଇ-ବୁକ୍ ବୋଲି କୁହାଯାଉଛି। ତେଣୁ ପଢ଼ିବାର ଶୈଳୀ ଏବଂ ନିଜର ମାନସିକତା ବଦଳାଇବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଯୋଡ଼ା ପୌରାଧ୍ୟକ୍ଷ ଡା. ଜଗଦୀଶ ପ୍ରସାଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ତାରିଣୀ ପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଯୋଡ଼ା ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି କେନ୍ଦୁଝର ଜିଲ୍ଲାର ବିଶିଷ୍ଟ କବିମାନଙ୍କୁ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ସଭା ପୂର୍ବରୁ ଅତିଥିମାନେ ପୁସ୍ତକମେଳାର ଷ୍ଟଲ୍ ଗୁଡ଼ିକ ବୁଲି ଦେଖିଥିଲେ। ସେହିପରି ସନ୍ଧ୍ୟାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ଦେବାଶିଷ ଚକ୍ରବର୍ତ୍ତୀ, ମୁଖ୍ୟବକ୍ତା ଅଧ୍ୟାପକ ଡକ୍ଟର ଚିତ୍ତ ମିଶ୍ର, ସମ୍ମାନିତ ଅତିଥିଭାବେ ଡକ୍ଟର ସୁମନ୍ତ୍ର ନାଏକ ଯୋଗଦେଇଥିଲେ। ବିଶିଷ୍ଟ କବି ପିନାକୀ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ କବିତା ପାଠତ୍ସୋବକୁ ଡକ୍ଟର ଆଭାରଣୀ ବଳ ଏବଂ ଅଧ୍ୟାପକ ଦେବଦର୍ଶନ ଦାଶ ସଂଯୋଜନା କରିଥିଲେ। କବି ଚିନ୍ତାମଣି ମହାଳିକ, ପ୍ରାଧ୍ୟାପକ ଅନିଲ କୁମାର ଦାସଙ୍କ ସମେତ ବହୁ ସଂଖ୍ୟାରେ କବି ଯୋଗଦେଇ କବିତା ପାଠ କରିଥିଲେ। ମଞ୍ଚାସୀନ ଅତିଥିମାନଙ୍କୁ ପୁସ୍ତକମେଳାର ଆବାହକ ତାରିଣୀ ପ୍ରସାଦ ମହାନ୍ତି ସମ୍ବର୍ଦ୍ଧିତ କରିଥିଲେ।