ଯାଜପୁର/ରଗଡ଼ି: ଇସ୍ପାତ ରାଜଧାନୀ କଳିଙ୍ଗନଗରର ମୁଖଶାଳା ବ୍ୟାସନଗର ସହର ଆଖପାଖ ଅଞ୍ଚଳର ସରକାରୀ ଜମିକୁ ପ୍ରଭାବଶାଳୀମାନେ କବଜା କରିବାରେ ଲାଗିଛନ୍ତି। ଜଙ୍ଗଲ କିସମ ଓ ରାଜସ୍ବ ବିଭାଗ ଜମିରେ କୋଠାବାଡ଼ି ନିର୍ମାଣ ଚାଲିଛି। ତହସିଲ ଓ ସବରେଜିଷ୍ଟର କାର୍ଯ୍ୟାଳୟର କେତେକ ଅସାଧୁ କର୍ମଚାରୀଙ୍କୁ କରାୟତ କରି ମୂଲ୍ୟବାନ ସରକାରୀ ଜମିକୁ ବିକ୍ରି କରାଯାଉଛି। କେବଳ ଲୋକ ଦେଖାଣିଆ ଭାବେ ତହସିଲ ପକ୍ଷରୁ ଉଚ୍ଛେଦ ହେଉଛି।
କଳିଙ୍ଗନଗର ଶିଳ୍ପାଞ୍ଚଳ - ବ୍ୟାସନଗର ସହର ବାଇପାସ୍ ରାସ୍ତା ମିଲିଟାରି ଛକରୁ ଦମକଳ କେନ୍ଦ୍ର ଗୋଲୋଇ ଛକ ପର୍ଯ୍ୟନ୍ତ ଥିବା ସରକାରୀ ଜମି ଜବରଦଖଲ ହେବାରେ ଲାଗିଛି। ସେହିପରି ମିଲିଟାରି ଛକରୁ ରାବଣା ଛକ, ପାଣିକୋଇଲିଛକରୁ ଦମକଳ କେନ୍ଦ୍ର ଛକ, ଦଳାଛକରୁ ଶଙ୍ଖଚିଲା, ଧନେଶ୍ବରଛକରୁ କୋରେଇ ଡାକ୍ତରଖାନାଛକ, ଦମକଳଛକରୁ ରଗଡ଼ି, କନ୍ତରରୁ ରଗଡ଼ିଛକ ଆଦି ଅଞ୍ଚଳରେ ବ୍ୟାପକ ସରକାରୀ ଜମିରେ କୋଠାବାଡ଼ି ନିର୍ମାଣ ଚାଲିଛି। ବ୍ୟାସନଗର ତହସିଲ ପକ୍ଷରୁ ଦଳା ଛକରୁ ମିଲିଟାରି ଛକ ମଧ୍ୟରେ ଥିବା ସରକାରୀ ଜମିରୁ ଜବରଦଖଲକାରୀଙ୍କୁ ଗତବର୍ଷ ଅକ୍ଟୋବର ମାସରେ ଉଚ୍ଛେଦ କରାଯାଇଥିଲା। ଏପରିକି ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ। ତେବେ ଜବରଦଖଲକାରୀ ସରକାରୀ କଳକୁ ନିଜ ନିୟନ୍ତ୍ରଣକୁ ନେଇ ପୁଣି ଉଚ୍ଛେଦ ଜମିକୁ କବଜା କରିଛନ୍ତି।
ସେଠାରେ ବିଦ୍ୟୁତ ବିଭାଗ ପୁଣି ବିଦ୍ୟୁତ୍ ସଂଯୋଗ ଦେଇଛି। ବିଭିନ୍ନ ବିଭାଗର କାର୍ଯ୍ୟାଳୟ ଓ କ୍ବାର୍ଟର୍ସ ପାଇଁ ସରକାରୀ ଜମି ମିଳୁନଥିବା କୁହାଯାଉଥିବା ବେଳେ ପ୍ରଭାବଶାଳୀମାନେ ଖଣ୍ଡେଖଣ୍ଡେ ଇଟା ଓ ପଥର ପୋତି ନିଜର ଜମି ବୋଲି ଦର୍ଶାଉଛନ୍ତି। ଏପରିକି ଜଙ୍ଗଲ ଜମିକୁ ମଧ୍ୟ ପ୍ରଭାବଶାଳୀ ନିଜର ବୋଲି ଦର୍ଶାଇ ଚାଲିଛନ୍ତି। କେତେକ ଏହି ସରକାରୀ ଜମିକୁ ନିଜର ପୈତୃକ ସମ୍ପତି ଭାବରେ ବିକ୍ରିବଟା କରିଚାଲିଛନ୍ତି। ଏଥି ପ୍ରତି କାହାରି ନଜର ନାହିଁ। ଏହାସହ ତଳଗଡ଼ ପଞ୍ଚାୟତର ନୟାଗଡ଼ ମୌଜାରେ ୧୦ ଏକର ଜଙ୍ଗଲ କିସମ, ଗୋଚର, ଦେବୋତ୍ତର ଓ ଅନାବାଦୀ ଜମି ଜବରଦଖଲ ହୋଇଛି। ତଳଗଡ଼ ପଞ୍ଚାୟତର କଣ୍ଟାଝରି ମୌଜାରେ ୨ଏକର ଅନାବାଦୀ, ନଗୁଆଁ ମୌଜାର ୩ଏକର ଅନାବାଦୀ, ଶ୍ମଶାନ ଓ ଦେବୋତ୍ତର ଜମି ଜବରଦଖଲ ହୋଇଛି। ପାଟରଙ୍ଗା ପଞ୍ଚାୟତର ଇଟାପୁର ମୌଜାର ୨ଏକର ଜଙ୍ଗଲ କିସମ ଓ ଅନାବାଦୀ ଜମି, ପାଟରଙ୍ଗା ମୌଜାରେ ୨ଏକର ଅନାବାଦୀ, ଦେବୋତ୍ତର ଓ ଜଙ୍ଗଲ କିସମ ଜମି, ଅରଣ୍ୟମଦନା( ମଲ୍ଲାରିଆ), ନୂଆସାହି ମୌଜାର ପ୍ରାୟ ୧ଏକର ଜଙ୍ଗଲ କିସମ ଓ ଅନାବାଦୀ ଜମି, ଅନ୍ଧାରି ପଞ୍ଚାୟତର ରଗଡ଼ି ଜେଲ୍ ନିକଟରେ ୨ଏକର ଜଙ୍ଗଲ କିସମ ଓ ଅନାବାଦୀ ଜମିକୁ ପ୍ରଭାବଶାଳୀମାନେ ନିଜ ଅକ୍ତିଆରକୁ ନେଇ ବିକ୍ରିବଟା କରିଚାଲିଛନ୍ତି। ସରକାରୀ ଜମି ସୁରକ୍ଷା ଦାୟିତ୍ବରେ ତହସିଲ, ଜଙ୍ଗଲ ବିଭାଗ ଓ କେଏନ୍ଡିଏ ଭଳି ଏକାଧିକ ସରକାରୀ ବିଭାଗ ଥିଲେ ମଧ୍ୟ ନାମକୁ ମାତ୍ର କାମ କରୁଛି। ଫଳରେ ଶହଶହ କୋଟି ଟଙ୍କାର ଭୂସମ୍ପତ୍ତି ସରକାର ହରାଇବାରେ ଲାଗିଛନ୍ତି।