ବଂଶଧାରା ଜଳବିବାଦ ମାମଲା: ନେରେଡି ବ୍ୟାରେଜ ପାଇଁ ଆନ୍ଧ୍ରକୁ ଅନୁମତି

ନୂଆଦିଲ୍ଲୀ: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଂଶଧାରା ନଦୀଜଳ ବଣ୍ଟନକୁ ନେଇ ଗଠନ କରାଯାଇଥିବା ବଂଶଧାରା ଟ୍ରିବ୍ୟୁନାଲ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ତଥା କାଟ୍ରାଗଡ଼ାରେ ସାଇଡ ୱେର୍‌ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ବିଚାରପତି ମୁକୁନ୍ଦକମ୍ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଟ୍ରିବ୍ୟୁନାଲ ଗୋଟା ବ୍ୟାରେଜରୁ ଉତ୍ପନ୍ନ ୧୧୫ ଟିଏମ୍‌ସି ଫୁଟ ଜଳକୁ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ୫୦:୫୦ ଭିତ୍ତିରେ ବଣ୍ଟନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ନେରେଡି ବ୍ୟାରେଜ ନିର୍ମାଣ ପାଇଁ ୧୦୬ ଏକର ଜମି ଅଧିଗ୍ରହଣ କରି ଆନ୍ଧ୍ରକୁ ହସ୍ତାନ୍ତର କରିବା ପାଇଁ ଓଡ଼ିଶାକୁ କୁହାଯାଇଛି। ଗେଜେଟ ବିଜ୍ଞପ୍ତି ପ୍ରକାଶିତ ହେବାର ଗୋଟିଏ ବର୍ଷ ମଧ୍ୟରେ ଏହି ଜମି ଆନ୍ଧ୍ରକୁ ହସ୍ତାନ୍ତର କରାଯିବ। ଜମି ଅଧିଗ୍ରହଣ ବାବଦ ଓଡ଼ିଶାର ସମସ୍ତ ଖର୍ଚ୍ଚ ଓ କ୍ଷତିପୂରଣକୁ ଆନ୍ଧ୍ର ପଇଠ କରିବାକୁ ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେଇଛନ୍ତି।

ନେରେଡି ବ୍ୟାରେଜରୁ ପ୍ରତି ବର୍ଷ ଆନ୍ଧ୍ରପ୍ରଦେଶ ୮ ଟିଏମ୍‌ସି ପର୍ଯ୍ୟନ୍ତ ଜଳ ବ୍ୟବହାର ପାଇଁ ଟ୍ରିବ୍ୟୁନାଲ୍‌ ଅନୁମତି ଦେଇଛନ୍ତି। ୮ ଟିଏମ୍‌ସି ଜଳ ବ୍ୟବହାର ହେଲା ପରେ ସ୍ଲୁଇସ୍‌ ‌ଗେଟ୍‌ ବନ୍ଦ ହେବ। ଆନ୍ଧ୍ରର ବ୍ୟବହାର ପାଇଁ ଦକ୍ଷିଣ ପଟ ସ୍ଲୁଇସ୍‌ ଗେଟ୍‌ ନିର୍ମାଣକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଓଡ଼ିଶା ଭାଗରେ ବ୍ୟାରେଜ୍‌ର ବାମ ପଟ ସ୍ଲୁଇସ୍‌ ଗେଟ୍‌ ନିର୍ମାଣକୁ ଅନୁମତି ଦେଇଛନ୍ତି। ଏହି ଗେଟ୍‌ ନିର୍ମାଣର ଖର୍ଚ୍ଚ ଓଡ଼ିଶାକୁ ବହନ କରିବାକୁ ପଡ଼ିବ। ବ୍ୟାରେଜ ତଥା ପ୍ରସ୍ତାବିତ ସାଇଡ୍ ୱେର ପାଇଁ ଆବଶ୍ୟକ ଅନୁମୋଦନ କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରାଳୟ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ନିକଟରୁ ନିଆଯିବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି।

ଟ୍ରିବ୍ୟୁନାଲର ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ‘ଇଣ୍ଟର୍‌ ଷ୍ଟେଟ ରେଗୁଲେଟରି ବଡି’ (ସୁପରଭାଇଜରି କମିଟି) ଗଠନ କରିବା ପାଇଁ ଟ୍ରିବ୍ୟୁନାଲ ନିର୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ଜଳ ଆୟୋଗର ଦୁଇ ଜଣ ସଦସ୍ୟ, ଓଡ଼ିଶା ଓ ଆନ୍ଧ୍ରରୁ ଜଣେ ଲେଖାଏ ସଦସ୍ୟଙ୍କୁ ନେଇ ସୁପରଭାଇଜରି କମିଟି ଗଠନ କରାଯିବ। ଏହି ଚାରି ଜଣିଆ କମିଟି କଟ୍ରାଗଡ଼ାର ସାଇଡ୍‌ ୱେର ପରିସର ତଥା ନେରେଡି ବ୍ୟାରେଜ ନିର୍ମାଣର କାର୍ଯ୍ୟ ତଦାରଖ କରିବା ସହିତ ଟ୍ରିବ୍ୟୁନାଲଙ୍କ ଆଦେଶକୁ କାର୍ଯ୍ୟକାରୀ କରିବେ। କମିଟିର ଅଧ୍ୟକ୍ଷ କେନ୍ଦ୍ରୀୟ ଜଳ ଆୟୋଗର ମୁଖ୍ୟ ଯନ୍ତ୍ରୀ ରହିବେ।

ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ସ୍ପଷ୍ଟୀକରଣ ଆବେଦନ ଉପରେ ମଧ୍ୟ ଟ୍ରିବ୍ୟୁନାଲ ମତ ରଖିଛନ୍ତି। ଓଡ଼ିଶା ଦ୍ୱାରା ବଂଶଧାରା ଜଳ ବିବାଦ ମାମଲାରେ ସେପ୍ଟେମ୍ବର ୧୩, ୨୦୧୭ରେ ଯେଉଁ ରାୟ ପ୍ରକାଶ କରାଯାଇଥିଲା ସେହି ରାୟର ୭ଟି ପ୍ରସଙ୍ଗ‌ରେ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ୧୦୬ ଏକର ଜମିର ଚିହ୍ନଟ ଓ ଚିତ୍ରଣ ମ୍ୟାପ୍ ପ୍ରସ୍ତୁତ କରିବା,ସୁପରଭାଇଜରି କମିଟିର ନିଷ୍ପତ୍ତି ବିରୋଧରେ ଅପିଲ କରାଯିବାର ବ୍ୟବସ୍ଥା, ସମୀକ୍ଷା କର୍ତ୍ତୃପକ୍ଷ, ଅଟୋମେସନ୍ ଅଫ୍ ରେଗୁଲେଟିଂ ସିଷ୍ଟମ୍, ସିଲ୍ଟ ବାହାର କରିବା ପାଇଁ ଏଜେନ୍ସିକୁ ନିୟୋଜନ କରିବା, ସାଇଡ୍ ୱେରକୁ ଅଚଳ କରିବା, ନେରେଡି ବ୍ୟାରେଜ ଓ ସାଇଡ ୱେର ଅରିଜିନାଲ ଗ୍ରାଉଣ୍ଡ ଲେବଲ ପ୍ରସଙ୍ଗରେ ଟ୍ରିବ୍ୟୁନାଲଙ୍କର ସ୍ପଷ୍ଟୀକରଣ ଲୋଡ଼ାଯାଇଥିଲା। ଟ୍ରିବ୍ୟୁନାଲଙ୍କ ଦ୍ୱାରା ସ୍ପଷ୍ଟୀକରଣ ଗୁଡିକ ଉପରେ ମତାମତ ବ୍ୟକ୍ତ କରାଯାଇଛି ଏବଂ କିଛି ମତାମତ ଆଧାରରେ ଚୂଡ଼ାନ୍ତ ରାୟର ଆଦେଶରେ ମୋଡିଫିକେସନ୍ ମଧ୍ୟ କରାଯାଇଛି।

ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ନିର୍ମାଣକୁ ଟ୍ରିବ୍ୟୁନାଲ ଅନୁମତି ଦେବା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ସ୍ୱାଗତ କରିଛନ୍ତି। ବ୍ୟାରେଜ ନିର୍ମାଣର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ଜନ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରିବେ ବୋଲି ସେ କହିଛନ୍ତି। ଗତ ଏପ୍ରିଲ୍‌ ୧୭ ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡି ଏପ୍ରିଲ ୧୭ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦୁଇ ରାଜ୍ୟର ଆବଶ୍ୟକତା ପୂରଣ ପାଇଁ ବଂଶଧାରା ନଦୀ ଉପରେ ଆପୋଷ ବୁଝାମଣାରେ ନେରେଡି ବ୍ୟାରେଜ ନିର୍ମାଣ ପାଇଁ ସହଯୋଗ ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର