କୋକସରା: କୋକସରା ବ୍ଲକ୍‌ ଶିଉନି ଗାଁ ନିକଟରେ ଗତକାଲି ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ମୋଟେର ଛକରେ ରାସ୍ତା ଅବରୋଧ କରିଥିଲେ। ସୂଚନାନୁସାରେ, ଗତକାଲି ଏକ ପିକ୍‌ଅପ୍‌ ଶିଉନି ଗାଁ ନିକଟରେ ମୋଟେର ପଞ୍ଚାୟତ କୁମୁସଖୁଣ୍ଟି ବାଟିଗୁଡ଼ାର ଦୁର୍ଯ୍ୟୋଧନ ଧଙ୍ଗଡ଼ାମାଝୀ (୨୧) ଓ ଚିଣ୍ଟୁ ବାଗ (୨୩)ଙ୍କୁ ଧକ୍କା ଦେଇଥିଲା। ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଓ ସଂପର୍କୀୟମାନେ ଆଜି ଅପରାହ୍ଣରେ ମୋଟେର ଛକରେ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଥିଲେ। ଫଳରେ ଭବାନୀପାଟଣା- ମୁଖିଗୁଡ଼ା ଓ ଜୟପୁର ମଧ୍ୟରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଧର୍ମଗଡ଼ ଏସ୍‌ଡିପିଓ ଧୀରଜ ଚୋପଦାର, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ, କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ପରେ କୋକସରା ବ୍ଲକ୍‌ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରି ଗାଡ଼ି ମାଲିକଙ୍କ ପକ୍ଷରୁ କ୍ଷତିପୂରଣ ବାବଦରେ ୬୦ ହଜାର, ରେଡକ୍ରସରୁ ୨୦ ହଜାର ଓ ବ୍ଲକ୍ ଉପାଧ୍ୟକ୍ଷ ୨୦ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଅପରାହ୍ଣ ୫ଟାରେ ରାସ୍ତା ଅବରୋଧ ହଟିଥିଲା।